Latest Odisha News

BREAKING NEWS

ଏବେ ତାତିରୁ ନାହିଁ ଆଶ୍ୱସ୍ତି, ୧୬ ଜିଲ୍ଲାକୁ କାଳବୈଶାଖୀ ପାଇଁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ତାତିରୁ ମିଳିବନି ଆଶ୍ୱସ୍ତି । ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଆହୁରି ସନ୍ତୁଳି ହେବ ଓଡ଼ିଶା । ପଶ୍ଚିମ ଓଡ଼ିଶାରେ ଆହୁରି ବଢ଼ିବ ସୂର୍ଯ୍ୟଙ୍କ ପ୍ରକୋପ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ତାମିଲନାଡ଼ୁ, ପୁଡୁଚେରୀ ଓ କରାକଲ ସହ ଦକ୍ଷିଣପଶ୍ଚିମ ଏବଂ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଛୁଇଁଛି । ଏବେ ଯାଏ ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ପ୍ରଭାବ ଅନୁଭୂତ ହୋଇ ନାହିଁ ।

ଏବେ ରାଜ୍ୟବାସୀ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଯୋଗୁ ସନ୍ତୁଳି ହେଉଛନ୍ତି । ଆଗାମୀ ୨୪ ଘଣ୍ଟାରେ କାଳବୈଶାଖୀ ନେଇ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମଯୂରଭଞ୍ଜ, ସୁନ୍ଦରଗଡ଼, ଦେବଗଡ଼, ବାଲେଶ୍ୱର, ଯାଜପୁର, ଭଦ୍ରକ, କୋରାପୁଟ, ମାଲକାନଗିରି, ରାୟଗଡ଼ା, କନ୍ଧମାଳ, ନବରଙ୍ଗପୁର, କଳାହାଣ୍ଡି ଓ ଗଜପତି ଜିଲ୍ଲାରେ କାଳବୈଶାଖୀ ଆଶଙ୍କା ରହିଛି ।

ଅନ୍ୟପଟେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ପଶ୍ଚିମ ଓଡ଼ିଶାର ବରଗଡ଼, ସମ୍ବଲପୁର, ସୋନପୁର, ବଲାଙ୍ଗିର, ବୌଦ୍ଧ ଓ ନୂଆପଡ଼ା ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । ୮ରୁ ୧୦ ତାରିଖ ଯ଼ାଏ ପଶ୍ଚିମ ଓଡ଼ିଶାର ୬ ଜିଲ୍ଲାକୁ ହିଟୱେଭ ସତର୍କତା ଜାରି କରାଯାଇଛି । ବିଶେଷକରି ଦିନ ୧୧ଟାରୁ ସାଢେ ୩ଟା ମଧ୍ୟରେ ଘରୁ ନ ବାହାରିବା ଲାଗି କୁହାଯାଇଛି । ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ମଧ୍ୟ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ।

ଗତ ୨୪ ଘଣ୍ଟାରେ ବଲାଙ୍ଗିର ଓ ନୂଆପଡ଼ାରେ ସର୍ବାଧିକ ୪୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା । ଆଗାମୀ ୪ରୁ ୫ ଦିନ ମଧ୍ୟରେ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । କିନ୍ତୁ ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

Leave A Reply

Your email address will not be published.