ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ସବୁଠାରୁ ବଡ଼ ଖବର ସାମ୍ନାକୁ ଆସୁଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଏକ ଶକ୍ତ ଚେତାବନୀ ଦେଇଛନ୍ତି। ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ମାର୍ଗ ‘ଷ୍ଟ୍ରେଟ୍ ଅଫ୍ ହୋର୍ମୁଜ୍’କୁ ନେଇ ଟ୍ରମ୍ପ କହିଛନ୍ତି ଯେ, ଆମେରିକା ଆଉ କୌଣସି ଚୁକ୍ତିକୁ ଅପେକ୍ଷା କରିବ ନାହିଁ ।
ଅନ୍ୟପଟେ, ଏହି ସମସ୍ୟାର ସମାଧାନ ପାଇଁ ପାକିସ୍ତାନର ରାଜଧାନୀ ଇସଲାମାବାଦ ଏବେ କୂଟନୈତିକ ରଣକ୍ଷେତ୍ର ପାଲଟିଛି । ଗଣମାଧ୍ୟମ ସହ କଥା ହେବା ବେଳେ ରାଷ୍ଟ୍ରପତି ଟ୍ରମ୍ପ ରୋକଠୋକ୍ କହିଛନ୍ତି ଯେ, ‘ଷ୍ଟ୍ରେଟ୍ ଅଫ୍ ହୋର୍ମୁଜ୍’ ଖୋଲିବାର ସମୟ ଆସିଯାଇଛି। ଇରାନର ସାମରିକ ଶକ୍ତି ଦୁର୍ବଳ ହୋଇଯାଇଥିବା ଦାବି କରି ଟ୍ରମ୍ପ କହିଛନ୍ତି, ଚୁକ୍ତି ହେଉ ବା ନହେଉ ଆମେରିକା ଏହି ରାସ୍ତାକୁ ମୁକ୍ତ କରିବ।
ସେପଟେ ଏହି ସଙ୍କଟର ସମାଧାନ ପାଇଁ ଟ୍ରମ୍ପଙ୍କ ଏକ ଶକ୍ତିଶାଳୀ ଟିମ୍ ଏବେ ଇସଲାମାବାଦରେ ପହଞ୍ଚିଛି। ଏହି ଟିମ୍ରେ ଅଛନ୍ତି ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ, ସ୍ୱତନ୍ତ୍ର ଦୂତ ଷ୍ଟିଭ୍ ୱିଟକୋଫ୍ ଏବଂ ଟ୍ରମ୍ପଙ୍କ ଜ୍ୱାଇଁ ଜେରେଡ୍ କୁଶନର୍ ।
ଅନ୍ୟପଟେ ଇରାନ ମଧ୍ୟ ନିଜର ପ୍ରତିନିଧି ଦଳ ପଠାଇଛି। ଯେଉଁଥିରେ ଇରାନ ସଂସଦର ବାଚସ୍ପତି ଏବଂ ବୈଦେଶିକ ମନ୍ତ୍ରୀ ସାମିଲ ଅଛନ୍ତି। କିନ୍ତୁ ଆଲୋଚନା ପୂର୍ବରୁ ଇରାନ ଦୁଇଟି ବଡ଼ ସର୍ତ୍ତ ରଖିଛି: ପ୍ରଥମ ସର୍ତ୍ତ, ଲେବାନନରେ ତୁରନ୍ତ ଯୁଦ୍ଧବିରତି । ଦ୍ବିତୀୟ ସର୍ତ୍ତ ଇରାନର ଅଟକି ରହିଥିବା ପାଣ୍ଠି ଫେରସ୍ତ ।
ଯୁଦ୍ଧବିରତିକୁ ନେଇ ଆମେରିକା ଓ ଇରାନ ମଧ୍ୟରେ ମତଭେଦ ସ୍ପଷ୍ଟ ଦେଖାଦେଉଛି। ଇରାନ ଚାହୁଁଛି ହିଜବୁଲ୍ଲା ଉପରେ ଇସ୍ରାଏଲର ଆକ୍ରମଣ ବନ୍ଦ ହେଉ, ମାତ୍ର ଆମେରିକା ଓ ଇସ୍ରାଏଲ ଏଥିରେ ସହମତ ନୁହନ୍ତି। ଉପରାଷ୍ଟ୍ରପତି ଜେଡି ଭାନ୍ସ କହିଛନ୍ତି, ଯଦି ଇରାନ ସଚ୍ଚୋଟତାର ସହ ଆଲୋଚନା କରେ, ତେବେ ଆମେରିକା ସହଯୋଗ କରିବ, କିନ୍ତୁ କୌଣସି ଚାଲାକି ବର୍ଦ୍ଦାସ୍ତ କରାଯିବ ନାହିଁ।
ଶନିବାର ଇସଲାମାବାଦରେ ହେବାକୁ ଥିବା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଉପରେ ସାରା ବିଶ୍ୱର ନଜର ରହିଛି। କଣ ଟ୍ରମ୍ପଙ୍କ ରଣନୀତି କାମ ଦେବ ? ନା ଇରାନ ନିଜ ସର୍ତ୍ତରେ ଅଟଳ ରହିବ? ଏହା ଆଗାମୀ କିଛି ଘଣ୍ଟା ମଧ୍ୟରେ ସ୍ପଷ୍ଟ ହୋଇଯିବ।