Latest Odisha News

ଦାନା ପ୍ରଭାବରେ ଲଗାଣ ବର୍ଷା: ବେହାଲ ହେଲାଣି ପରିସ୍ଥିତି

ଭୁବନେଶ୍ୱର: ବାତ୍ୟା ଦାନା ପ୍ରଭାବରେ ଏବେ ଡରାଇଲେଣି ରାଜ୍ୟର ପ୍ରମୁଖ ନଦୀ। ଲଗାଣ ବର୍ଷାରେ ଏବେ ପୂରି ଉଠିଲାଣି ନଦୀ ନାଳ। ଏମିତିକି ରାସ୍ତାରେ ଚାଲିଲାଣି ଆଣ୍ଠୁଏ ପାଣି। ବାତ୍ୟା କିଛି ମାତ୍ର ତଳିଥିବ ବେଳେ ଏବେ ଦାଉ ସାଧୁଛି ବର୍ଷା।ଗୋଟେ ପଟେ ବର୍ଷା ପାଣି ଅନେକ ଲୋକଙ୍କ ଘରେ ପଶିଥିବା ବେଳେ ବନ୍ୟାଜଳକୁ ନେଇ ଏବେ ଛାନିଆ ନଦୀକୂଳିଆ ବାସିନ୍ଦା।

ବାତ୍ୟା ଦାନା ପ୍ରଭାବରେ ଚାନ୍ଦବାଲିରେ ସର୍ବାଧିକ ୧୬୭.୬ ମିମି ବର୍ଷା ରେକର୍ଡ ହୋଇଛି। ଭଦ୍ରକରେ ୧୬୧ ମିମି, ଯାଜପୁରରେ ୧୪୩, ବାଲେଶ୍ୱରରେ ୮୭.୬, କେନ୍ଦ୍ରାପଡ଼ାରେ ୬୯.୨, ବାରିପଦାରେ ୫୨, କଟକରେ ୨୫.୪, ପାରାଦୀପରେ ୧୪.୮, ଜଗତସିଂହପୁରରେ ୨୧.୨ , କେନ୍ଦୁଝରରେ ୧୭.୩ ଏବଂ ଭୁବନେଶ୍ବରରେ ୮.୪ ମିମି ବର୍ଷ ରେକର୍ଡ କରାଯାଇଛି।

ଅନ୍ୟପଟରେ ସୋର ଓ ସିମୁଳିଆ ବ୍ଲକର ସୀମାନ୍ତରେ ପ୍ରବାହିତ କାଂଶବାଂଶ ବିପଦରେଖା ପାଖାପାଖି ହେବାକୁ ବସିଲାଣି। ସେହିପରି ଧାମନଗର ଅଞ୍ଚଳରେ ଲଗାଣ ବର୍ଷା କାରଣରୁ ରାସ୍ତାରେ ୨ ଫୁଟର ପାଣି ଜମିଥିବାରୁ ଯାତାୟାତ ଏକପ୍ରକାର ଠପ୍ ହୋଇଛି। ଜୟନଗର ରାସ୍ତାରେ ମଧ୍ୟ ବର୍ଷା ପାଣି ଜମିଥିବାରୁ ପ୍ରାୟ ୧୫ ପରିବାର ଜଳବନ୍ଦୀ ଭଳି ସ୍ଥିତିରେ ରହିଥିଲେ।

ସେପଟେ ଦାନା ପ୍ରଭାବରେ ରାଜ୍ୟରେ ବ୍ୟାପକ ପରିମାଣରେ ଫସଲ ହାନୀ ଘଟିଛି। ୨ ଲକ୍ଷ ୮୦ ହଜାର ଏକର ଜମି ପାଣିରେ ବୁଡ଼ି ରହିଥିବା ବେଳେ ପ୍ରାଥମିକ ଆକଳନ ଅନୁସାରେ, ୧ ଲକ୍ଷ ୭୫ ହଜାର ଏକର ଜମିରେ ଫସଲ କ୍ଷତିଗ୍ରସ୍ତ ହୋଇଛି ।

Leave A Reply

Your email address will not be published.