Latest Odisha News

ଅତି ପ୍ରବଳ ବର୍ଷା ସମ୍ଭାବନା: ବନ୍ୟା ଆଶଙ୍କାରେ ୧୩ ଜିଲ୍ଲାପାଳଙ୍କୁ ଆଲର୍ଟ…

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ସତର୍କ ସୂଚନା ମିଳିଛି । ଏହାକୁ ଦୃଷ୍ଟିରେ ରଖି ବନ୍ୟା ଆଶଙ୍କା ରହିଥିବା ହେତୁ ଓଡ଼ିଶା ସ୍ୱତନ୍ତ୍ର ରିଲିଫ କମିଶନର୍ (ଏସଆରସି) ୧୩ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କତା ଅବଲମ୍ବନ କରିବାକୁ ଆଲର୍ଟ ଜାରି କରିଛନ୍ତି । ଏହି ସମସ୍ତ ଜିଲ୍ଲା ପ୍ରଶାସନ ବନ୍ୟା, ଜଳବନ୍ଦୀ ତଥା ମାଟି ଅତଡ଼ା ଖସିବା ପରି ଦୂର୍ବିପାକ ପ୍ରତି ଯଥେଷ୍ଟ ସତର୍କତା ଅବଲମ୍ବନ କରିବା ପୂର୍ବକ ଯଥାବିଧି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଏସଆରସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଯେଉଁ ସମସ୍ତ ଜିଲ୍ଲା ଗୁଡ଼ିକୁ ଆଲର୍ଟ ଜାରି କରାଯାଇଛି ସେହିସବୁ ଜିଲ୍ଲା ଗୁଡ଼ିକ ହେଲା – ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ବରଗଡ଼, ସୋନପୁର, ବୌଦ୍ଧ, ଗଜପତି, ପୁରୀ, କୋରାପୁଟ, ବଲାଙ୍ଗୀର, ରାୟଗଡ଼ା ଏବଂ ନୂଆପଡ଼ା ଜିଲ୍ଲା । ଏହି ସମସ୍ତ ଜିଲ୍ଲା ଗୁଡ଼ିକରେ ଏମର୍ଜେନ୍ସି ଅପରେସନ ସେଣ୍ଟର ଗୁଡ଼ିକ ସବୁ ସମୟରେ ସତର୍କ ରହି ଯଥା ସମୟରେ ପଦକ୍ଷେପ ଗ୍ରହଣ କରିବେ ।

ସମସ୍ତ ଜିଲ୍ଲା ପ୍ରଶାସନ ଗୁଡ଼ିକୁ ଏସଆରସି ପକ୍ଷରୁ ଅବଗତ କରି ନିର୍ଦ୍ଦେଶ ଦିଆଯାଇଛି ଯେ, ପରିସ୍ଥିତିକୁ ନଜରରେ ରଖି ନିରାପଦ ସ୍ଥାନକୁ ଜନସାଧାରଣଙ୍କୁ ସ୍ଥାନାନ୍ତରିତ କରିବେ ଜିଲ୍ଲା ପ୍ରଶାସନ । ଆବଶ୍ୟକତା ଅନୁଯାୟୀ ଖାଦ୍ୟ, ପାନୀୟଜଳ, ଅତ୍ୟାବଶ୍ୟକ ସାମଗ୍ରୀ ସମେତ ଆଲୋକ ସମସ୍ତ ରିଲିଫ କ୍ୟାମ୍ପ ଏବଂ ରିଲିଫ ସେଲ୍ଟର ଗୁଡ଼ିକରେ ରଖିବେ ।

ଏପରିକି ଏସଆରସି ସୂଚନାଦେଇ କହିଛନ୍ତି ଯେ, ଯେଉଁସବୁ ସ୍ଥାନରେ ପ୍ରବଳ ବୃଷ୍ଟିପାତ ଯୋଗୁଁ ମାଟି ଅତଡ଼ା ଖସିବାର ଆଶଙ୍କା ରହିଛି ସେଠାରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଲାଗି ତଥା ପୂର୍ବରୁ ଆବଶ୍ୟକୀୟ ପଦକ୍ଷେପ ନେବାଲାଗି ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇଛି ।

Leave A Reply

Your email address will not be published.