Latest Odisha News

BREAKING NEWS

ପ୍ରବଳ ବର୍ଷାରେ କଟକ-ଭୁବନେଶ୍ୱର ବେହାଲ୍, ସ୍କୁଲ-କଲେଜ ଛୁଟି ଘୋଷଣା

ଭୁବନେଶ୍ୱର: ଗତ ୩୬ ଘଣ୍ଟା ଧରି ଲଗାଣ ବର୍ଷାରେ କଟକ-ଭୁବନେଶ୍ୱର ଜଳାର୍ଣ୍ଣବ ହୋଇପଡ଼ିଛି । ଲାଗି ରହିଥିବା ପ୍ରବଳ ବର୍ଷା ଯୋଗୁଁ ଟ୍ୱିନ୍ ସିଟିରେ ଜୀବନଯାତ୍ରା ଏକରକମ ବ୍ୟାହତ ହୋଇପଡ଼ିଛି ।


କଟକର ଜନଗହଳିପୂର୍ଣ୍ଣ ବାଦାମବାଡ଼ିରେ ବର୍ଷାଜଳ ୨ ଫୁଟ ଉଚ୍ଚରେ ରହି ରାସ୍ତା ଉପରେ ବହି ଚାଲିଛି । ଏହାଛଡ଼ା ସହରର ତଳିଆ ଅଞ୍ଚଳରେ ଲୋକଙ୍କ ଘରେ ମଧ୍ୟ ବର୍ଷାଜଳ ପ୍ରବେଶ କରିଛି । ଆଜି ସକାଳ ୬ ଟା ସୁଦ୍ଧା କଟକରେ ମୋଟ ଉପରେ ୧୦୩ ମିମି ବୃଷ୍ଟିପାତ ହୋଇଥିବା ରେକର୍ଡ଼ କରାଯାଇଛି ।

ପରିସ୍ଥିତିକୁ ନିରୀକ୍ଷା କରି ଜିଲ୍ଲା ପ୍ରଶାସନ କଟକରେ ଗୁରୁବାର ଦିନ ସମସ୍ତ ସ୍କୁଲ ଓ କଲେଜକୁ ବର୍ଷା ଯୋଗୁଁ ଛୁଟି କରିଦେଇଛନ୍ତି ।

ସାରା ସହର ଜଳାର୍ଣ୍ଣବ ହୋଇ ଏପରି ପରିସ୍ଥିତି ଉପୁଜିଥିବା ଯୋଗୁଁ କଟକ ମ୍ୟୁନିସିପାଲ କର୍ପୋରେସନ (ସିଏମସି) ୧୫୦ଟି ଉଚ୍ଚ କ୍ଷମତା ସମ୍ପନ୍ନ ପମ୍ପ ଦ୍ୱାରା ଜଳ ନିଷ୍କାସନ କାର୍ଯ୍ୟ ଜାରି ରଖିଛନ୍ତି ।

ଲଗାଣ ବର୍ଷା ଯୋଗୁଁ ରାଜଧାନୀ ଭୁବନେଶ୍ୱରର ପରିସ୍ଥିତି ମଧ୍ୟ ସାଂଘାତିକ । ବିଏମସି କର୍ତ୍ତୃପକ୍ଷ ୧୩ ଟି ଟିିମ ଦ୍ୱାରା ରାଜଧାନୀର ୬୭ଟି ୱାର୍ଡ଼କୁ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପଠାଇଛନ୍ତି, ଏହି ଦଳରେ ମଧ୍ୟ ୪୦ ଜଣ ବିଭାଗୀୟ ଯନ୍ତ୍ରୀ ନିୟୋଜିତ ରହିଛନ୍ତି ।

ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ (ବିଏମସି) ପକ୍ଷରୁ ଏକ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ ସହିତ ଏକ ସ୍ୱତନ୍ତ୍ର ଅପରେସନ ରୁମ ଖୋଲାଯାଇଛି । ଏହି କଣ୍ଟ୍ରୋଲ ରୁମକୁ ଜନସାଧାରଣ ତୁରନ୍ତ ଯୋଗାଯୋଗ କରିପାରିବେ । ବିଏମସି ପକ୍ଷରୁ ଖୋଲାଯାଇଥିବା କଣ୍ଟ୍ରୋଲ ରୁମର ଯୋଗାଯୋଗ ନମ୍ବର – ୦୬୭୪ -୨୪୩୨୨୮୧ ତଥା ସ୍ୱତନ୍ତ୍ର ଅପରେସନ କେନ୍ଦ୍ରର ଟୋଲ୍ ଫ୍ରି ନମ୍ବର ହେଉଛି – ୧୮୦୦୩୪୫୦୦୬ ।

Leave A Reply

Your email address will not be published.