Latest Odisha News

BREAKING NEWS

ବନ୍ଦେ ଭାରତ ଏକ୍ସପ୍ରେସ ଉଦଘାଟନ: ମମତାଙ୍କ ହାଇଡ୍ରାମା, ଜିଦରେ ଅଟଳ ରହିଲେ

କୋଲକାତା: ଆଜି ସକାଳେ ପଶ୍ଚିମବଙ୍ଗର ହାଓ୍ୱଡା ଷ୍ଟେସନରେ ହାଇଡ୍ରାମା ଦେଖିବାକୁ ମିଳିଛି। କାରଣ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନ୍ୟୁ ଜଲପାଇଗୁଡ଼ି ଅଭିମୁଖେ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଉଦଘାଟନ କରିବାକୁ ଆସିନଥିଲେ। କିନ୍ତୁ ପାଖରେ ସାଧାରଣ ଲୋକ ଏବଂ ଅନ୍ୟ ଅତିଥିଙ୍କ ବସିବା ପାଇଁ ତିଆରି ହୋଇଥିବା ସ୍ଥାନରେ ବସି ରହିଥିଲେ।

ମଞ୍ଚ ଉପରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ରାଜ୍ୟପାଳ ସିଭି ଆନନ୍ଦ ବୋଷ ଏବଂ ଡିଏମ୍ ବସିଥିଲେ। ଆଉ ଗୋଟିଏ ଚେୟାର ମୁଖ୍ୟମନ୍ତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଥିଲା। ତେଣୁ ଷ୍ଟେଜ ଉପରେ ଥାଇ ରେଳମନ୍ତ୍ରୀ ମମତାଙ୍କୁ ଷ୍ଟେଜ ଉପରକୁ ଆସିବାକୁ ଅନୁରୋଧ କରିଥିଲେ। କିନ୍ତୁ ମମତା ଜିଦି ଧରି ମଞ୍ଚ ତଳେ ବସିବାକୁ ଉଚିତ ମଣିଥିଲେ।

ତେବେ ମମତା ଏପରି ହାବଭାବ ଦେଖାଇବାର କାରଣ ବନ୍ଦେ ଭାରକ ଏକ୍ସପ୍ରେସ ଉଦଘାଟନ ବେଳେ ଉପସ୍ଥିତ ଥିଲେ କିଛି ଲୋକ ବୋଲି ଜଣାପଡିଛି। ଯେଉଁମାନେ କି କେନ୍ଦ୍ର ସରକାର ତଥା ରାଜ୍ୟରେ ବିରୋଧୀ ଦଳ ବିଜେପିର ସମର୍ଥକ ଥିଲେ। ସେହିପରି ରେଳ ଷ୍ଟେସନରେ ନିମନ୍ତ୍ରିତ ଲୋକଙ୍କର ଏକ ଅଂଶର ଉଚ୍ଚସ୍ବରରେ ମୋଦୀ ସରକାର ସମର୍ଥନରେ ସ୍ଲୋଗାନ୍ ସହିତ ଜୟ ଶ୍ରୀରାମ ନାରା ଶୁଣି ମମତା ବାନାର୍ଜୀ ବିରକ୍ତ ହୋଇଯାଇଥିଲେ।

ତେବେ ମମତାଙ୍କୁ ଷ୍ଟେଜ ଉପରକୁ ଆଣିବାକୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ରାଜ୍ୟପାଳ ସିଭି ଆନନ୍ଦ ବୋଷ ସମସ୍ତ ପ୍ରକାର ଉଦ୍ୟମ କରିଥିଲେ। ହେଲେ ଏହା ଫଳପ୍ରଦ ହୋଇନଥିଲା। କାରଣ ମୁଖ୍ୟମନ୍ତ୍ରୀ ଦର୍ଶକଙ୍କ ସ୍ଥାନରେ ବସିବାକୁ ପସନ୍ଦ କରିଥିଲେ।

ପଶ୍ଚିମବଙ୍ଗର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ, ହାଓ୍ୱାଡା ଏବଂ ନ୍ୟୁ ଜଲପାଇଗୁଡ଼ି, ଉତ୍ତର-ପୂର୍ବର ପ୍ରବେଶ ଦ୍ୱାରକୁ ସଂଯୋଗ କରିବା ସହିତ ଅନେକ ବିକାଶମୂଳକ ପ୍ରକଳ୍ପକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫେରନସିଂ ଜରିଆରେ ଉଦଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ନିଜେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାର ଥିଲା। ହେଲେ ମା ହୀରାବେନଙ୍କର ବିଳମ୍ବିତ ରାତିରେ ଦେହାନ୍ତ ହୋଇଯିବାରୁ କୋଲକାତା କାର୍ଯ୍ୟକ୍ରମ ରଦ୍ଦ କରିଥିଲେ। ପରେ ଗାନ୍ଧୀନଗରରେ ମା’ ହୀରାବେନଙ୍କ ଅନ୍ତିମ ସଂସ୍କାର ସାରି ରାଜଭବନ ଯାଇଥିଲେ। ସେଠାରୁ ମୋଦୀ ଭିଡିଓ କନଫରେନସିଂ ଜରିଆରେ ନିର୍ଦ୍ଧାରିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

 

 

Comments are closed.