Latest Odisha News

BREAKING NEWS

ଆହୁରି ଦୁଇ ଦିନ ଗ୍ରୀଷ୍ମ ପ୍ରବାହ, ଏପ୍ରିଲ ୨ ପରେ କାଳବୈଶାଖୀ ବର୍ଷା ସମ୍ଭାବନା

ଭୁବନେଶ୍ବର: ଆଉ ଦୁଇ ଦିନ ଜାଳିବ। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁ କଲବଲ ହେଉଛନ୍ତି ରାଜ୍ୟବାସୀ। ଏପ୍ରିଲ ୨ ପରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି। ଆଜିଠୁ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ତଳେ ରହିବା ନେଇ ଆକଳନ କରିଛି ପାଣିପାଗ ବିଭାଗ।

ତାପମାତ୍ରା ୨ରୁ ୩ ଡିଗ୍ରୀ କମିବା ନେଇ ସୂଚନା ମିଳିଛି। ରବିବାର ୮ ସ୍ଥାନରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ୪୧.୮ ଡିଗ୍ରୀ ସହ ବୌଦ୍ଧ ସବୁଠୁ ଉତ୍ତପ୍ତ ସ୍ଥାନ ପାଲଟିଥିଲା। ଗତକାଲି ସମ୍ବଲପୁରରେ ୪୨ ଡିଗ୍ରୀ ଟପିଛି ତାପମାତ୍ରା। ଗତ ୨୪ ଘଣ୍ଟାରେ ୧୨ ସହର ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ ହୋଇଛି। ଆଗାମୀ ୨ ଦିନ ଯାଏଁ ବର୍ଷାର ସମ୍ଭାବନା ନାହିଁ।

ଏପ୍ରିଲ ୨ ରୁ ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ବିଶେଷ କରି ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି। ତେବେ ଏପ୍ରିଲ ୨ ପୂର୍ବରୁ ଦିନ ତାପମାତ୍ରା ୧ ବା ୨ ଡିଗ୍ରୀ ହ୍ରାସ ପାଇବା ସମ୍ଭାବନା ଥିବା ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

୨ ତାରିଖରେ କୋରାପୁଟ ଓ ମାଲକାନଗିରିର କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇପାରେ। ୩ ତାରିଖରେ କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର ଓ କଳାହାଣ୍ଡିରେ ସ୍ୱଳ୍ପ ବର୍ଷା ସମ୍ଭାବନା ଅଛି। ୪ ତାରିଖରେ କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି ଓ ଗଜପତିରେ ବର୍ଷା ହେବ। ସେହିପରି ୫ ରେ ଦକ୍ଷିଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହୋଇପାରେ। ଜଗତସିଂହପୁର, ପୁରୀ ଓ ଗଞ୍ଜାମରେ ବର୍ଷା ସମ୍ଭାବନା ଅଛି।

 

Comments are closed.