Latest Odisha News

BREAKING NEWS

Weather Update : ଆସନ୍ତା ୭ ଦିନ ଏସବୁ ରାଜ୍ୟରେ ପ୍ରବଳ ବର୍ଷା

ଭୁବନେଶ୍ବର: ଦେଶରେ ଏବେ ଆକ୍ଟିଭ୍ ମୋଡ୍‌ରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। କେରଳ ଉପକୂଳ ଛୁଇଁବା ପରେ ଏବେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି ମନ୍‌ସୁନ୍। ଭାରତୀୟ ପାଣିପାଗ ବିଭାଗ, IMD ର ସୂଚନା ଅନୁସାରେ, ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଦେଶର ଏକାଧିକ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ଦକ୍ଷିଣ ଭାରତର ୫ଟି ପ୍ରମୁଖ ରାଜ୍ୟ ପାଇଁ ଜାରି ହୋଇଛି ହାଇ ଆଲର୍ଟ। କେତେକ ଜିଲ୍ଲା ପାଇଁ ଅରେଞ୍ଜ ତ ଆଉ କେଉଁଠି ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।

ସାରା ଦେଶକୁ ଭିଜାଇବାକୁ ମାଡ଼ି ଆସୁଛି ମୌସୁମୀ। ଗତ ବର୍ଷ ତୁଳନାରେ ଚଳିତ ବର୍ଷ କେରଳ ଉପକୂଳକୁ ମୌସୁମୀ ସାମାନ୍ୟ ବିଳମ୍ବରେ ଛୁଇଁଥିଲେ ସୁଦ୍ଧା, ଏବେ ଏହାର ସକ୍ରିୟତା ବେଶ୍ ବଢ଼ିବାରେ ଲାଗିଛି। ଆସନ୍ତା ଏକ ସପ୍ତାହ ମଧ୍ୟରେ କେରଳ, କର୍ଣ୍ଣାଟକ, ତାମିଲନାଡୁ, ପୁଡୁଚେରୀ, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ବ୍ୟାପକ ବର୍ଷା ଦେଖିବାକୁ ମିଳିବ।

ପାଣିପାଗ ବିଭାଗର ଆକଳନ ଅନୁସାରେ, କେରଳ ଏବଂ କର୍ଣ୍ଣାଟକର ଅଧିକାଂଶ ଭାଗରେ ମଧ୍ୟମରୁ ପ୍ରବଳ ବର୍ଷା ଜାରି ରହିବ। ଆଇଟି ସିଟି ବେଙ୍ଗାଲୁରୁ ଏବଂ ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ପାଣିପାଗରେ ବଡ଼ ପରିବର୍ତ୍ତନ ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହାଫଳରେ ତାପମାତ୍ରା ହ୍ରାସ ପାଇବା ସହ ସ୍ଥାନୀୟ ଅଞ୍ଚଳରେ ଶୀତଳ ପବନ ବହିବ।

ଅପରପକ୍ଷରେ ତାମିଲନାଡୁ ଏବଂ ପୁଡୁଚେରୀ ପାଇଁ ମଧ୍ୟ ଆଲର୍ଟ ଜାରି କରାଯାଇଛି। ଜୁନ୍ ୮ ରୁ ୧୦ ତାରିଖ ମଧ୍ୟରେ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ପବନ ସହ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଆନ୍ଧ୍ରପ୍ରଦେଶରେ ଆସନ୍ତା ୨ ରୁ ୩ ଦିନ ପର୍ଯ୍ୟନ୍ତ ଘଣ୍ଟାପ୍ରତି ୫୦ ରୁ ୬୦ କିଲୋମିଟର ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ଓ ବଜ୍ରପାତର ଚେତାବନୀ ଦିଆଯାଇଛି। ପ୍ରଶାସନ ପକ୍ଷରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି।

ସବୁଠୁ ବଡ଼ ଚେତାବନୀ ଆସିଛି ତେଲେଙ୍ଗାନାରୁ। ତେଲେଙ୍ଗାନାର ଏକାଧିକ ଜିଲ୍ଲା ପାଇଁ ପାଣିପାଗ ବିଭାଗ ‘ରେଡ୍ ଆଲର୍ଟ’ ଜାରି କରିଛି। ତେବେ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସାଧାରଣ ଜନତା ସୁରକ୍ଷିତ ସ୍ଥାନରେ ରହିବାକୁ ଏବଂ ବଜ୍ରପାତରୁ ରକ୍ଷା ପାଇବା ପାଇଁ ଆବଶ୍ୟକ ସାବଧାନତା ଅବଲମ୍ବନ କରିବାକୁ ଅପିଲ୍ କରିଛି ପାଣିପାଗ ବିଭାଗ।

 

Leave A Reply

Your email address will not be published.