Latest Odisha News

BREAKING NEWS

ଟ୍ବିନ୍ ସିଟିରେ ସ୍ବାଭାବିକଠୁ ଅଧିକ ରହିବ ତାପମାତ୍ରା, ୧୧ ଟା ୩୦ ସୁଦ୍ଧା ସମ୍ବଲପୁରରେ ଅଧିକ ତାତି

ଭୁବନେଶ୍ୱର: ଆଜି ଗ୍ରୀଷ୍ମ ପ୍ରବାହରେ ଆଉଟ ପାଉଟ ହେବ ଟ୍ବିନ ସିଟି। ସତର୍କ କଲା ଭୁବନେଶ୍ବର ପାଣିପାଗ କେନ୍ଦ୍ର। ସ୍ୱାଭାବିକ ତୁଳନାରେ ୬.୫ ଡ଼ିଗ୍ରୀ କିମ୍ବା ଅଧିକ ବ୍ୟବଧାନରେ ରେକର୍ଡ ହୋଇପାରେ ସର୍ବୋଚ୍ଚ ଦିନ ତାପମାତ୍ରା। ରାଜଧାନୀରେ ସକାଳ ୮.୩୦ ସୁଦ୍ଧା ୩୫ ଡ଼ିଗ୍ରୀ ତାପମାତ୍ରା ଏବଂ ୬୫% ଆଦ୍ରତା ରେକର୍ଡ ହୋଇଛି। ସେହିପରି ସକାଳ ୫ ଟା ୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ୩୦ ଡ଼ିଗ୍ରୀ ତାପମାତ୍ରା, ୮୮% ଆଦ୍ରତା ରେକର୍ଡ ହୋଇଥିଲା।

ଆଜି ଦିନ ୧୧ ଟା ୩୦ ସୁଦ୍ଧା ସମ୍ବଲପୁରରେ ୪୨ ଡିଗ୍ରୀ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି। ଏହାପରେ ଝାରସୁଗୁଡା ୪୧.୮ ଡିଗ୍ରୀ,
ଭୁବନେଶ୍ୱର ୪୧.୬ ଡିଗ୍ରୀ, ହୀରାକୁଦ ୪୧.୨ ଡିଗ୍ରୀ, କେନ୍ଦୁଝର ୩୮.୪ ଡିଗ୍ରୀ, ବାଲେଶ୍ୱର ୩୭ ଡିଗ୍ରୀ, ଚାନ୍ଦବାଲି ୩୭ ଡିଗ୍ରୀ, ପୁରୀ ୩୬.୨ ଡିଗ୍ରୀ, ପାରାଦୀପ ୩୪.୪ ଡିଗ୍ରୀ, ଗୋପାଳପୁରରେ ୩୪ ଡିଗ୍ରୀ ରେକର୍ଡ ହୋଇଛି।

ଗତକାଲି ବଲାଙ୍ଗୀର ଓ ବରଗଡ଼ରେ ଦିନର ସର୍ବାଧିକ ତାପମାତ୍ରା ୪୫.୫ ଡିଗ୍ରୀ ରେକର୍ଡ ହୋଇଥିଲା। ଭୁବନେଶ୍ବରରେ ୪୨.୬ ଡିଗ୍ରୀ ଓ କଟକ ଠାରେ ୪୧.୬ ଡିଗ୍ରୀ ହୋଇଥିଲା । ଅନ୍ୟ ପକ୍ଷରେ ଆରବ ସାଗରରେ ସୃଷ୍ଟ ବାତ୍ୟାର ପ୍ରଭାବ ହେତୁ ଓଡ଼ିଶାରେ ଗରମ ଓ ଗୁଳୁଗୁଳି ଆଉ ତିନି ଦିନ ଲାଗି ରହିବ ବୋଲି ଜଣାପଡିଛି।

ଆଗକୁ ଯଦିଓ ରଜ ଆସୁଛି କିନ୍ତୁ ଏହି ସମୟରେ ମାଟି ମା’ ବର୍ଷାରେ ଭିଜିବା ପରିବର୍ତ୍ତେ ସୂର୍ଯ୍ୟଙ୍କ ପ୍ରଖର କିରଣରେ ଆହୁରି ତାତିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଆହୁରି ଦୁଇ ଦିନ ଯାଏ ଗରମ ଓ ଅସହଜ ପାଗ ଲାଗିରହିବ ବୋଲି ସୋମବାର ପୂର୍ବାନୁମାନ ହୋଇଥିବା ବେଳେ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହରୁ ନିସ୍ତାର ମିଳିବ ନାହିଁ ବୋଲି ସୂଚନା ରହିଛି।

ଆଗାମୀ ଦୁଇ ଦିନ ମଧ୍ୟରେ ଓଡ଼ିଶାର କିଛି ଜିଲ୍ଲାଗୁଡ଼ିକରେ ତାପମାତ୍ରା ୪ରୁ ୬ ଡିଗ୍ରୀ ଯାଏ ବୃଦ୍ଧି ପାଇବ। ଏହାର ପ୍ରଭାବରେ ଆସନ୍ତା ୩ ଦିନ ଯାଏ ଗରମ ଓ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେବ। ସକାଳ ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ ବାହାରକୁ ଯିବା ସମୟରେ ସତର୍କତା ଅବଲମ୍ବନ କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି ବୋଲି ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟ୍ କରାଯାଇଛି।

ସେପଟେ ଆଜି ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗୀର ଓ କେନ୍ଦୁଝର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

Leave A Reply

Your email address will not be published.