ଭୁବନେଶ୍ୱର: ୨୪ଘଣ୍ଟା ମଧ୍ୟରେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଡ଼ିସେମ୍ବର ୨ରେ ଗଜପତି, ଗଞ୍ଜାମ, ପୁରୀ ଏବଂ ଜଗତସିଂହପୁରରେ ଗୋଟିଏ କି ଦୁଇଟି ସ୍ଥାନରେ ବର୍ଷା ହୋଇପାରେ ବୋଲି ସୂଚନା ମିଳିଛି ।
ଭାରତୀୟ ପାଣିପାଗ କେନ୍ଦ୍ରର ବର୍ତ୍ତମାନ ସୁଦ୍ଧା ଆକଳନ ଅନୁଯାୟୀ, ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଗଭୀର ଅବପାତରେ ପରିଣତ ହେବ ବୋଲି ବର୍ତ୍ତମାନ ସୁଦ୍ଧା ପ୍ରାୟ ସ୍ପଷ୍ଟ ହେଲାଣି । କିନ୍ତୁ ଏହା ବାତ୍ୟାର ରୂପ ନେବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଆଇଏମଡ଼ି ଡ଼ିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଏହି ଲଘୁଚାପ କ୍ଷେତ୍ର ସାଇକ୍ଲୋନିକ୍ ଡ଼ିଷ୍ଟର୍ବାନ୍ସରେ ପରିଣତ ହେବା ନେଇ ବହୁତ ସମ୍ଭାବନା ରହିଛି । ଯଦି ଏହା ବାତ୍ୟାର ରୂପ ନିଏ, ତାହେଲେ କେଉଁ ଅଞ୍ଚଳ ଦେଇ ଅତିକ୍ରମ କରିବ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।
ଆଇଏମଡ଼ିର ସୂଚନା ଅନୁଯାୟୀ, ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ କ୍ଷେତ୍ରଟି ଧୀରେଧୀରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ୨ତାରିଖବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ପହଞ୍ଚିବ । ଏହା ପ୍ରଭାବରେ ଆସନ୍ତା ୨ତାରିଖରୁ ବଙ୍ଗୋପସାଗର ଅଶାନ୍ତ ରହିବ । ମସ୍ତ୍ର୍ୟଜୀବୀମାନେ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି । ଲଘୁଚାପ ସୃଷ୍ଟି ହେବା ପରେ ହିଁ ଏହାର ପ୍ରଭାବ କଣ ରହିବ, ତାହା ଜଣାପଡ଼ିବ । ଆସନ୍ତା ୪ତାରିଖ ବେଳକୁ ଏହା ଘନୀଭୂତ ହୋଇ ଉପକୂଳମୁହାଁ ହୋଇପାରେ । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । ବିଶେଷକରି ସମସ୍ତ ଉପକୂଳ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ସମ୍ଭାବ୍ୟ ଲଘୁଚାପ ନେଇ ସତର୍କ ରହିବାକୁ ସବୁ ଜିଲ୍ଲାପାଳଙ୍କୁ ଏସଆରସି ଚିଠି ଲେଖିଛନ୍ତି । ସେ ଲେଖିଛନ୍ତି, ଲଘୁଚାପ ଯୋଗୁଁ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ସମସ୍ତ ସ୍ଥିତିର ମୁକାବିଲା କରିବାକୁ ପ୍ରସ୍ତୁତ ରହିବାକୁ ହେବ । ଲଘୁଚାପ ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ବିଶେଷକରି ଦକ୍ଷିଣ ଉପକୂଳ ସହ ୬ଟି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଲଘୁଚାପ ପ୍ରଭାବରେ ଜଗତସିଂହପୁର, କେନ୍ଦ୍ରାପଡ଼ା, କନ୍ଧମାଳ, ମାଲକାନଗିରି, କୋରାପୁଟ ଓ ରାୟଗଡ଼ାରେ ଡ଼ିସେମ୍ବର ୨ ଓ ୩ତାରିଖରେ ବର୍ଷା ହୋଇପାରେ । ସମୁଦ୍ର ଅଶାନ୍ତ ରହିବାକୁ ଥିବାରୁ ମସ୍ତ୍ର୍ୟଜୀବୀମାନେ ଏହା ପୂର୍ବରୁ ସମୁଦ୍ରରୁ ଫେରିଆସିବାକୁ କୁହାଯାଇଛି ।
Comments are closed.