Latest Odisha News

BREAKING NEWS

ଆଜିଠୁ ତାତିରେ ସିଝିବ ଓଡ଼ିଶା: ୩ ଦିନ ହିଟଓ୍ୱେଭ୍ ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର: ଆଜିଠୁ ତାତିରେ ସିଝିବ ଓଡ଼ିଶା । ୩ ଦିନ ତାପମାତ୍ରା ବଢ଼ିବ । ୪୦ ଡିଗ୍ରୀ ପାର କରିଯିବ ଦିନର ତାପମାତ୍ରା । ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଓ ଉତ୍ତପ୍ତ ବାୟୁ ରାଜ୍ୟ ଭିତରକୁ ପ୍ରବେଶ କରିବ । ଫଳରେ ଆଜିଠୁ ୧୮ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ହିଟେଓ୍ଵଭ୍‌ ସମ୍ଭାବନା ରହିଛି ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି, କିଛି ସ୍ଥାନରେ ପାରଦ ସ୍ୱାଭାବିକ ଠାରୁ ୩ରୁ ୫ ଡିଗ୍ରୀ ଯାଏ ବୃଦ୍ଧି ପାଇବ । ଅନେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରକୁ ଯିବାର ସମ୍ଭାବନା ରହିଛି । ଆସନ୍ତା ୩ଦିନ ଯାଏ ବିଭିନ୍ନ ଜିଲ୍ଲାକୁ ହିଟ୍ଓ୍ୱେଭ ନେଇ ୟେଲୋ ଆଲର୍ଟ ଜାରି ହୋଇଛି ।

ଆଜି ସୋନପୁର, ବୌଦ୍ଧ, ବଲାଙ୍ଗିର, ଅନୁଗୋଳ, ନୟାଗଡ଼, ଖୋର୍ଦ୍ଧା, ବାଲେଶ୍ୱର ଓ ମୟୂରଭଞ୍ଜକୁ ହିଟୱେଭ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଆସନ୍ତାକାଲି ପାଇଁ ସୋନପୁର, ବୌଦ୍ଧ, ବଲାଙ୍ଗିର, ଅନୁଗୋଳ, ସମ୍ବଲପୁର, ଝାରସୁଗୁଡ଼ା, ନୟାଗଡ଼, ଖୋର୍ଦ୍ଧା, ବାଲେଶ୍ୱର ଓ ମୟୂରଭଞ୍ଜ ପାଇଁ ପାଣିପାଗ ବିଭାଗ ଦେଇଛି ୟେଲୋ ୱାର୍ଣ୍ଣିଂ ।

୧୮ ତାରିଖରେ ସୋନପୁର, ବୌଦ୍ଧ, ବଲାଙ୍ଗିର, ଅନୁଗୋଳ, ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲାକୁ ଗ୍ରୀଷ୍ମପ୍ରବାହ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଗତ ୨୪ଘଣ୍ଟାରେ ୩୯.୭ ଡିଗ୍ରୀ ସେଲସିୟସ୍ ତାପମାତ୍ରା ସହ ରାଜ୍ୟର ଉତ୍ତପ୍ତ ସହର ପାଲଟିଥିଲା ଅନୁଗୋଳ ।

ଗତକାଲି ୧୩ଟି ସ୍ଥାନରେ ୩୮ଡିଗ୍ରୀ କିମ୍ବା ତାଠାରୁ ଅଧିକ ତାପମାତ୍ରା ରେକର୍ଡ ହୋଇଥିଲା । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶର ।

Comments are closed, but trackbacks and pingbacks are open.