Latest Odisha News

BREAKING NEWS

Cargo Ship Arrested: ପାରାଦୀପ ବନ୍ଦରରେ ଲାଗିଥିବା ପଣ୍ୟବାହୀ ଜାହାଜକୁ ଗିରଫ ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ପାରାଦୀପ: ପାରାଦୀପ ପୋର୍ଟରେ ଥିବା ଏକ ପଣ୍ୟବାହୀ ଜାହାଜକୁ ଗିରଫ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏମ୍‌.ଭି. ମ୍ୟାଗନେଟ୍‌ ଟିମ୍‌ ଜାହାଜ ରୁଷିଆରୁ କୁକିଂ କୋଲ ନେଇ ପାରାଦୀପ ଆସିଥିଲା । ଏହି ଜାହାଜ ଉପରେ ୨କୋଟି ୧୧ଲକ୍ଷ ୮୨ ହଜାର ୬୫୬ଟଙ୍କା ବକେୟା ରହିଛି । ଏହି ଟଙ୍କା ନଦେବାରୁ ସିଲକ୍‌ ରୋଡ୍‌ ସିପିଂ ଆଣ୍ଡ ଚାର୍ଟରିଂ ସଂସ୍ଥା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ।

ହାଇକୋର୍ଟର ବିଚାରପତି ତଥା ଆଡମିରାଲିଟି ଜଷ୍ଟିସ୍‌ ଭି. ନରସିଂହ ମାମଲାର ତ୍ୱରିତ ବିଚାର କରି ଜାହାଜକୁ ଗିରଫ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଗିରଫ ନିର୍ଦ୍ଦେଶ ସହ ଏମଭି ମାଗନେଟ ଟିମକୁ ହାଇକୋର୍ଟ ଜବାବ ଦାଖଲ କରିବାକୁ ନୋଟିସ ଜାରି କରିଛନ୍ତି । ଏଥିସହ ଜାହାଜର ମାଲିକଙ୍କୁ ମଧ୍ୟ ଜବାବ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଡିସେମ୍ବର ୧ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ଯଦି ଜାହାଜକୁ ତୁରନ୍ତ ଗିରଫ କରାନଯାଏ ତାହେଲେ ଜାହାଜ ଆଜି ପାରାଦୀପ ବନ୍ଦର ଛାଡ଼ିଦେବାର ସମ୍ଭାବନା ରହିଛି । ତେଣୁ ତୁରନ୍ତ ପାରାଦୀପ ବନ୍ଦରରେ ଜାହାଜକୁ ଗିରଫ କରିବା ପାଇଁ ହାଇକୋର୍ଟ ଅନ୍ତରୀଣ ଆଦେଶରେ ନିର୍ଦ୍ଦେଶ ଦେଇଥିଲେ । ତେବେ ଜାହାଜରେ ଯଦି କୌଣସି ସାମଗ୍ରୀ ଥାଏ ତାହେଲେ ଏହାକୁ ଅନ୍‌ଲୋଡ୍‌ କରିବାରେ ଏହି ମାମଲା କୌଣସି ଅନ୍ତରାୟ ସୃଷ୍ଟି କରିବନାହିଁ ବୋଲି ହାଇକୋର୍ଟ ଆଦେଶରେ ସ୍ପଷ୍ଟ କରିଛନ୍ତି ।

Comments are closed.