Cyclone Montha: ବାତ୍ୟା ମୋନ୍ଥାର ପ୍ରଭାବ: ଗଜପତିରେ ପବନ ସହ ପ୍ରବଳ ବର୍ଷା, ୯୪୬ ଜଣଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର
ଗଜପତି: ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ବାତ୍ୟାର ପ୍ରଭାବ ଗଜପତିରେ ଦେଖିବାକୁ ମିଳିଛି। ଗଜପତି ଜିଲ୍ଲାର ସବୁ ଅଞ୍ଚଳରେ ଆରମ୍ଭ ହୋଇଛି ବର୍ଷା। ଆସନ୍ତାକାଲି ଗଜପତିକୁ ରେଡ ଆଲର୍ଟ ଥିବାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ସୁଦ୍ଧା ୯୪୬ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି। ମୋଟ ୪୦୦୦ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯିବାକୁ ଲକ୍ଷ୍ୟ ରଖାଯାଇଛି।
ଅଗ୍ନିଶମ ବିଭାଗର ୭ଟି ଟିମ୍, ଓଡ୍ରାଫର ୩ଟି ଟିମ୍ ସଜାଗ ଅଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ମଧୁମିତା। ସେହିପରି ବାତ୍ୟା ମୁକାବିଲା ପାଇଁ ଅଗ୍ନିଶମ ବିଭାଗ ମଧ୍ୟ ପ୍ରସ୍ତୁତ ହୋଇଛି। ଭୂସ୍ଖଳନ ହେଉ କି ଗଛ ଉପୁଡିବା କିମ୍ବା ବିଦ୍ୟୁତ ଖୁଣ୍ଟ ଉପୁଡିବା ହେଉ ଯେଉଁ ଭଳି ମଧ୍ୟ ବିପର୍ଯ୍ୟୟ ହେଲେ ଅଗ୍ନିଶମ ବିଭାଗ ମୁକାବିଲା କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ଜିଲ୍ଲାରେ ୯୪୬ ଜଣଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ୯୧ ଜଣ ଗର୍ଭବତୀଙ୍କୁ ମଧ୍ୟ କରାଗଲା ସ୍ଥାନାନ୍ତର। ଝିପିଝିପି ବର୍ଷାରେ ସ୍ଥାନାନ୍ତର କଲା ପ୍ରଶାସନ। ଜିଲ୍ଲାରେ ୧୩୯ ଭୂସ୍ଖଳନ ପ୍ରବଣ ଅଞ୍ଚଳ ଚିହ୍ନଟ ହୋଇଛି।
ଅନ୍ୟପଟେ ଅଧିକ ବର୍ଷା ଥିବାରୁ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଆଶଙ୍କା ରହିଛି। ଏନେଇ ସୂଚନା ଦେଲେ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ। ଗଜପତି ଜିଲ୍ଲାରେ ୩/୪ଟି ବ୍ଲକ୍ରେ ଭୂସ୍ଖଳନ ଆଶଙ୍କା ରହିଛି। ରାୟଗଡ଼ା, ମାଲକାନଗିରିରେ ମଧ୍ୟ ଭୂସ୍ଖଳନ ଆଶଙ୍କା ରହିଛି। ପାହାଡ଼ ପାଦ ଦେଶରେ ଥିବା ଲୋକେ ଆଶ୍ରୟସ୍ଥଳକୁ ଯିବାକୁ ପରାମର୍ଶ ଦିଆଯାଇଛି। ମାଟି ଓଦା ଥିବାରୁ ଅଧିକ ବର୍ଷା ହେଲେ ମାଟି ଧସିପାରେ। ଆମ ପାଇଁ ଏଥର ପବନ ଅପେକ୍ଷା ବର୍ଷା ଅଧିକ ଚ୍ୟାଲେଞ୍ଜ୍। ୧୩୦ଟି ଟିମ୍ ପ୍ରସ୍ତୁତ ହୋଇ ରହିଛି, ପରିସ୍ଥିତିକୁ ମୁକାବିଲା କରିବୁ ବୋଲି କହିଛନ୍ତି ଡିଜି।
Comments are closed.