Latest Odisha News

BREAKING NEWS

ଆସନ୍ତୁ ବୁଲିଯିବା ସିକ୍କିମର ହିଡେନ ପାରାଡ଼ାଇଜ ‘ଅରିତର’

ଭୁବନେଶ୍ୱର: ସୁଉଚ୍ଚ ପାହଡ଼, ପାହାଡ଼ର କୂଳେ କୂଳେ ମନମୁଗ୍ଧକର ଝରଣା, ଆଉ ଝରଣା ଚାରିପାଖରେ ଘଞ୍ଚ ସବୁଜ ବନାନୀ । କେଉଁ କାହାଣୀ କି ସିନେମାର ଦୃଶ୍ୟ ନୁହେଁ ଆଜ୍ଞା ଆମେ କହୁଛୁ ଅନେକ ଐତିହାସିକ ସ୍ମୃତି ସହ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ନିଜ ଭିତରେ ସାଇତି ରଖିଥିବା ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ହେଉଛି ‘ଅରିତାର’ର କଥା ।

ସିକ୍କିମ ଠାରେ ଥିବା ଏହି ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ଅରିତାରରେ ଘଞ୍ଚ ଜଙ୍ଗଲ ସାଙ୍ଗକୁ ଝରଣା, ହ୍ରଦ ଓ ତା’ ସହିତ ବୋଟିଂ ତଥା ଟ୍ରେକିଂର ମଜା ନେବାକୁ ବର୍ଷସାରା ଏଠାରେ ଜମିଥାଏ ପର୍ଯ୍ୟଟକଙ୍କର ଭିଡ଼।

‘ଅରିତାର’ରେ ଅନେକ ଦର୍ଶନୀୟ ସ୍ଥାନ ରହିଛି…

ଲମ୍ପୋଖରୀ :

ଏହା ହେଉଛି ସ୍ଥାନୀୟ ଏକ ପ୍ରାଚୀନ ହ୍ରଦ। ପର୍ଯ୍ୟଟକଙ୍କ ଆମୋଦପ୍ରମୋଦ ପାଇଁ ଏବେ ଏଠାରେ ବୋଟିଂର ବ୍ୟବସ୍ଥା ମଧ୍ୟ କରାଗଲାଣି।

ଡାକବଙ୍ଗଳା:

ଏହାକୁ କେହି କେହି ଅରି ବଙ୍ଗଳା ବୋଲି ମଧ୍ୟ କହିଥାନ୍ତି। ଇତିହାସ ପୃଷ୍ଠା ଓଲଟାଇଲେ ଜଣାଯାଏ, ଏହି ବଙ୍ଗଳାଟି କୁଆଡେ ୧୮୯୫ ମସିହାରେ ବ୍ରିଟିଶ ସରକାରଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ଏତେ ପୁରୁଣା ହୋଇଥିଲେ ମଧ୍ୟ ଏବେ ବି ଏହା ପର୍ଯ୍ୟଟକଙ୍କୁ ଆକର୍ଷିତ କରିପାରୁଛି।

ପାର୍ବତେଶ୍ୱର ଶିବାଳୟ ମନ୍ଦିର:

ଏହା ହେଉଛି ସ୍ଥାନୀୟ ଏକ ଶିବ ମନ୍ଦିର। ବର୍ଷର ସବୁ ସମୟରେ ଏଠାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଥିଲେ ହେଁ ଖାସ୍‌ କରି ଶ୍ରାବଣ ମାସରେ ପ୍ରଭୁଙ୍କ ଦର୍ଶନ ସହିତ ଜଳଲାଗି କରିବା ପାଇଁ ଏଠାକୁ ବୋଲ୍‌ବମ୍‌ ଭକ୍ତଙ୍କର ସୁଅ ଛୁଟିଥାଏ।

ମନ୍‌ଖିମ୍‌:

ଏହା ସମୁଦ୍ର ପତ୍ତନଠାରୁ ପ୍ରାୟ ୬୫୦୦ ଫୁଟ ଉଚ୍ଚତାରେ ଥିବା ସ୍ଥାନୀୟ ଏକ ପ୍ରସିଦ୍ଧ ଦେବାଳୟ। ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ବେଶ୍‌ ମନଲୋଭା।

କେବଳ ଏତିକି ନୁହେଁ, ଅରିତାରରେ କାଲି ଖୋଲା ଓ ଚାଙ୍ଗେ ନାମରେ ଦୁଇଟି ଜଳପ୍ରପାତ ବି ରହିଛି। ସେହିପରି ଏଠାରେ ଅଛି ଏକ ଫୁଲ ବଗିଚା, ଯେଉଁଠାରେ ନାନାଦି ପ୍ରଜାତିର ଆକର୍ଷଣୀୟ ଫୁଲର ସମ୍ଭାର ଦେଖିବାକୁ ମିଳିଥାଏ।

କେବେ ଓ କେମିତି ଯିବେ

ବର୍ଷସାରା ଅରିତାରର ପାଣିପାଗ ବୁଲାବୁଲି କରିବାକୁ ବେଶ୍‌ ଅନୁକୂଳ ରହୁଥିଲେ ହେଁ ବର୍ଷାଦିନ ତୁଳନାରେ ବାକି ଅନ୍ୟ ସମୟରେ ଏଠାକୁ ଗଲେ ବୁଲିବାର ମଜା ଦ୍ୱିଗୁଣିତ ହୋଇଥାଏ। ସେହିପରି ଏଠାକୁ ଯିବା ପାଇଁ ଗମନାଗମନର ମଧ୍ୟ ବେଶ୍‌ ସୁବିଧା ରହିଛି।

ତେବେ ‘ବାଗଡୋଗ୍ରା’ ଏହାର ନିକଟତମ ମୁଖ୍ୟ ବିମାନବନ୍ଦର ହୋଇଥିବାବେଳେ ‘ନ୍ୟୁ ଜଲପାଇଗୁଡ଼ି ଜଙ୍କଶନ୍‌ ରେଲଓ୍ବେ ଷ୍ଟେସନ’ ହେଉଛି ଏହାର ନିକଟତମ ରେଳଷ୍ଟେସନ ।

Leave A Reply

Your email address will not be published.