Latest Odisha News

BREAKING NEWS

କେଦାରନାଥରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ପାଇଲଟଙ୍କ ସହ ୬ ଜଣଙ୍କ ମୃତ୍ୟୁ

ଡେରାଡୁନ୍: କେଦାରନାଥରେ ବଡ଼ ଦୁର୍ଘଟଣା । ହେଲିକପ୍ଟର ଦୁର୍ଘଟଣାରେ ପାଇଲଟଙ୍କ ସହ ୬ ଜଣଙ୍କ ମୃତ୍ୟୁ ହୋଇଛି । କେଦାରନାଥ ଠାରୁ ମାତ୍ର ୨ କିଲୋମିଟର ଦୂର ଗରୁଡ଼ଚଟିରେ ଏହି ଦୁର୍ଘଟଣା ଘଟିଛି । ଖରାପ ପାଣିପାଗ ଯୋଗୁଁ ହେଲିକପ୍ଟର ଦୁର୍ଘଟଣା ଘଟିଥିବା କୁହାଯାଉଛି । ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପ୍ରମୁଖ ସଚିବ ଅଭିନବ କୁମାର ସୂଚନା ଦେଇଛନ୍ତି ।

ଦୁର୍ଘଟଣାଗ୍ରସ୍ତ ହୋଇଥିବା ହେଲିକପ୍ଟରଟି ଆର୍ୟନ କମ୍ପାନୀର ବୋଲି ଜଣାପଡ଼ିଛି । ହେଲିକପ୍ଟରଟି ଗୁପ୍ତକାଶୀରୁ କେଦାରନାଥ ଅଭିମୁଖେ ଉଡ଼ାଣ ଭରିଥିଲା । ହେଲିକପ୍ଟରରେ ପାଇଲଟଙ୍କ ସହ ୬ ଜଣ ଥିବାବେଳେ ସମସ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । କେଦାରନାଥ ଘାଟି ଆଡ଼କୁ ହେଲିକପ୍ଟରଟି ଯାଉଥିବା ବେଳେ ଗରୁଡ଼ଚଟିରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ହେଲିକପ୍ଟରଟି ତଳେ ଖସି ପଡ଼ିବା ସହ ନିଆଁ ଲାଗି ଯାଇଥିଲା । କେଦାରନାଥରେ ପ୍ରବଳ ବର୍ଷା ହେଉଥିବା ଜଣାପଡ଼ିଛି । ମାତ୍ର ୧୫ ମିନିଟରେ ପାଗରେ ଅଚାନକ ପରିବର୍ତ୍ତନ ଆସିଛି । ଫଳରେ ଅନେକ ଉଡ଼ାଣକୁ ବାତିଲ୍ କରି ଦିଆଯାଇଛି । ଆସନ୍ତା ୨୧ ଓ ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେଦାରନାଥ ଓ ବଦ୍ରିନାଥ ଗସ୍ତ କରିବା ପୂର୍ବରୁ ଏହି ଦୁର୍ଘଟଣା ଘଟିଛି ।

Leave A Reply

Your email address will not be published.