Latest Odisha News

ଆଜି ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ, ଏହିସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା

ଭୁବନେଶ୍ବର : ଆଜି ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଆଉ ଏକ ଲଘୁଚାପ କ୍ଷେତ୍ର। ପୂର୍ବ କେନ୍ଦ୍ରୀୟ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆଗାମୀ ଦୁଇ ଦିନରେ ଏହା ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ର ପ୍ରଦେଶ ଆଡ଼େ ମୁହାଁଇବ। ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ନିକଟରେ ଏହା ପହଞ୍ଚିବ। ଏହାର ପ୍ରଭାବରେ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଆଜି ୪ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ସତର୍କତା ଜାରି କରାଯାଇଛି। ତେବେ ସେସବୁ ଜିଲ୍ଲା ଗୁଡିକ ହେଉଛି ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଏବଂ ରାୟଗଡା। ଲଘୁଚାପ ପ୍ରଭାବରେ ରାଜ୍ୟରେ ବଢିବ ବର୍ଷାର ପରିମାଣ । ଏସବୁ ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ଯାଏ ବର୍ଷା ହୋଇପାରେ ।

ସେହିପରି ଏହି ଦୁଇଦିନ ପ୍ରବଳ ବର୍ଷା ସମ୍ଭାବନା ଥିବା ୯ ଜିଲ୍ଲାକୁ ୟେଲୋ ଆଲର୍ଟ ଦିଆଯାଇଛି । ସେହି ସବୁ ଜିଲ୍ଲା ଗୁଡିକ ହେଉଛି ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର, ବୌଦ୍ଧ, ପୁରୀ, ଖୋର୍ଦ୍ଧା, ନୟାଗଡ଼, କେନ୍ଦ୍ରାପଡ଼ା, ନୂଆପଡ଼ା, କଟକ ଏବଂ ଜଗତସିଂହପୁର ଜିଲ୍ଲାରେ ୭ରୁ ୧୧ ସେମି ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ସେପ୍ଟେମ୍ବର ପହିଲାରୁ ବର୍ଷା ପ୍ରଭାବ ରାଜ୍ୟରେ କମିବ। ଏହି ଦୁଇ ଦିନ ସମୁଦ୍ର ଅଶାନ୍ତ ରହିବା ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ତଳିଆ ଅଞ୍ଚଳରେ ବର୍ଷା ପାଣି ଜମିପାରେ। ପ୍ରବଳ ବର୍ଷା ଯୋଗୁଁ ଆଗକୁ ଦୃଶ୍ୟମାନ କମ ରହିବ। ସହରାଞ୍ଚଳଗୁଡିକରେ ନାଳରେ ପାଣି ନିଷ୍କାସିତ ହେବାରେ ସମସ୍ୟା ଆସିପାରେ। ଏଥିପାଇଁ ସତର୍କତା ଅବଲମ୍ବନ କରିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି। ସମ୍ପୃକ୍ତ ଜିଲ୍ଲାଗୁଡିକୁ ସତର୍କ ରହିବାକୁ ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Comments are closed.