Latest Odisha News

BREAKING NEWS

ଜେଏସଡବ୍ଲ୍ୟୁ ପ୍ରକଳ୍ପ: ମାର୍ଚ୍ଚ ୧୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି

ପାରାଦୀପ: ଜଗସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକର ଢିଙ୍କିଆ ଅଞ୍ଚଳରେ ଲୋକମାନଙ୍କ ଉପରେ ପୁଲିସର ବର୍ବୋରଚିତ ଲାଠିଚାଳନା ଘଟଣା । ନିରପେକ୍ଷ ତଦନ୍ତ ପ୍ରସଙ୍ଗ ନେଇ ଦାୟର ତିନୋଟି ମାମଲାରେ ଘଟଣାସ୍ଥଳ ଅନୁଧ୍ୟାନ ପାଇଁ ଅଦାଲତ ୫ଜଣିଆ ଆଇନଜୀବୀ ଦଳ ଗଠନ କରିଥିଲେ । ଏହି କମିଟି ଆଜି ଚାରୋଟି ପୃଥକ ରିପୋର୍ଟ ହାଇକୋର୍ଟରେ ଦାଖଲ କରିଛନ୍ତି। ୩ ଆବେଦନକାରୀଙ୍କ ଓକିଲ, ଏଜିଏ ଦେବକାନ୍ତ ମହାନ୍ତି, ଜନ୍ମେଜୟ କଟକିଆ ପ୍ରମୁଖ ଆସନ୍ତା ୫ ତାରିଖରେ ଘଟଣାସ୍ଥଳରେ ପୁନଶ୍ଚ ଗସ୍ତ କରି ହାଇକୋର୍ଟରେ ସର୍ବସମ୍ମତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।
ଅନୁଧ୍ୟାନ କରି ବାସ୍ତବିକ ଘଟଣା ସମ୍ପର୍କରେ ହାଇକୋର୍ଟରେ ରିପୋର୍ଟ ଦାଖଲ କର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୂରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ମାର୍ଚ୍ଚ ୧୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ୟ୍ୟ କରିଛନ୍ତି।

ଜଗତସିଂହପୁର ଜିଲ୍ଲାପାଳ ଓ ଏସପିଙ୍କ ଉପସ୍ଥିତିରେ ଉଭୟ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମତକୁ ଭିଡିଓ ରେକର୍ଡ କରିବାକୁ ନିର୍ଦ୍ଦେଶ ରହିଛି। ୫ ତାରିଖରେ ଆଡଭୋକେଟ କମିଟି ଗସ୍ତ କରି ଫେରିବା ପରେ ଜଗତସିଂହପୁର ଜିଲ୍ଲା ପାଳ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

ସୂଚନାଯୋଗ୍ୟ ଗତ ୧୯ ତାରିଖରେ ଆଡଭୋକେଟ କମିଟି ଗସ୍ତ ସମୟରେ ଢ଼ିଙ୍କିଆ ଉତ୍ତେଜନା ପ୍ରକାଶ ପାଇଥିଲା। ପୂର୍ବରୁ ଢିଙ୍କିଆ ଅଞ୍ଚଳରେ ଘଟିଥିବା ଘଟଣା ସମ୍ପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଷ୍ଟାଟସ ରିପୋର୍ଟରେ ତଥ୍ୟ ରଖାଯାଇଥିଲା। ପୁଲିସର ବର୍ବୋରଚିତ ଲାଠିଚାଳନାକୁ ରାଜ୍ୟ ସରକାର ଅସ୍ବୀକାର କରିଥିବା ବେଳେ ଢ଼ିଙ୍କିଆରେ ଜେଏସଡବ୍ଲ୍ୟୁ ଭଳି ଏକ ଷ୍ଟିଲ କମ୍ପାନୀ ଓ ସିମେଣ୍ଟ କମ୍ପାନୀ ହେଉଥିବାରୁ ଏହା ଓଡ଼ିଶାର ଉନ୍ନତି ପାଇଁ ଉଦ୍ଧିଷ୍ଟ ବୋଲି ଯୁକ୍ତି ରଖାଯାଇଥିଲା। ଏହା ସହ ସାଧାରଣ ଜନତାଙ୍କ ଜୀବନଯାତ୍ରା ଯେଭଳି ପ୍ରଭାବିତ ନ ହେବ ସେ ପଦକ୍ଷେପ ଗ୍ରହଣ କରାଯାଇଥିବା ଓ ସ୍ଥାନୀୟ ଅଞ୍ଚଳର ସ୍ଥିତି ସମ୍ପର୍କରେ ଜଗତସିଂହପୁର ଜିଲ୍ଲାପାଳ ହାଇକୋର୍ଟରେ ଏକ ସତ୍ୟପାଠ ଦାଖଲ କରିଥିଲେ। ଏହା ପୂର୍ବରୁ ଆବେଦନକାରୀ ଆଇନଜୀବୀ କ୍ଷୀରୋଦ ରାଉତ ଢ଼ିଙ୍କିଆ ଯାଇ ସେଠାରେ କିଭଳି ଶତାଧିକ ଲୋକ ଆହତ ହୋଇ ଅସୁସ୍ଥ ହୋଇ ପଡିଛନ୍ତି ଏବଂ ଚିକିତ୍ସା ପାଇ ପାରୁ ନାହାନ୍ତି ସେ ସମ୍ପର୍କରେ ଅତିରିକ୍ତ ସତ୍ୟପାଠ ଦାଖଲ କରିଥିଲେ।

ହାଇକୋର୍ଟରେ ଦାଖଲ ଆବେଦନରେ ଦର୍ଶାଯାଇଛି ଯେ, ପୁଲିସର ଏପରି ଲାଠି ଚାଳନା ଅମାନୁଷିକ ଓ ବର୍ବର କାଣ୍ଡ ଏବଂ ଢିଙ୍କିଆରୁ ତୁରନ୍ତ ପୁଲିସ ଫୋର୍ସ ପ୍ରତ୍ୟାହାର କରିବା ସହ ଘଟଣାର ଏକ ନିରପେକ୍ଷ ତଦନ୍ତ କରାଯାଉ। ସେହିପରି ପୁଲିସ ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଥିବା ଲୋକମାନଙ୍କୁ ଉପଯୁକ୍ତ କ୍ଷତିପୁରଣ ପ୍ରଦାନ ସହ ଆହତ ଲୋକମାନଙ୍କ ମାଗଣାରେ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଉ। ଅମାନୁଷିକ ଭାବେ ଲାଠିଚାର୍ଜ କରିଥିବା ଦୋଷୀ ପୁଲିସ ଏବଂ ପ୍ରଶାସନିକ ଅଧିକାରୀଙ୍କ ବିରୁଦ୍ଧରେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ପ୍ରାର୍ଥନା କରାଯାଇଛି।
ଗତ ୧୪ ତାରିଖରେ ଢିଙ୍କିଆରେ ପୁଲିସ ପାନ ବରଜ ଭାଙ୍ଗିବାକୁ ଉଦ୍ୟମ କରୁଥିବା ବେଳେ ଗ୍ରାମବାସୀ ତାର ଦୃଢ ପ୍ରତିରୋଧ କରିଥିଲେ। ପ୍ରତିବାଦ କରୁଥିବା ଗ୍ରାମବାସୀଙ୍କ ଉପରେ ପୁଲିସ ଅତର୍କିତ ଓ ଅତ୍ୟନ୍ତ ଅମାନବୀୟ ଭାବେ ଲାଠିଚାଳନା କରିଥିଲା ବୋଲି ଅଭିଯୋଗ ହୋଇଛି। ଏହି ମାମଲାରେ ଆବେଦନକାରୀ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ ସଚିବ, କେନ୍ଦ୍ର ସରକାର, ଜଗତସିଂହପୁର ଜିଲ୍ଲାପାଳ ଓ ଏସପିଙ୍କୁ ପକ୍ଷଭୁକ୍ତ କରିଛନ୍ତି।

Comments are closed.