Latest Odisha News

BREAKING NEWS

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ: ରାଜ୍ୟ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଲା ସାଂସଦଙ୍କ ଟ୍ବିଟ୍

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ଲୋକଙ୍କ ମଧ୍ୟରେ ବାରମ୍ବାର ଦାବି ହେଉଛି। ଆଉ ଦାବି ମୁତାବକ କୌଣସି କାମ ହେଉନଥିବାରୁ ଚଳିତ ସପ୍ତାହରେ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ଆନ୍ଦୋଳନକୁ ଆଉ ଟିକିଏ ଗତି ଦେଇଛି। ଏପରି କରି ରାଜ୍ୟ ସରକାରଙ୍କ ଉପରେ ଚାପ ପକାଇବାକୁ ପ୍ରୟାସ ହୋଇଛି।

ଏହାରି ଭିତରେ ଝାରସୁଗୁଡା ସାଂସଦ ସୁରେଶ ପୂଜାରୀ ଏକ ଟ୍ବିଟ୍ କରିଛନ୍ତି। ଯାହାକି ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ ରହିଛି। ଯେଉଁଥିରେ କେନ୍ଦ୍ର ଆଇନ ମନ୍ତ୍ରୀଙ୍କୁ ସେ କରିଥିବା ଏକ ପ୍ରଶ୍ନର ଉତ୍ତର ରହିଛି। ସାଂସଦ ପୂଜାରୀ କହିଛନ୍ତି, ପଶ୍ଚିମ ଓଡିଶା ରେ ହାଇକୋର୍ଟ ର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରିବାକୁ ଦାବି କରି ମାନ୍ୟବର କେନ୍ଦ୍ର ଆଇନ ମନ୍ତ୍ରୀ ଶ୍ରୀଯୁକ୍ତ କିରଣ ରିଜଜ୍ଜଙ୍କୁ ମୋର ପତ୍ରର ଉତ୍ତରରେ ଓଡିଶା ରାଜ୍ଯ ସରକାରଙ୍କର ସମ୍ପୂର୍ଣ୍ଣ ପ୍ରସ୍ତାବ ବର୍ତ୍ତମାନ ସୁଦ୍ଧା ଆସିନଥିବା କଥା ମାନ୍ୟବର କେନ୍ଦ୍ର ମନ୍ତ୍ରୀ ପୁଣି ଉଲ୍ଲେଖ କରିଛନ୍ତି।

ଚଳିତ ସପ୍ତାହର ବୁଧବାର ଦିନ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ଏହି ପ୍ରସଙ୍ଗରେ ଆନ୍ଦୋଳନ କରିଥିଲେ। ସଂଘ କହିଥିଲା, କେନ୍ଦ୍ର ସରକାର ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ନିକଟରୁ ପୂର୍ଣ୍ଣାଙ୍ଗ ପ୍ରସ୍ତାବ ମାଗିଛନ୍ତି। ହେଲେ ରାଜ୍ୟ ସରକାର ଏହି ରିପୋର୍ଟ ଦେବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ଏହାକୁ ବିରୋଧ କରିଛି ସମ୍ବଲପୁର ଜିଲ୍ଲା ଓକିଲ ସଂଘ। ତେଣୁ  କୋର୍ଟ ଆଗରେ ପ୍ରତିବାଦ କରିଥିଲେ ଜିଲ୍ଲାର ଆଇନଜୀବୀ।

ଯାହା ସାଂସଦ ସୁରେଶ ପୂଜାରୀ ଟ୍ବିଟ୍ କରି ସ୍ପଷ୍ଟ କରିଛି ଯେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଏହି ପ୍ରସଙ୍ଗରେ ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରଦାନ କରିନାହାନ୍ତି। ଉଲ୍ଲେଖଯୋଗ୍ୟ, ହାଇକୋର୍ଟର ଏକ ବେଞ୍ଚ ପ୍ରତିଷ୍ଠା ନେଇ ଦୀର୍ଘ ଦିନ ହେବ ଦାବି କରିଆସୁଛନ୍ତି ପଶ୍ଚିମ ଓଡ଼ିଶାବାସୀ। ଏହି ପ୍ରସଙ୍ଗରେ ଶାସକ ଦଳ ବିଜେଡି ମଧ୍ୟ ସହମତି ପ୍ରକାଶ କରିଛି। ହେଲେ କେନ୍ଦ୍ର ଯେଉଁ ରିପୋର୍ଟ ମାଗିଛି ଏହି ପ୍ରସଙ୍ଗରେ ରାଜ୍ୟ ସରକାର ଏ ନେଇ ରିପୋର୍ଟ ନଦେବା ବା କେଉଁ କାରଣ ପାଇଁ ବିଳମ୍ବ ହୋଇଛି ସେ ନେଇ ସ୍ପଷ୍ଟ ନକରିବା ଅନେକ ପ୍ରଶ୍ନ ଉଠାଇଛି।

ଜିଲ୍ଲା ଓକିଲ ସଂଘ କହିଛି, ହାଇକୋର୍ଟର ବେଞ୍ଚ ପ୍ରତିଷ୍ଠା ପାଇଁ ଏଣିକି ପ୍ରତି ସପ୍ତାହରେ କୋର୍ଟ ଏବଂ ସରକାରୀ କାର୍ୟ୍ୟାଳୟ ବନ୍ଦ କରାଯିବ। ପୂର୍ବରୁ ଦାବି ନେଇ ସମସ୍ତ ପ୍ରକାର ପଦକ୍ଷେପ ସଂଘ ନେଇଛି। ଏମିତିକି ଲୋକସେବା ଭବନରେ ମଧ୍ୟ ଏ ସଂକ୍ରାନ୍ତରେ ବୈଠକ ହୋଇଥିଲା। କିନ୍ତୁ ଦାବିକୁ ନେଇ ଯେଉଁଭଳି କୁହାଯାଇଥିଲା ତାହା ହେଉନାହିଁ ତେଣୁ ସଂଘ ବାଧ୍ୟ ହୋଇ ଏପରି ଏକ ଉପାୟ ଆପଣାଇଛି। ତେବେ ଏହି ପ୍ରସଙ୍ଗରେ ଶାସକ ଦଳର ନେତା କିମ୍ବା ରାଜ୍ୟ ସରକାର ନିରବ ରହିଛନ୍ତି।

Leave A Reply

Your email address will not be published.