Latest Odisha News

ଭୟଙ୍କର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁ, ୧୭ ଘଣ୍ଟା ପରେ ଠାବ ହେଲା ହେଲିକପ୍ଟର

ଦୁବାଇ:ହେଲିକପ୍ଟର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ମୃତ୍ୟୁ। ଆଜରବାଇଜାନ୍‌ ନିକଟରେ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗତକାଲିଠୁ ନିଖୋଜ ଥିବା ହେଲିକପ୍ଟର ୧୭ ଘଣ୍ଟା ପରେ ଠାବ କଲା ଇରାନ ସେନା। ଉଦ୍ଧାର କାର୍ଯ୍ୟରେ ୪୦ ଟିମ୍ ନିୟୋଜିତ ଥିଲେ। ତେବେ ଦୁର୍ଘଟଣା ପରେ ହେଲିକପ୍ଟରଟି ସମ୍ପୂର୍ଣ୍ଣ ଜଳିଯାଇଛି। ରାଷ୍ଟ୍ରପତି ରାଇସିଙ୍କ ମୃତ୍ୟୁ ନେଇ ଇରାନ ଗଣମାଧ୍ୟମର ସୂଚନା ଦେଇଛି।

ରବିବାର ଇରାନ ରାଷ୍ଟ୍ରପତି ଇବ୍ରାହିମ୍ ରଇସି ଆଜରାବୈଜାନରୁ ଫେରୁଥିବାବେଳେ ତାଙ୍କ ହେଲିକାପ୍ଟର ପୂର୍ବ ଆଜରାବୈଜାନ ସୀମାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଘଟଣା ଘଟି ୧୭ ଘଣ୍ଟା ବିତିଯାଇଥିଲେ ସୁଦ୍ଧା ରାଷ୍ଟ୍ରପତିଙ୍କ କୌଣସି ସନ୍ଧାନ ପାଇପାରିନଥିଲା ଉଦ୍ଧାରକାରୀ ଟିମ୍। ହେଲିକପ୍ଟରରେ ଇରାନ ବୈଦେଶିକ ମନ୍ତ୍ରୀ ଆମୀର ଅବଦୁଲ୍ଲାହିୟନ, ପର୍ବ ଅଜରାବୈଜାନର ଗଭର୍ଣ୍ଣର ମାଲେକ ରହମତି, ଓ ଧାର୍ମିକ ନେତା ମୋହମ୍ମଦ ଅଲି ଆଲେ ହାସେମ୍ ଆଦି ଥିଲେ । ଦୁର୍ଘଟଣାପରେ ସେମାନଙ୍କର ମଧ୍ୟ ମୃତ୍ୟୁ ଘଟିଥିବା କୁହାଯାଉଛି ।

ସୂଚନା ଅନୁଯାୟୀ, ଇରାନର ରାଜଧାନୀ ତେହେରାନଠାରୁ ପ୍ରାୟ ୬୦୦ କିଲୋମିଟର (୩୭୫ ମାଇଲ) ଉତ୍ତର ଆଜେରବାଇଜାନ ଦେଶ ସୀମାରେ ଥିବା ସହର ଜୋଲଫା ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ରବିବାର ଭାରତୀୟ ସମୟ ଅନୁସାରେ ଦିନ ୩ଟା ସମୟ ପାଖାପାଖି ଇରାନ ରାଷ୍ଟ୍ରପତି ଆଜରାବୈଜାନରୁ ଫେରୁଥିଲେ। ଏହି ସମୟରେ ତାଙ୍କ ହେଲିକାପ୍ଟର ପୂର୍ବ ଆଜରାବୈଜାନ ସୀମାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତାଙ୍କ ସହ ଆଉ ୨ଟି ହେଲିକପ୍ଟର ଥିବାବେଳେ ସେଗୁଡିକ ଫେରିଆସିଥିଲା । କିନ୍ତୁ ଇବ୍ରାହିମଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ନିଖୋଜ ହୋଇଯାଇଥିଲା । ତେବେ ଗତକାଲିଠାରୁ ଆଜି ପର୍ଯ୍ୟନ୍ତ ଉଦ୍ଧାରକାର୍ଯ୍ୟରେ ୪୦ଟି ଟିମ୍ ଲାଗିଥିବା ବେଳେ ଖରାପ ପାଗ ଯୋଗୁଁ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରୁନଥିବା ସୂଚନା ରହିଛି ।

ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆ ଏକ୍ସରେ ଟୁଇଟ୍ କରି କହିଛନ୍ତି ଯେ ରାଷ୍ଟ୍ରପତି ରାଇସିଙ୍କ ହେଲିକପ୍ଟର ଉଡ଼ାଣ ସମ୍ପର୍କିତ ରିପୋର୍ଟକୁ ନେଇ ସେ ଅତ୍ୟନ୍ତ ଚିନ୍ତିତ। ଏହି ସଙ୍କଟ ସମୟରେ ଆମେ ଇରାନର ଲୋକଙ୍କ ସହ ଏକତାରେ ଛିଡା ହୋଇ ରାଷ୍ଟ୍ରପତି ଏବଂ ତାଙ୍କ ସହଯୋଗୀଙ୍କ ମଙ୍ଗଳ କାମନା ପାଇଁ ପ୍ରାର୍ଥନା କରୁଛୁ।

 

Comments are closed.