Latest Odisha News

BREAKING NEWS

ବର୍ଷାରେ ବେହାଲ ରାଜଧାନୀ: ସମସ୍ୟାର ସମାଧାନ ନୂଆ ସରକାର ପାଇଁ ବଡ଼ ଆହ୍ବାନ୍

ଭୁବନେଶ୍ୱର: ରାଜଧାନୀରେ କେଇ ଘଣ୍ଟା ବର୍ଷା ହେଲା ମାତ୍ରେ ସ୍ଥିତି ଏପରି ହେଉଛି ଯେ ଯେପରି ଉଛୁଳା ବର୍ଷା ପାଣିରେ ଭାସିବା ସ୍ଥିତିକୁ ଆସି ଯାଉଛି ରାଜଧାନୀ। ସଠିକ୍ ଢଙ୍ଗରେ ବର୍ଷା ପାଣି ନିଷ୍କାସନ ହୋଇପାରୁନଥିବାରୁ ଏପରି ଏକ ସମସ୍ୟା ଦୀର୍ଘ ବର୍ଷ ହେବ ରାଜଧାନୀରେ ଦେଖିବାକୁ ମିଳୁଛି। ଏହି ସମସ୍ୟାକୁ ନେଇ ବିଭିନ୍ନ ସମୟରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଏଯାବତ ସୁଫଳ ମିଳିନାହିଁ। ଏହାରି ଭିତରେ କିନ୍ତୁ ପ୍ରତିବାଦ କରୁଥିବା ରାଜନୈତିକ ଦଳ ଏବେ ଶାସନ ଗାଦିରେ ବସିଛି।

ଆଜି ଅପରାହ୍ନରେ ହୋଇଥିବା ବର୍ଷାରେ ରାଜଧାନୀ ଉଛୁଳିଲା ଭଳି ସ୍ଥିତି ଦେଇ ଗତି କରୁଥିଲା। ପଳାଶୁଣୀରୁ ରସୁଲଗଡ ହେଉ ଅବା ନୟାପଲ୍ଲୀ ଥାନାରୁ ସିଆରପି ରାସ୍ତାରେ ଥିବା ଇସ୍କନ ମନ୍ଦିର ଆଗରେ ଯେଉଁଭଳି ପାଣି ଲହଡି ଭାଙ୍ଗୁଥିଲା ତାହା ଚିନ୍ତାଜନକ। କିଏ ନିଜ ସ୍କୁଟିକୁ ଟାଣି ଟାଣି ନେଉଥିଲେ ତ ଆଉ କାହାର ଗାଡିରେ ପାଣି ପଶିଯାଇଥିବାରୁ ସେ କିଭଳି ପାଣି ଭିତରୁ ବାହାରିବେ ଚିନ୍ତାରେ ପଡ଼ିଯାଇଥିଲେ। ସେହିପରି ଇସ୍କନ ମନ୍ଦିର ଆଗରେ ଅନେକ ବସ ପାଣିରେ ପସିଯିବା ପରେ ହରଡଘଣାରେ ପଡ଼ିଥିଲେ। ବସ ଗୁଡିକ ରାସ୍ତା ମଝିରେ ଅଟକି ହୋଇ ରହିଥିବା ଦେଖିବାକୁ ମିଳିଥିଲା। ଇଏ ଥିଲା ରାଜଧାନୀ ରାଜରାସ୍ତାର ଚିତ୍ର।

ସମାନ ପରିସ୍ଥିତି ବସ୍ତି ଅଞ୍ଚଳରେ ମଧ୍ୟ ଦେଖିବାକୁ ମିଳିଥିଲା। ପାଣି ଠିକ୍ ଭାବେ ନାଳରେ ପାସ କରୁନଥିବାରୁ ସ୍ଥିତି ଚିନ୍ତାଜନକ ଥିଲା। ଏବେ ବି ଅନେକ ସ୍ଥାନରେ ନାଳ ମୁକୁଳା ରହିଛି। ବ୍ୟାରିକେଡ୍ ହୋଇନାହିଁ। ଯଦିଓ ଗତ ସପ୍ତାହରେ ଏକ ଛୋଟ ଛୁଆ ପ୍ରାଣ ହରାଇବା ପରେ ନୂଆ ସରକାର ତତ୍ପରତା ଦେଖାଇ ନାଳ ପାଖରେ ବ୍ୟାରିକେଡ୍ ଓ ମୁକୁଳା ଡ୍ରେନ୍ ବୁଜିବା ଉପରେ ଜୋର ଦେଇଛି ।

କିନ୍ତୁ ରାଜଧାନୀକୁ ସବୁଠୁ ବଡ଼ ଚିନ୍ତା ବର୍ଷା ହେଲା ମାତ୍ରେ ପାଣି ରାସ୍ତା ଉପରେ ଲହଡ଼ି ଭାଙ୍ଗିବା। କୁହାଯାଏ ରାସ୍ତା ଚାରିକଡରେ ଯେଉଁଭଳି ଘର ତିଆରି ହୋଇଛି ତାହା ଡ୍ରେନେଜ୍ ସମସ୍ୟାକୁ ଦୁଇ ଗୁଣିତ କରିଛି। ସଠିକ୍ ପ୍ଲାନରେ ହୋଇନଥିବାରୁ ବର୍ଷା ପାଣି ନାଳରେ ପ୍ରବେଶ ନକରିପାରି ରାସ୍ତା ଉପରେ ଯାଉଛି।

ବଡ଼କଥା ହେଲା ତତ୍କାଳୀନ ବିଜେଡି ସରକାର ଆଗରେ ଏହା ଏକ ବଡ ସମସ୍ୟା ଥିଲା। ବିଜେପି ଏହାକୁ ଅନେକ ଥର ପ୍ରସଙ୍ଗ କରି ସରକାରକୁ ଘେରିଛି। ଯଦିଓ ଏବେ ମହାନଗର ନିଗମ ବିଜେଡି ହାତରେ ରହିଛି କିନ୍ତୁ କ୍ଷମତାରେ ବସିଛି ବିଜେପି। ତେଣୁ ସମସ୍ୟାର ସମାଧାନ କିଭଳି କରୁଛି ବିଜେପି ସରକାର ତାକୁ ଅପେକ୍ଷା।

Comments are closed.