Latest Odisha News

ଆଗାମୀ ୫ ଦିନ ମଧ୍ୟରେ ପ୍ରବଳ ବର୍ଷା, ଏହି ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: ଆସୁଛି ବର୍ଷା । ଏବେ ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ ଖୁବଶୀଘ୍ର ପାଗରେ ହେବାକୁ ଯାଉଛି ଏକ ପରିବର୍ତ୍ତନ । ତେବେ ଆଜିଠୁ ବଢିପାରେ ବର୍ଷା। ଆଗାମୀ ୫ ଦିନ ମଧ୍ୟରେ ସାରା ରାଜ୍ୟରେ ହାଲୁକାରୁ ମଧ୍ୟମଧରଣର ବର୍ଷା ଲାଗିରହିବ। କାଁ ଭାଁ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ବୁଧବାର ଉପକୂଳ ଓଡ଼ିଶାରେ କାଳବୈଶାଖୀ ସହ ବର୍ଷା ହେବାକୁ ଥିବା ବେଳେ ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇପାରେ। ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ।

ବିଭାଗର ସୂଚନା ଅନୁଯାୟୀ ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୨୭ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ବଲାଙ୍ଗୀର, ନୂଆପଡ଼ା ଓ ବରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ସେହିପରି ୨୯ ତାରିଖରେ ସମ୍ବଲପୁର ଓ ବରଗଡ଼ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଏବଂ ଅନୁଗୁଳ, ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।

ଏହି ସବୁ ଜିଲ୍ଲାଗୁଡିକରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ୨୭ ତାରିଖ ବେଳକୁ ଓଡ଼ିଶା ସଂଲଗ୍ନ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ସେତେଟା ସକ୍ରିୟ ହେବନାହିଁ। ସୃଷ୍ଟି ହେବାର ୨୪ରୁ ୩୬ ଘଣ୍ଟା ମଧ୍ୟରେ ଅପସରି ଯିବ। ଏହାଦ୍ବାରା ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ। ତେବେ ଜୁଲାଇ ଆରମ୍ଭରୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ମୌସୁମୀ ସକ୍ରିୟ ହେବା ସହ ବର୍ଷା ହୋଇପାରେ। ଜୁଲାଇ ପ୍ରଥମାର୍ଦ୍ଧ ପର୍ଯ୍ୟନ୍ତ ଓଡ଼ିଶାରେ ନିଅଣ୍ଟିଆ ବର୍ଷା ଲାଗିରହିବ।

ଅନ୍ୟପଟେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପଶ୍ଚିମ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଗୋଆ, କୋଙ୍କଣ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ମାହେ, ଲାକ୍ଷାଦ୍ୱୀପ, ଗୁଜରାଟ, ବିଧର୍ବ, ଛତିଶଗଡ଼ ଆଦି ରାଜ୍ୟରେ ଆସନ୍ତା ୫ ଦିନ ଧରି ପ୍ରବଳ ବର୍ଷା ସମ୍ଭାବନା ରହିଛି ।

Leave A Reply

Your email address will not be published.