Latest Odisha News

ଜାଣନ୍ତୁ, କଟକ ଓ ଭୁବନେଶ୍ୱରରେ କେବେଠୁ ଆରମ୍ଭ ହେଲା ପ୍ରସିଦ୍ଧ ବାଲିଯାତ୍ରା…

କଟକ: ଏବେ ଚାଲିଛି ‘ବାଲିଯାତ୍ରା ମାସ’ ମାନେ କାର୍ତ୍ତିକ ମାସ । କାର୍ତ୍ତିକମାସରେ ଯଦି କେଉଁ ଉତ୍ସବ ବେଶ୍ ପ୍ରସିଦ୍ଧି ଲାଭ କରିପାରିଛି ତାହାହେଲେ ଆମେ କଟକ ଓ ଭୁବନେଶ୍ୱରରେ କେଉଁ କାଳରୁ ଅନୁଷ୍ଠିତ ହୋଇ ଆସୁଥିବା ବାଲିଯାତ୍ରା ଉତ୍ସବକୁ ହିଁ ବୁଝିଥାଆନ୍ତି । ନୁହେଁ କି !

ତେବେ ଯାହାବି ହେଉ ଅନେକ ଦିନରୁ କଟକ ବାଲିଯାତ୍ରାର ପ୍ରସିଦ୍ଧି ଏବେ ଖାଲି ରାଜଧାନୀ ଭୁବନେଶ୍ୱର ନୁହେଁ ବରଂ ଓଡ଼ିଶାର ଅନେକ ସ୍ଥାନ ଯେପରିକି ପାରାଦ୍ୱିପ, ଜଗତସିଂହପୁର, ଧାମରା, ଚାନ୍ଦବାଲି, ତିର୍ତ୍ତୋଲ, ବାଲେଶ୍ୱର ପରି ଅନେକ ସହରକୁ ଏହି ଉତ୍ସବ ବ୍ୟାପିଯାଇଛି । ବାଲିଯାତ୍ରା କେବଳ କଟକରେ ଅଟକି ଯାଇନାହିଁ ବରଂ ରାଜ୍ୟର ସବୁଆଡ଼େ ଏହି ବାଲିଯାତ୍ରା ଏବଂ ବୋଇତ ବନ୍ଦାଣ ଉତ୍ସବ ପାଳିତ ହୋଇଆସୁଛି ।

କଟକର ବାଲିଯାତ୍ରା ଉତ୍ସବ ପରି ଗତବର୍ଷ ଭୁବନେଶ୍ୱର ଉପକଣ୍ଠରେ ଥିବା କୁଆଖାଇ ନଦୀପଠାରେ ଅନୁଷ୍ଠିତ ହୋଇଥିଲା ବାଲିଯାତଆ । ଚଳିତବର୍ଷ ନଭେମ୍ବର ୧୨ ତାରିଖରୁ ଅନୁଷ୍ଠିତ ହେବାକୁ ଯାଉଛି ଭୁବନେଶ୍ୱର ବାଲିଯାତ୍ରା ଏହି କୁଆଖାଇ ନଦୀପଠାରେ । ଗତବର୍ଷ ଏହି ଯାତ୍ରା ସଫଳତା ହାସଲ କରିଥିବା ଯୋଗୁଁ ଚଳିତବର୍ଷ ଏଠାରେ ଅଧିକ ଜନସମାଗମ ହେବାର ସମ୍ଭାବନା ରହିଛି ।

ସହସ୍ର ବର୍ଷର ସହର ତଥା ସିଲଭର୍ ସିଟି କଟକରେ ଏଥର ଦୀର୍ଘ ୮ ଦିନ ବ୍ୟାପୀ ବାଲିଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ଉଭୟ କଟକ ଏବଂ ଭୁବନେଶ୍ୱରରେ ଏହି ଉତ୍ସବ ନଭେମ୍ବର ୧୯ ତାରିଖରେ ଉଦଯାପିତ ହେବ ।

ରାଜଧାନୀ ଭୁବନେଶ୍ୱରରେ ୩୦ଟି ଷ୍ଟଲକୁ ନେଇ ୨୦୧୭ ମସିହାରେ ଏହି ବାଣିଜ୍ୟ ମେଳା ଆରମ୍ଭ ହୋଇଥିଲା । ମାତ୍ର ଚଳିତବର୍ଷ ଏଠାରେ ପ୍ରାୟ ୫୦୦ରୁ ଅଧିକ ଷ୍ଟଲ୍ ଏହି ବାଣିଜ୍ୟମେଳାରେ ଅଂଶଗ୍ରହଣ କରିବେ । ତେଣୁ, ଏଥର ଭୁବନେଶ୍ୱର ବାଲିଯାତ୍ରାରେ ପ୍ରସିଦ୍ଧ କଟକୀ ବାଲିଯାତ୍ରାର ମହକ ଅନୁଭବ କରିହେବ ।

ଏଠାରେ ମଧ୍ୟ ପ୍ରତିଟି ସନ୍ଧ୍ୟାରେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଲାଗି ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏଥର ଉତ୍କଳ ନୌବାଣିଜ୍ୟର ଐତିହ୍ୟ ଓ ପରମ୍ପରାକୁ ନେଇ ଏକ ପ୍ରଦର୍ଶନୀର ଆୟୋଜନ ହେବାକୁ ଯାଉଛି ।

ଭୁବନେଶ୍ୱର ବାଲିଯାତ୍ରାରେ ଦୈନିକ ୧୦,୦୦୦ ପର୍ଯ୍ୟଟକ ସମାଗମ ହେବାର ସମ୍ଭାବନା ରହିଥିବା ବେଳେ କଟକରେ ଦୈନିକ ୧ ଲକ୍ଷରୁ ଅଧିକ ପରିଦର୍ଶକ ହେବାର ସମ୍ଭାବନା ରହିଛି । ଉଭୟ କଟକ ଓ ଭୁବନେଶ୍ୱର ବାଲିଯାତ୍ରାରେ ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ନିରାପତ୍ତା ବ୍ୟବସ୍ଥା ଆୟୋଜନ କରାଯାଇଛି । ସେହିପରି ଜନସାଧାରଣ ତଥା ପର୍ଯ୍ୟଟକଙ୍କ ସୁରକ୍ଷା ଲାଗି ମେଳାର ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରାର ବ୍ୟବସ୍ଥା କରାଯାଇଛି ।

ସବୁଠାରୁ ଉଲ୍ଲେଖନୀୟ କଥା ହେଲା ଚଳିତବର୍ଷ ଉଭୟ ବାଲିଯାତ୍ରାର ସମସ୍ତ ଷ୍ଟଲ୍ ଗୁଡ଼ିକରେ ପ୍ଲାଷ୍ଟିକ ବର୍ଜନ କରାଯିବାକୁ ଗୁରୁତ୍ୱ ପ୍ରଦାନ କରାଯାଇଛି । ଏହି ବାଲିଯାତ୍ରାରେ ପ୍ଲାଷ୍ଟିକ୍ ବ୍ୟାଗ ବ୍ୟବହାର ନକରିବାକୁ ସମସ୍ତ ଷ୍ଟଲ୍ ଗୁଡ଼ିକୁ ଅବଗତ ମଧ୍ୟ କରାଯାଇଛି ।

Comments are closed.