Latest Odisha News

BREAKING NEWS

୧.୪୬ ଲକ୍ଷ କୋଟିର ୫ଟି ଶିଳ୍ପ ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ମଞ୍ଜୁରୀ

ଭୁବନେଶ୍ବର : ଓଡ଼ିଶାରେ ଶିଳ୍ପାୟନ କ୍ଷେତ୍ରରେ ଆଉ ପାଦେ ଆଗେଇଛନ୍ତି ରାଜ୍ୟ ସରକାର । ରାଜ୍ୟରେ ସଂପ୍ରସାରଣ ହେବ ଆଉ ୫ଟି ବଡ଼ ଶିଳ୍ପ । ଏଥିପାଇଁ ରାଜ୍ୟରେ ୧ ଲକ୍ଷ ୪୬ ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହେବ । ଯେଉଁଥିରେ ୨୬ ହଜାର ୯୫୯ ଜଣ ନିଯୁକ୍ତି ମିଳିବ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ କମିଟି ବୈଠକରେ ଏସବୁ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି ।

BjdElectrycity

ଏସବୁ ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି ଭୂଷଣ ପାଓ୍ବାର ଏଣ୍ଡ ଷ୍ଟିଲ, ଜିନ୍ଦଲ ଷ୍ଟିଲ ଏଣ୍ଡ୍ ପାଓ୍ବାର, ଟାଟା ଷ୍ଟିଲ୍ ଏବଂ ରୁଙ୍ଗଟା ମାଇନ୍ସର ୨ଟି ଇସ୍ପାତ ପ୍ରକଳ୍ପର ସଂପ୍ରସାରଣ କାର୍ଯ୍ୟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ୨୬ତମ ଉଚ୍ଚସ୍ତରୀୟ କ୍ଲିୟରାନ୍ସ ଅଥରିଟି ବୈଠକରେ ଏହି ପ୍ରକଳ୍ପଗୁଡ଼ିକୁ ମଂଜୁରୀ ଦିଆଯାଇଛି । ଏସବୁ ସଂପ୍ରସାରଣ ପ୍ରକଳ୍ପ କାର୍ଯ୍ୟକାରୀ ହେବାପରେ ଅତିରିକ୍ତ ପ୍ରାୟ ୨୭ ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ସମ୍ବଲପୁର ଜିଲ୍ଲାରେ ଥିବା ଭୁଷଣ ପାଓ୍ବାର ଏଣ୍ଡ ଷ୍ଟିଲର ୫ ନିୟୁତ ଟନ କ୍ଷମତା ବିଶିଷ୍ଟ ଇସ୍ପାତ କାରଖାନାକୁ ୧୫ ନିୟୁତ ଟନକୁ ବୃଦ୍ଧି କରାଯିବ । ଏହି ପ୍ରକଳ୍ପରେ ଅତିରିକ୍ତ ୧୦ ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସେହିପରି କଳିଙ୍ଗନଗରଠାରେ ଥିବା ଟାଟା ଷ୍ଟିଲ କାରଖାନାର କ୍ଷମତାକୁ ବର୍ତ୍ତମାନର ବାର୍ଷିକ ୩ ନିୟୁତ ଟନରୁ ୭ ନିୟୁତ ଟନକୁ ବୃଦ୍ଧି କରାଯିବ । ଏହି ପ୍ରକଳ୍ପରେ କମ୍ପାନି ୪୭,୫୯୯ କୋଟି ପୁଞ୍ଜିନିବେଶ କରିବ ଓ ଏହା ଦ୍ବାରା ୪୬୨୫ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ଅନ୍ୟପକ୍ଷରେ ଅନୁଗୁଳ ଠାରେ ଥିବା ଜେଏସପିଏଲର ଇସ୍ପାତ କାରଖାନାର କ୍ଷମତାକୁ ବର୍ତ୍ତମାନର ୬ ନିୟୁତ ଟନରୁ ୧୮.୬ ନିୟୁତ ଟନ କରିବାକୁ କମ୍ପାନି ପୂର୍ବରୁ ପ୍ରସ୍ତାବ ଦେଇଥିବା ବେଳେ ଏବେ ଏହାକୁ ୨୫.୨ ନିୟୁତ ଟନକୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦିଆଯାଇଛି । ଏହି ପ୍ରକଳ୍ପରେ କମ୍ପାନି ୨୪ ହଜାର ୬୫୨ କୋଟି ଟଙ୍କା ପୁଞ୍ଜିନିବେଶ କରିବ । ଏହାଦ୍ବାରା ଅତିରିକ୍ତ ୧ ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହି ସଂପ୍ରସାରଣ ପରେ ଜେଏସପିଏଲର ଅନୁଗୁଳ କାରଖାନା ବିଶ୍ବର ବୃହତ୍ତମ ଇସ୍ପାତ କାରଖାନାରେ ପରିଣତ ହେବ ।

Leave A Reply

Your email address will not be published.