Latest Odisha News

ରାଜ୍ୟରେ ବର୍ଷା ବିତ୍ପାତ, ଫୁଲୁଛି ନଦୀ, ଯାତାୟାତ ଠପ୍

ଭୁବନେଶ୍ୱର: ଗତ କିଛି ଦିନ ହେବ ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା। ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା କାରଣରୁ ନଦୀ ନାଳ ଫୁଲିବାରେ ଲାଗିଛି। ଏପଟେ ବଙ୍ଗୋପସାଗର ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ କ୍ଷେତ୍ର। ଫଳରେ ରାଜ୍ୟରେ ଆଗକୁ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ସେପଟେ ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ହୀରାକୁଦର ଜଳସ୍ତର ମଧ୍ୟ ବଢିବାରେ ଲାଗିଛି।  ଆସନ୍ତା କାଲି ହୀରାକୁଦରୁ ଛଡାଯିବ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ। ଫଳରେ ଛୋଟ ବନ୍ୟା ଆଶଙ୍କା କରିଛି ପାଣିପାଗ ବିଭାଗ। ସେଥିପାଇଁ ତଳିଆ ଅଞ୍ଚଳର ଲୋକ ଭୟଭୀତ ହୋଇ ରହିଛନ୍ତି।

ଅନ୍ୟପଟେ ଲଗାଣ ବର୍ଷାରେ କେନ୍ଦୁଝର ଜିଲ୍ଲା ତେଲ ନଦୀ ପୋଲଉପରେ ୪ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି। ଫଳରେ କେନ୍ଦୁଝର-ମୟୁରଭଞ୍ଜ ଜିଲାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ବର୍ଷା ଜଳରେ ପୋଲ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା କ୍ରେନ୍‌ ଭାସି ଯାଇଛି। ଅନ୍ୟପକ୍ଷେ ରାସ୍ତାର ଉଭୟ ପାର୍ଶ୍ୱରେ ଗାଡ଼ି ମୋଟର ଅଟକି ରହିଛି। ଅନ୍ୟପଟେ କୋରାପୁଟ ଓ ମାଲକାନଗିରିରେ ଲାଗିରହିଛି ବର୍ଷା। ଫଳରେ ଗୋଦାବରୀ ନଦୀ ଫୁଲିବାରେ ଲାଗିଛି। ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ବି ଲାଗିରହିଛି।ବର୍ଷା ପାଇଁ ଅନେକ ସ୍ଥାନରେ ବିଦ୍ୟୁତ ଓ ମୋବାଇଲ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି।

ଅନ୍ୟପଟେ ସୃଷ୍ଟ ଲଘୁଚାପ ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ଉତ୍ତର ବଙ୍ଗୋପସାଗର, ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଓଡ଼ିଶା ଉପକୂଳରେ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ସହ ପାଗ ଖରାପ ରହିବ ବୋଲି ଆଇଏମଡି ପକ୍ଷରୁ ସତର୍କ କରାଯାଇଛି। ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ଏହି ଅଞ୍ଚଳରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବାକୁ ସତର୍କ କରାଯାଇଛି।

Comments are closed.