ଭୁବନେଶ୍ୱର: ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଯାହାଫଳରେ କଲବଲ ହେଉଛନ୍ତି ଜନସାଧାରଣ। ପଶ୍ଚିମ ଓଡିଶାରେ ତାପମାତ୍ରା ସବୁଠାରୁ ଅଧିକ ରହୁଛି।
ବୌଦ୍ଧ ଜିଲ୍ଲାରେ ତାପମାତ୍ରା ସର୍ବାଧିକ ୪୩.୫° ସେଲସିୟସ୍ ରେକର୍ଡ କରାଯାଇଛି । ଏହା ପୂର୍ବରୁ ଶନିବାର ୪୨.୫° ଏବଂ ରବିବାର ୪୩.୬° ସେଲସିୟସ୍ ରେକର୍ଡ କରାଯାଇଥିଲା।
ବର୍ତ୍ତମାନ ସୁଦ୍ଧା ବରଗଡ଼ (୪୨°C), ଅନୁଗୁଳ (୪୦.୭°C), ଟିଟିଲାଗଡ଼ (୪୦.୫°C) ଏବଂ ମାଲକାନଗିରି (୪୦.୨°C) ରହିଛି।ତେବେ ଗ୍ରୀଷ୍ମ ପ୍ରବାହର ପ୍ରଭାବ ଝାରସୁଗୁଡା, ବଲାଙ୍ଗୀର, ସମ୍ବଲପୁର, ସୋନପୁର, ତାଳଚେର, ଭବାନୀପାଟଣା, ହୀରାକୁଦ, ସୁନ୍ଦରଗଡ ଏବଂ ଖୋର୍ଦ୍ଧା ଭଳି ନଅଟି ସ୍ଥାନରେ ଦେଖିବାକୁ ମିଳିଛି।ଏହି ସବୁ ସ୍ଥାନରେ ଦିନ ସମୟର ତାପମାତ୍ରା ପ୍ରାୟ ୩୯° ରୁ ୪୦° ସେଲସିୟସ ମଧ୍ୟରେ ରହୁଛି।
ତେବେ ଟ୍ୱିନସିଟିରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଭୁବନେଶ୍ୱର ଏବଂ କଟକରେ ଯଥାକ୍ରମେ ୩୬.୭° ଏବଂ ୩୭° ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି।
ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଝାରସୁଗୁଡ଼ା ଏବଂ ବୌଦ୍ଧ ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଥିବା ବେଳେ ସମ୍ବଲପୁର ଏବଂ ସୁନ୍ଦରଗଡ଼ ପାଇଁ ମଧ୍ୟ ଗ୍ରୀଷ୍ମ ପ୍ରବାହ ନେଇ ୟେଲୋ ଆଲର୍ଟ ଜାରି କରିଛି। ତେବେ ବଲାଙ୍ଗୀର, ଅନୁଗୁଳ ଏବଂ କଳାହାଣ୍ଡି ପାଇଁ ମଧ୍ୟ ଗ୍ରୀଷ୍ମ ପ୍ରବାହର ପୂର୍ବାନୁମାନ କରାଯାଇଛି।
ଏହାସହ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ଗଜପତିର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଗରମ ଓ ଗୁଳୁଗୁଳି ହେବାର ଆଶଙ୍କା କରାଯାଇଛି।
ତେବେ ରାଜ୍ୟରେ ଆହୁରି ଦୁଇ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ। କାଳବୈଶାଖୀ’ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ବର୍ଷା ଏବଂ ଝଡ଼ବର୍ଷା ହେବାର ସମ୍ଭାବନା ଅଛି। ଯାହା ଫଳରେ ତାପମାତ୍ରା ୩-୫ ଡିଗ୍ରୀ ସେଲସିୟସ୍ ତାପମାତ୍ରା ହ୍ରାସ ପାଇବାର ଆଶା କରାଯାଉଛି।