ଭୁବନେଶ୍ୱର:ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ବଢୁଛି । ଆହୁରି ୩ ଦିନ କଲବଲ କରିବ । ଏପ୍ରିଲରେ ସ୍ଥିତି ଏମିତି । ମେ’ ରେ କ’ଣ ହେବ ? ଏହାକୁ ଦୃଷ୍ଟିରେ ରଖି ଆଜି ପ୍ରଶାସନ ପକ୍ଷରୁ ଏକ ବୖେଠକ ଡକା ଯାଇଥିଲା । ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ବସିଥିଲା ଏହି ବୈଠକ । ଗ୍ରୀଷ୍ମ ମୁକାବିଲା ପାଇଁ କି ପଦକ୍ଷେପ ନିଆଯିବ ସେ ନେଇ ଆଲୋଚନା ହୋଇଥିଲା ।
ବୈଠକ ପରେ ମନ୍ତ୍ରୀ କହିଛନ୍ତି, ଗ୍ରୀଷ୍ମ ମୁକାବିଲା ପାଇଁ ଆଗରୁ ପ୍ରସ୍ତୁତ ଅଛନ୍ତି ରାଜ୍ୟ ସରକାର । ସବୁ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି । ଶ୍ରମିକମାନଙ୍କ ପାଇଁ ଦିନ ୧୧ଟାରୁ ୩ଟା ଯାଏ କାମ ନ କରିବାକୁ ନିର୍ଦେଶ ରହିଛି । ଯାହାର ତଦାରଖ କରିବେ ଜିଲ୍ଲା ଶ୍ରମ ଅଧିକାରୀ । ଶ୍ରମିକ ମାନଙ୍କ ପାଇଁ କାମ କରୁଥିବା ସ୍ଥାନରେ ଠିକାଦାର ଆଶ୍ରୟ ସ୍ଥଳୀ କରିବେ ବୋଲି ମଧ୍ୟ ନିର୍ଦ୍ଦେଶ ରହିଛି ।
ଖରାକୁ ଦେଖି ସ୍କୁଲ ଓ ଅଙ୍ଗନବାଡିକୁ ଏପ୍ରିଲ ୧୬ ଯାଏ ବନ୍ଦ ରଖାଯାଇଛି । ଖରା ବଢିଲେ, ପରିସ୍ଥିତି ଦେଖି ପୁଣି ନିଷ୍ପତ୍ତି ନିଆଯିବ । ହେଲେ କଲେଜ ଖୋଲା ରହିଛି । କଲେଜରେ ପରୀକ୍ଷା ଚାଲିଛି । ସରିବା ପରେ ଖରା ଦେଖି ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ସେହିପରି ବସରେ ଆବଶ୍ୟକତାଠାରୁ ଅଧିକ ଯାତ୍ରୀ ପରିବହନ ନ କରିବାକୁ ପରିବହନ ବିଭାଗକୁ କୁହାଯାଇଛି । ଦରକାର ପଡିଲେ, ସକାଳ ୧୧ଟାରୁ ୩ଭିତରେ ରୁଟର ସମୟ ପରିବର୍ତ୍ତନ କରିବାକୁ କୁହାଯାଇଛି । ବସରେ ବରଫ, ORS, ପାଣି ମହଜୁଦ ରଖିବାକୁ ନିର୍ଦେଶ ଦିଆଯାଇଛି ।
ଜିଲ୍ଲା ପ୍ରଶାସନକୁ ଜଳଛତ୍ର ଖୋଲିବାକୁ କୁହାଯାଇଛି । ସେହିପରି ଗାଁରେ ନଳକୂପ ମରାମତି ପାଇଁ ନିର୍ଦେଶ ଦିଆଯାଇଛି । ହସ୍ପିଟାଲରେ ଅଂଶୁଘାତ ରୋଗୀଙ୍କ ପାଇଁ ବେଡ଼ ଓ ମେଡିକାଲ ବ୍ୟବସ୍ଥା କରାଯାଇଛି । ରୋଗୀ ଆସିଲେ ଯେପରି ତୁରନ୍ତ ଚିକିତ୍ସା ପାଇବେ ତାହାର ବନ୍ଦେବସ୍ତ କରାଯାଇଛି ।
ସୂଚନାଥାଉ କି, ଗତ କିଛି ଦିନ ହେଲା ତାତି ବଢିଛି । ଆଜି ସକାଳ ୮ଟା ୩୦ରେ ବାଲେଶ୍ୱର ତାପମାତ୍ରା ୩୩ ଡିଗ୍ରୀ, ପୁରୀରେ ୩୨.୩ ଡିଗ୍ରୀ, ଚାନ୍ଦବାଲିରେ ୩୦.୮ ଡ଼ିଗ୍ରୀ, କେନ୍ଦୁଝରରେ ୩୦.୪ ଡ଼ିଗ୍ରୀ, ଝାରସୁଗୁଡାରେ ୩୧ ଡ଼ିଗ୍ରୀ ରେକର୍ଡ କରାଯାଇଛି । ସେହିପରି ପାରାଦୀପରେ ସକାଳ ତାପମାତ୍ରା ୨୯.୮ ଡ଼ିଗ୍ରୀ, ସମ୍ବଲପୁରରେ ୨୯.୨ ଡ଼ିଗ୍ରୀ, ଗୋପାଳପୁରରେ ୨୮.୬, ଡ଼ିଗ୍ରୀ ହୀରାକୁଦରେ ୨୮ଡ଼ିଗ୍ରୀ ରେକର୍ଡ କରାଯାଇଛି ।
Comments are closed.