Latest Odisha News

ରାଗିଗଲେ ଜଗନ୍ନାଥ ପ୍ରେମୀ, ହେମାମାଳିନୀଙ୍କ ନାଁରେ ଥାନାରେ ଦେଲେ ଏତଲା

ପୁରୀ: ଶ୍ରୀମନ୍ଦିରକୁ ପ୍ରବେଶ କରି ଏବେ ବିବାଦରେ ବଲିଉଡ ଅଭିନେତ୍ରୀ ହେମାମାଳିନୀ । ଜଣେ ଅଣ ହିନ୍ଦୁ ହୋଇ କିପରି ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କଲେ, ତାକୁ ନେଇ ଏବେ ଅସନ୍ତୋଷ ସୃଷ୍ଟି ହୋଇଛି । ପୁରୀର ଜଗନ୍ନାଥ ମନ୍ଦିରରେ ପହଞ୍ଚିବା ପରେ ଏବେ ବଲିଉଡ୍ ଅଭିନେତ୍ରୀ ତଥା ବିଜେପି ସାଂସଦ ହେମାମାଳିନୀ ବିବାଦରେ ପଡ଼ିଛନ୍ତି କାରଣ ତାଙ୍କ ପ୍ରବେଶକୁ ଅବୈଧ ବୋଲି ଅଭିଯୋଗ କରି ଥାନାରେ ମାମଲା ରୁଜୁ କରାଯାଇଛି ।

ପୁରୀର ଏକ ସ୍ଥାନୀୟ ସଂଗଠନ ଶ୍ରୀ ଜଗନ୍ନାଥ ସେନା, ସିଂହଦ୍ୱାର ପୋଲିସ ଷ୍ଟେସନରେ ମଥୁରା ଲୋକସଭା ସଦସ୍ୟ ହେମା ମାଳିନୀଙ୍କ ବିରୁଦ୍ଧରେ ଏକ ଅଭିଯୋଗ ଦାଖଲ କରିଛନ୍ତି । ଯେଉଁଥିରେ ସେ ଦର୍ଶାଇଛନ୍ତି, ହେମାମାଳିନୀ ମୁସଲିମ ପରମ୍ପରା ଅନୁଯାୟୀ ଅଭିନେତା ଧର୍ମେନ୍ଦ୍ରଙ୍କ ସହିତ ବିବାହ କରି ଶ୍ରୀମନ୍ଦିର ମଧ୍ୟକୁ କିପରି ପ୍ରବେଶ କଲେ ? ଏପରି କରି ହିନ୍ଦୁଙ୍କ ଧାର୍ମିକ ଭାବନାକୁ ହେମା ଆଘାତ ଦେଇଛନ୍ତି ।

ଶ୍ରୀ ଜଗନ୍ନାଥ ସେନାର ସଂଯୋଜକ ପ୍ରିୟଦର୍ଶନ ପଟ୍ଟନାୟକଙ୍କ ଅଭିଯୋଗ ଅନୁଯାୟୀ, ସାଂସଦ ହେମାମାଳିନୀ ୧୯୭୯ ଅଗଷ୍ଟ ୨୧ରେ ମୁମ୍ବାଇରେ ମୁସଲିମ ପ୍ରଥା ଅନୁଯାୟୀ ବିବାହ କରିଥିଲେ। ମୌଲାନା କାଜି ଅବଦୁଲା ଫଉଜାବାଦି ନିକାହ କରାଇଥିଲେ। ହିନ୍ଦୁ ବିବାହ ଆଇନ ୧୯୫୫କୁ ଫାଙ୍କିବା ପାଇଁ ଧର୍ମେନ୍ଦ୍ର ଓ ସାଂସଦ ହେମାମାଳିନୀ  ଏହି ପନ୍ଥା ଆପଣଇଥିଲେ । ଧର୍ମେନ୍ଦ୍ର ପୂର୍ବରୁ ପ୍ରକାଶ କୌରଙ୍କୁ ବିବାହ କରିଥିଲେ ଓ ସେମାନଙ୍କର ୪ ଟି ସନ୍ତାନ ରହିଛନ୍ତି । ପରେ ଧର୍ମେନ୍ଦ୍ର ନିଜକୁ ଦିଲାୱର ଖାନ୍ କେଵଲ କ୍ରିଷ୍ଣ ଓ ହେମାମାଳିନୀ ନିଜକୁ ଆଇଶା ବିବି ଆର ଚକ୍ରବର୍ତ୍ତୀ ବୋଲି ଦର୍ଶାଇ ବିବାହ କରିଥିଲେ । ସେମାନଙ୍କର ଇଷା ଏବଂ ଆହାନା ନାମ ଦୁଇଟି ସନ୍ତାନ ମଧ୍ୟ ରହିଛନ୍ତି । ଧମେନ୍ଦ୍ର ବିକାନର ଲୋକସଭା ପାଇଁ ସାଂସଦ ନିମନ୍ତେ ନିର୍ବାଚନ ଲଢିବା ସମୟରେ ଏହି ତଥ୍ୟ ସାମ୍ନାକୁ ଆସିଥିଲା ।

ତେଣୁ ଅଣ ହିନ୍ଦୁ ହୋଇ ଜାଣି ଶୁଣି ସେ ଶ୍ରୀମନ୍ଦିର ଯାଇଥିବାରୁ ତାଙ୍କ ବିରୁଦ୍ଧରେ ୨୯୮, ୨୯୯, ୩୦୦, ୩୦୧, ୩୦୨ ବିଏନଏସ ଦଫା ସହ  ୬୧(୨)ବିଏନଏସଏସରେ ମାମଲା ରୁଜୁ କରି ତଦନ୍ତ କରିବା ପାଇଁ ଶ୍ରୀ ଜଗନ୍ନାଥ ସେନା ଦାବି କରିଛି । ହେମା ମାଳିନୀଙ୍କୁ ସଂସଦରୁ ବହିଷ୍କୃତ କରିବା ସହ ତାଙ୍କୁ ଶ୍ରୀମନ୍ଦିର ନେଇଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଆଇନଗତ ପଦକ୍ଷେପ ନେବା ପାଇଁ ଏତଲାରେ ଦାବି କରିଛି ଜଗନ୍ନାଥ ସେନା ।

ତେବେ ଏହି ହୋଲି ଉତ୍ସବରେ ହେମାମାଳିନୀ ଓଡିଶା ଆସିଥିବା ବେଳେ ହୋଲି ଦିନ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ ହେମାମାଳିନୀ । ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଛି ।

Leave A Reply

Your email address will not be published.