Latest Odisha News

BREAKING NEWS

ଅସହାୟ କଳ୍ପନାଙ୍କୁ ପରିହାସ କରୁଛି ମାଳ ମାଳ ସରକାରୀ ଯୋଜନା

ଯାଜପୁର: ଏ ହେଉଛି ଏମିତି ଏକ ପରିବାର, ଯେଉଁ ପରିବାର କଥା କହିଲେ ଯେ କୌଣସି ବ୍ୟକ୍ତିର ଆଖିରୁ ଆପେ ଆପେ ଲୁହ ଝରି ଆସିବ। ହେଉଛି ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ନୀଳମଣିଦେଇପୁର ଶାସନ ଗାଁର କଳ୍ପନା ଖଟ୍ଟୁଆଙ୍କ ପରିବାରର କରୁଣ କାହାଣୀ।

ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସା ଅଭାବରୁ ଗତ ଦୁଇ ମାସ ହେବ ସ୍ବାମୀ ବିଚିତ୍ର ଖଟ୍ଟୁଆଙ୍କ ମୃତ୍ୟୁ ହୋଇଯାଇଛି। କଳ୍ପନା ଙ୍କ ୬ ପିଲା। ୫ ଝିଅ ଓ ଗୋଟିଏ ପୁଅ। ସ୍ବାମୀ ସିନା ଆରପାରିକୁ ଚାଲିଗଲେ, ହେଲେ ଛାଡିଗଲେ ଅନେକ ଦୁଃଖ। ଏବେ ୬ ପିଲାଙ୍କୁ ଧରି ଅତି ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି କଳ୍ପନା।

ନା ଅଛି ମୁଣ୍ଡ ଗୁଞ୍ଜିବାକୁ ଘର, ନା ଅଛି ଖାଇବାକୁ ଦୁଇଓଳି ଦୁଇ ମୁଠା ଦାନା। ନିଜ ଝାଟିମାଟିର ଘର ଭାଙ୍ଗିଯିବା ପରେ ୬ ପିଲାଙ୍କୁ ଧରି ସେ ଏବେ ପର ଘରେ ମୁଣ୍ଡ ଗୁଞ୍ଜିଛନ୍ତି। ସେହିପରି ପେଟକୁ ଦାନା ଯୋଗାଇବା ପାଇଁ ପର ହାତଟେକା ଉପରେ ସମ୍ପୂର୍ଣ୍ଣ ନିର୍ଭର ଏହି ଅସହାୟ ପରିବାର।

ନା ତାଙ୍କୁ ମିଳୁଛି ବିଧବା ଭତ୍ତା ନା ଆବାସ ଯୋଜନାରେ ଖଣ୍ଡେ ଘର। ଏମିତିକି ୬ ପିଲାଙ୍କ ମଧ୍ୟରୁ କେବଳ ଜଣେ ପାଠ ପଢୁଛି। ସରକାରୀ ସହାୟତା କହିଲେ କେବଳ ମାସିକ ରାସନ ସାମଗ୍ରିକୁ ଛାଡିଦେଲେ ଆଉ କିଛି ନାହିଁ। ଅସହାୟ ଗରିବ ଗୁରୁବାଙ୍କ ପାଇଁ ସରକାର ମାଳ ମାଳ ଯୋଜନା କରୁଛନ୍ତି ।

ହେଲେ ଏ ସବୁ ଯୋଜନା ଯେପରି ପ୍ରହସନ ପାଲିଟିଛି କଳ୍ପନାଙ୍କ ଭଳି ଅସହାୟ ମହିଳାଙ୍କ ପାଇଁ । ଅତି ଦୟନୀୟ ଅବସ୍ଥାରେ କଳ୍ପନା ଓ ତାଙ୍କ ପିଲାମାନେ ଜୀବନ ବିତାଉଥିବା ବେଳେ ସରକାରୀ ସହାୟତା ସମୁଦ୍ରକୁ ଶଙ୍ଖେ। ତେଣୁ ତୁରନ୍ତ ତାଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ସରକାରଙ୍କ ନିକଟରେ ଗୁହାରି ଜଣାଇଛନ୍ତି ।

Comments are closed.