Latest Odisha News

BREAKING NEWS

‘ଝାରଖଣ୍ଡକୁ ଲୁଟିଛନ୍ତି ସୋରେନ୍ ସରକାର’, ଶାଣିତ ଆକ୍ରମଣ କରି ବର୍ଷିଲେ ମୋଦି

ରାଞ୍ଚି: ଆଜି ଝାରଖଣ୍ଡରେ ରୋଡ ଶୋ’ କରିବା ସହ ବୋକାରୋବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଉଦବୋଧନ ଆରମ୍ଭରୁ ହିଁ ହେମନ୍ତ ସୋରେନ୍ ସରକାରଙ୍କୁ ଶାଣିତ ଆକ୍ରମଣ କରିଛନ୍ତି । ସୋରେନ୍ ସରକାର ଘୋଟାଲା ସରକାର, ଝାରଖଣ୍ଡବାସୀଙ୍କୁ ଲୁଟୁଛନ୍ତି ବୋଲି କହି ସରକାରଙ୍କୁ କଟାକ୍ଷ କରିଛନ୍ତି ମୋଦି । ଏଥିସହିତ ବେଆଇନ ଖଣି ଘୋଟାଲାରେ ପ୍ରସଙ୍ଗ ଉଠାଇ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ) ଏବଂ କଂଗ୍ରେସ ମିଳିତ ଭାବେ ଲୋକଙ୍କୁ ଲୁଟିଛନ୍ତି ବୋଲି ଅଭିଯୋଗ କରିଛନ୍ତି ମୋଦି ।

ଏନେଇ ମୋଦି କହିଛନ୍ତି, ସୋରେନ୍ ସରକାର ଝାରଖଣ୍ଡକୁ ଲୁଟିଛନ୍ତି । ମୁଁ ଆପଣମାନଙ୍କୁ ପ୍ରତିଶ୍ରୁତି ଦେଉଛି, ଆମେ ଥରେ ଏଠି ସରକାର ଗଠନ କଲା ପରେ, ଆମ ସରକାର କୋର୍ଟରେ ଲଢିବ, ଯିଏବି ଏଥିରେ ଜଡିତ ଥିବ ସମସ୍ତଙ୍କୁ କଠୋର ଦଣ୍ଡ ମିଳିବ । ଯେଉଁ ଟଙ୍କା ଲୁଟ ହୋଇଛି, ତାହା ଆପଣଙ୍କର ଅଧିକାର, ସେସବୁ ଆପଣଙ୍କ ହିତରେ, ଆପଣଙ୍କ ପିଲାଙ୍କ ଭବିଷ୍ୟତରେ ଲାଗିବ ବୋଲି ଝାରଖଣ୍ଡବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ମୋଦି ।

ଜେଏମଏମକୁ କଡା ଆକ୍ରମଣ କରି ମୋଦି କହିଛନ୍ତି, ଜେଏମଏମର ନେତାମାନେ ବାଲି ମାଇନ୍ସରୁ କୋଟି କୋଟି ଟଙ୍କା କମାଉଛନ୍ତି । ସେମାନଙ୍କ ପାଖରେ ଟଙ୍କାର ପାହାଡ ଗଚ୍ଛିତ ଅଛି । ଏହି ସବୁ ଟଙ୍କା ସେମାନଙ୍କ ପାଖକୁ ଆସିଲା କେଉଁଠୁ? ଏହା ଆପଣଙ୍କର ଟଙ୍କା ନୁହେଁ କି? ଏହି ଟଙ୍କା ଆପଣମାନଙ୍କଠାରୁ ଲୁଟ ହୋଇନାହିଁ କି ବୋଲି ବୋକାରୋବାସୀଙ୍କୁ ପ୍ରଶ୍ନ କରିଛନ୍ତି ମୋଦି ।

ଖାଲି ସେତିକି ନୁହେଁ, ପୂର୍ବରୁ କେନ୍ଦ୍ରରେ ଥିବା ସୋନିଆ ଗାନ୍ଧି ଏବଂ ମନମୋହନ ସିଂ ନେତୃତାଧିନ କଂଗ୍ରେସ ସରକାର ଉପରେ ମଧ୍ୟ ବର୍ଷିଛନ୍ତି ମୋଦି । କହିଛନ୍ତି, ୨୦୦୪ ରୁ ୨୦୧୪ ଭିତରେ କଂଗ୍ରେସ ସରକାର ଝାରଖଣ୍ଡକୁ ୮୦ ହଜାର କୋଟି ଯୋଗାଇବା ପାଇଁ ଯୁଝୁଥିଲା । ହେଲେ ଆପଣଙ୍କ ଆଶିର୍ବାଦରୁ ୨୦୧୪ ପରେ, ବିଜେପି ସରକାର ଗତ ୧୦ ବର୍ଷରେ ଝାରଖଣ୍ଡକୁ ୩ ଲକ୍ଷ କୋଟି ଟଙ୍କା ଯୋଗାଇଛି ।

ସେ ଆହୁରି ବି କହିଛନ୍ତି, ଆମେ ଝାରଖଣ୍ଡ ତିଆରି କରିଥିଲୁ, ଏହାର ବିକାଶ ବି ଆମେ ହିଁ କରିବୁ । ଯେଉଁମାନେ ଝାରଖଣ୍ଡ ରାଜ୍ୟ ସୃଷ୍ଟି ହେବାକୁ ବିରୋଧ କରୁଥିଲେ ସେମାନେ କେବେବି ଏହାର ବିକାଶ କରିପାରିବେ ନାହିଁ ବୋଲି କହି ସରକାରଙ୍କୁ କଟାକ୍ଷ କରିଛନ୍ତି ମୋଦି ।

Comments are closed.