Latest Odisha News

ଆସନ୍ତାକାଲି ଅଲମ୍ପିକ୍ସ ପଦକ ବିଜେତା ହକି ଖେଳାଳିଙ୍କୁ ସମ୍ବର୍ଦ୍ଧନା ଦିଆଯିବ

ଭୁବନେଶ୍ୱର: ଆସନ୍ତାକାଲି ଭୁବନେଶ୍ୱରରେ ଭାରତୀୟ ହକି ଟିମ୍ ର ଭବ୍ୟ ସମ୍ବର୍ଦ୍ଧନା ସମାରୋହ ହେବା ନେଇ ସୂଚନା ଦେଇଛନ୍ତି କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।

କ୍ରୀଡ଼ାମନ୍ତ୍ରୀ କହିଛନ୍ତି ଯେ, ପ୍ୟାରିସ୍‌ ଅଲମ୍ପିକ୍ସ – ୨୦୨୪ ରେ କାଂସ୍ୟ ପଦକ ଜିତି ଭାରତୀୟ ହକି ଟିମ୍ ଆମ ଦେଶପାଇଁ ସୁନାମ ଅର୍ଜନ କରିଛନ୍ତି । ଭାରତୀୟ ହକି ଦଳର ଏହି କାଂସ୍ୟ ପଦକ ଏକ ଦୃଢ଼ନିଷ୍ଠ, ସ୍ବର୍ଣ୍ଣିମ ଭବିଷ୍ୟତର ଶୁଭାରମ୍ଭ ପାଇଁ ଏକ ଆହ୍ୱାନ ପ୍ରଦାନ କରିଛି । ଏହି ବିଜୟ ଆଜି ଲକ୍ଷ ଲକ୍ଷ ଯୁବ କ୍ରୀଡ଼ାବିତ୍‌ମାନଙ୍କୁ ପ୍ରେରଣା ଯୋଗାଇ ଦେଇଛି।

ତେଣୁ ସେହି ହକି ତାରକାମାନଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଆସନ୍ତା ଅଗଷ୍ଟ ୨୧, ୨୦୨୪ ତାରିଖ ଅର୍ଥାତ ଆସନ୍ତାକାଲି ଦିନ ୧୨.୩୦ ସମୟରେ ଭାରତୀୟ ହକି ଟିମ୍ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରଠାରେ ଆସି ପହଂଚିବେ । ସେଠାରେ ଦଳର କ୍ରୀଡ଼ାବିତ୍‌ମାନଙ୍କୁ ଭବ୍ୟ ସ୍ୱାଗତ ପ୍ରଦାନ କରାଯିବାର ଯୋଜନା କରାଯାଇଛି ।

ଏହାପରେ ଭାରତୀୟ ହକିଟିମ୍ କୁ ନେଇ ଏକ ବିଶାଳ ରୋଡ଼ ଶୋ ମାଧ୍ୟମରେ କଳିଙ୍ଗ ଷ୍ଟାଡିୟମ୍‌ ପର୍ଯ୍ୟନ୍ତ ଅଣାଯିବ। ପରବର୍ତ୍ତୀ ସମୟରେ ଲୋକସେବା ଭବନ କନଭେନ୍‌ସନ୍‌ ସେଣ୍ଟର ଠାରେ ହକି ଟିମ୍‌ର କ୍ରୀଡ଼ାବିତମାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବର୍ଦ୍ଧିତ କରିବେ।

ଆମର ଏହି ଯୁବ କ୍ରୀଡାବିତ୍‌ ମାନେ ହେଉଛନ୍ତି ଆମ ପ୍ରେରଣାର ଉତ୍ସ । କ୍ରୀଡ଼ା ତଥା ହକିର ବିକାଶ ଏବଂ କ୍ରୀଡ଼ାବିତ୍ ମାନଙ୍କର ସର୍ବାଙ୍ଗୀନ ବିକାଶ ପାଇଁ ଓଡ଼ିଶା ସରକାର ସଦାସର୍ବଦା ଚେଷ୍ଟିତ ଏବଂ ଏହି ଯାତ୍ରା ଆଗକୁ ମଧ୍ୟ ଜାରି ରହିବ ବୋଲି କ୍ରୀଡ଼ା ମନ୍ତ୍ରୀ ମତପ୍ରକାଶ କରିଥିଲେ।

ଏଥି ସହିତ ଆଗାମୀ ବର୍ଷରେ ହେବାକୁ ଥିବା ଅଲମ୍ପିକ୍ସ ପ୍ରତିଯୋଗିତାରେ ଓଡ଼ିଶାର କ୍ରୀଡ଼ାବିତ୍‌ ମାନେ ଯେପରି ଅଲମ୍ପିକ୍ସ ପଦକ ହାସଲ କରିପାରିବେ ସେ ଦିଗରେ ସମସ୍ତ ପ୍ରଚେଷ୍ଟା କରାଯିବ ବୋଲି ସେ କହିଛନ୍ତି।

Comments are closed.