Latest Odisha News

ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି, ୧୭ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ରେକର୍ଡ

ଭୁବନେଶ୍ୱର: ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ସୋମବାର ୧୭ଟି ଭିନ୍ନ ଭିନ୍ନ ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ରହିଥିଲା। ମୁଖ୍ୟତଃ ପଶ୍ଚିମାଞ୍ଚଳରେ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ସନ୍ଧ୍ୟା ବୁଲେଟିନରୁ ଜଣାପଡ଼ିଛି ଯେ, ସମ୍ବଲପୁରରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୩.୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

ଅନ୍ୟ କେତେକ ସ୍ଥାନରେ ମଧ୍ୟ ପ୍ରବଳ ଗରମ ଅନୁଭୂତ ହୋଇଛି। ବୌଦ୍ଧରେ ତାପମାତ୍ରା ୪୩ଡିଗ୍ରୀ ଥିବା ବେଳେ ହୀରାକୁଦରେ ୪୨.୬ଡିଗ୍ରୀ ରହିଛି। ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ତାପମାତ୍ରା ୪୨.୫ ଡିଗ୍ରୀ ରହିଥିବା ବେଳେ ସୋନପୁରରେ ୪୨.୩ ଡିଗ୍ରୀ ରେକର୍ଡ କରାଯାଇଛି। ବରଗଡ଼ରେ ୪୨.୨, ଅନୁଗୁଳରେ ୪୨.୧, ବଲାଙ୍ଗୀର, ତାଳଚେର ଓ ରାଉରକେଲାରେ ତାପମାତ୍ରା ୪୨ ଡିଗ୍ରୀ ଛୁଇଁଛି। ଉଭୟ ଟିଟିଲାଗଡ଼ ଓ ବାରିପଦାରେ ତାପମାତ୍ରା ୪୧ ଡିଗ୍ରୀ ଛୁଇଁଛି।

ଆସନ୍ତା ୫ ଦିନ ଯାଏ ସାରା ଓଡ଼ିଶାରେ ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୁଳ, ବୌଦ୍ଧ, ସୋନପୁର, ବଲାଙ୍ଗୀର, ଝାରସୁଗୁଡ଼ା, ବରଗଡ଼ ସମେତ କିଛି ଜିଲ୍ଲାରେ ଏହି ସମୟ ମଧ୍ୟରେ ତାପମାତ୍ରା ୪୨ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରହିପାରେ।

ଫଳରେ ପାଗ ଗରମ ଓ କୋହଲା ରହିବ ବୋଲି ପୂର୍ବାନୁମାନ କରାଯାଇଛି। ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ମଧ୍ୟରେ ବାହାରକୁ ବାହାରିବା ସମୟରେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।

ତେବେ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। କିଛି ସ୍ଥାନରେ ବଜ୍ରପାତର ସମ୍ଭାବନା ସହ ଝିପିଝିପି ବର୍ଷା ନେଇ ପୂର୍ବାନୁମାନ ହୋଇଛି। ମାଲକାନଗିରି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଣ୍ଟାପ୍ରତି ୪୦-୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି।

Comments are closed.