Latest Odisha News

BREAKING NEWS

କନିଷ୍ଠ ଶିକ୍ଷକ ଚୟନ ମାମଲାରେ ଆସିଲା ଗୁରୁତ୍ୱପୂର୍ଣ୍ଣ ରାୟ, କାଏମ ରହିଲା ଓସେପା ମେରିଟ୍ ଲିଷ୍ଟ

କଟକ: କନିଷ୍ଠ ଶିକ୍ଷକ ଚୟନ ମାମଲାରେ ଆଜି ଆସିଛି ଗୁରୁତ୍ୱପୂର୍ଣ୍ଣ ରାୟ। ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜୁନିଅର ଶିକ୍ଷକ ନିଯୁକ୍ତି ପାଇଁ ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (OSEPA) ଦ୍ୱାରା ପ୍ରସ୍ତୁତ ଯୋଗ୍ୟତା ତାଲିକାକୁ ମଙ୍ଗଳବାର ଓଡ଼ିଶା ହାଇକୋର୍ଟ ସମର୍ଥନ କରିଛନ୍ତି। ଏହି ମାମଲାର ଶୁଣାଣି କରି ଓସେପାର ମେରିଟ ଲିଷ୍ଟକୁ କାଏମ ରଖିଛନ୍ତି ହାଇକୋର୍ଟ ।

ମେରିଟ ସହ ପ୍ରିଫରେନ୍ସକୁ ଗୁରୁତ୍ୱ ଦେଇ ନିଯୁକ୍ତି ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜଣିକିଆ ଖଣ୍ଡପୀଠଙ୍କ ରାୟ ସଂଶୋଧନ କରିଛନ୍ତି ଡିଭିଜନ ବେଞ୍ଚ। ଗୁଣାତ୍ମକ ଶିକ୍ଷା ପାଇଁ ଗୁଣାତ୍ମକ ଶିକ୍ଷାଦାନ ବ୍ୟବସ୍ଥା ଓ ମେଧାବୀ ଶିକ୍ଷକଙ୍କ ଆବଶ୍ୟକତା ରହିଛି। ଏହି ଯୁକ୍ତିକୁ ହାଇକୋର୍ଟ ଗ୍ରହଣ କରିଛନ୍ତି।

ଆବେଦନକାରୀଙ୍କ ମୂଳ ଅଭିଯୋଗ ଅନୁଯାୟୀ ପ୍ରାୟ ୨୦ ହଜାର ଊର୍ଦ୍ଧ୍ୱ କନିଷ୍ଠ ଶିକ୍ଷକଙ୍କ ପାଇଁ ଓସେପା ତରଫରୁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ଧାରା ଅନୁଯାୟୀ, ଏହା ଜିଲ୍ଲା ଭିତ୍ତିକ କ୍ୟାଡର ଥିବାରୁ ଚୟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଜିଲ୍ଲା ଭିତରେ ସୀମିତ ରହିବ। ତେଣୁ ଚୟନ ପ୍ରକ୍ରିୟା ବି ଜିଲ୍ଲାୱାରୀ କରିବାର ଆବଶ୍ୟକତା ରହିଛି ବୋଲି ଆବେଦନପତ୍ରରେ ଉଲ୍ଲେଖ କରାଯାଇଥିଲା।

ହେଲେ ଓସେପା ଏହି ନିୟମକୁ ସମ୍ପୂର୍ଣ୍ଣ ଉଲ୍ଳଘଂନ କରି ରାଜ୍ୟବ୍ୟାପି ସିଙ୍ଗଲ ମେରିଟ ଲିଷ୍ଟ ପ୍ରକାଶ କରିଥିଲା। ଯାହାକୁ ନେଇ ଆବେଦନକାରୀମାନେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଏହି ପ୍ରକ୍ରିୟାକୁ ତୁରନ୍ତ ବାତିଲ କରିବାକୁ ସେମାନେ ହାଇକୋର୍ଟରେ ଗୁହାରି କରିଥିଲେ। ଆଜି ଏହି ରାୟକୁ ସଂଶୋଧନ କରି ଓସେପା ମେରିଟ ଲିଷ୍ଟକୁ କାଏମ ରଖିଛନ୍ତି ଡିଭିଜନ ବେଞ୍ଚ । ହାଇକୋର୍ଟଙ୍କ ଏହି ରାୟ ପରେ ବର୍ଷ ବର୍ଷ ଧରି ଚାକିରି ଅପେକ୍ଷାରେ ଥିବା ବହୁ ଆଶାୟୀ ଖୁସି ବ୍ୟକ୍ତ କରିଛନ୍ତି।

ସୂଚନାଥାଉକି, ଓସେପା ପକ୍ଷରୁ ୨୦ ହଜାର କନିଷ୍ଠ ଶିକ୍ଷକ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୨୦୨୩ ସେପ୍ଟେମ୍ବର ୧୩ରୁ ଏଥିପାଇଁ ଆବେଦନ ଆହ୍ୱାନ କରାଯାଇଥିଲା। ୨୦୨୩ ଅକ୍ଟୋବର ୧୦ ତାରିଖ ଆବେଦନର ଶେଷ ତାରିଖ ଥିଲା। ବିଭିନ୍ନ ପରୀକ୍ଷା ପରେ ମେରିଷ୍ଟ ଲିଷ୍ଟ ଫଳାଫଳ ପ୍ରକାଶ ପାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ସାର୍ଟିଫିକେଟ ଯାଞ୍ଚ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। କିନ୍ତୁ ନିଯୁକ୍ତି ବିଜ୍ଞପ୍ତି ନିୟମ ଅନୁସାରେ ମେରିଟ ଲିଷ୍ଟ ତାଲିକା ପ୍ରକାଶିତ ହୋଇ ନଥିବା ଅଭିଯୋଗ ହୋଇଥିଲା।

Leave A Reply

Your email address will not be published.