Latest Odisha News

BREAKING NEWS

ପୁଣି ଫେରିବ ତାତି, ଆସନ୍ତାକାଲିଠାରୁ ୪ ଦିନ ଯାଏ ୬ରୁ ୮ ଡିଗ୍ରୀ ବଢ଼ିବ ଦିନ ତାପମାତ୍ରା

ଭୁବନେଶ୍ୱର: ଗତ କିଛି ଦିନ ହେବ କାଳବୈଶାଖୀ ପ୍ରଭାବ ଯୋଗୁଁ ରାଜ୍ୟରେ ଅନେକ ସ୍ଥାନରେ ବର୍ଷା ହୋଇଛି। ଯାହାଫଳରେ ପାଗ ଥଣ୍ଡା ରହିଛି। ତାପମାତ୍ରା କମିଛି। ଲୋକେ ତାତିରୁ ଆଶ୍ୱସ୍ତି ପାଇଥିଲେ। ହେଲେ ଆସନ୍ତାକାଲିଠାରୁ ପୁଣି କଲବଲ କରିବ ତାତି। ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଆସନ୍ତାକାଲିଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ତାପମାତ୍ରା ବଢ଼ିବ। ୪ ଦିନ ଯାଏ ଦିନର ତାପମାତ୍ରା ୬ରୁ ୮ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ।

ଆସନ୍ତାକାଲି ପାରଳାଖେମୁଣ୍ଡିରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୯ ଡିଗ୍ରୀ ସେଲ୍‌ସିୟସ ରହିପାରେ ବୋଲି ଆକଳନ କରାଯାଇଥିବା ବେଳେ ମାଲକାନଗିରିରେ ୩୭, ରାୟଗଡ଼ାରେ ୩୬, କୋରାପୁଟରେ ୩୩, ଭବାନୀପାଟଣାରେ ୩୩, ନୂଆପଡ଼ାରେ ୩୩, ବଲାଙ୍ଗିରରେ ୩୩, ଟିଟିଲାଗଡ଼ରେ ୩୪, ବୌଦ୍ଧରେ ୩୪, ସୁନ୍ଦରଗଡ଼ରେ ୩୩, ଝାରସୁଗୁଡ଼ାରେ ୩୩, ଅନୁଗୋଳରେ ୩୩, ଭୁବନେଶ୍ୱରେ ୩୪ ଓ କଟକରେ ୩୩ ଡିଗ୍ରୀ ରହିପାରେ। ୧୩ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ବା ତା’ ଉପରେ ରହିପାରେ।

୧୪ ତାରିଖ ବେଳକୁ ପାଖାପାଖି ୧୧ ଜିଲ୍ଲାରେ ଉଷ୍ମଆଦ୍ର ପାଣିପାଗ ସ୍ଥିତି ରହିବ। ସେହିପରି ୧୫ ତାରିଖରେ ୭ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ରହିବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୧୭ ଓ ୧୮ ତାରିଖ ବେଳକୁ ତାପମାତ୍ରା ଆହୁରୀ ବଢ଼ିବାର ସମ୍ଭାବନା ରହିଥିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି। ପାରଳାଖେମୁଣ୍ଡି ଓ ଟିଟିଲାଗଡ଼ରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୧ ଡିଗ୍ରୀ ଛୁଇଁ ପାରେ ବୋଲି ପୂର୍ବାନୁମାନ କରାଯାଇଥିବା ବେଳେ ବଲାଙ୍ଗିର, ଭବାନୀପାଟଣା, ବୌଦ୍ଧ, ସମ୍ବଲପୁର, ଝାରସୁଗୁଡ଼ା ଓ ମାଲକାନଗିରିର ତାପମାତ୍ରା ୪୦ ଡିଗ୍ରୀ ଛୁଇଁପାରେ। ସେହିପରି ଅନୁଗୁଳ, ନୂଆପଡ଼ା, ରାୟଗଡ଼ା ଓ ନୟାଗଡ଼ର ତାପମାତ୍ରା ୩୯ ଡିଗ୍ରୀ ଛୁଇଁପାରେ। ରାଜଧାନୀ ଭୁବନେଶ୍ୱର, କଟକ, ଜଗତସିଂହପୁର, ଭଦ୍ରକ, ବାରିପଦା, ସୁନ୍ଦରଗଡ଼, ସୋନପୁର ଓ ଚାନ୍ଦବାଲିର ତାପମାତ୍ରା ୩୮ ଡିଗ୍ରୀ ରହିପାରେ। ରାୟଗଡ଼ା, ପାରଳେଖେମୁଣ୍ଡି ଓ ମାଲକାନଗିରିକୁ ଛାଡ଼ି ଦେଲେ ଅନ୍ୟ କୌଣସି ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ଛୁଇଁ ନପାରେ।

 

Comments are closed.