ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ବିରୋଧୀ ଦଳର ସଦସ୍ୟମାନଙ୍କ ଆଚରଣ ଓ ଉଚ୍ଚାରଣକୁ ନେଇ ଶେଷରେ ମୁହଁ ଖୋଲିଛନ୍ତିବାଚସ୍ପତି ସୁରମା ପାଢ଼ି । ବୁଧବାର ସେ ନିଜର ମତ ରଖି ବିରୋଧୀ ବିଧାୟକଙ୍କ ଉପରେ ଜୋରଦାର ବର୍ଷିଛନ୍ତି। ଗୃହକାର୍ଯ୍ୟ ଚାଲୁଥିବା ସମୟରେ ଶୃଙ୍ଖଳା ଓ ମର୍ଯ୍ୟାଦା ବଜାୟ ରଖିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱ ଦେଇଛନ୍ତି।
ମଙ୍ଗଳବାର ଦିନ ୧୨ ଜଣ କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ କରାଯିବା ପରେ ବିଧାନସଭା ଭିତରେ ଓ ବାହାରେ ଅଭାବନୀୟ ଅଶାନ୍ତି ଦେଖାଦେଇଥିଲା। ଏହି ଘଟଣା ସମ୍ପର୍କରେ ସୂଚନା ଦେଇ ବାଚସ୍ପତି କହିଛନ୍ତି ଯେ, ମାର୍ଚ୍ଚ ୭ରୁ ଆରମ୍ଭ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନରେ ବିରୋଧୀ ସଦସ୍ୟମାନେ ବିଭିନ୍ନ ପ୍ରକାର ପ୍ରତିବାଦ ଜାରି ରଖିଛନ୍ତି। ପ୍ଲାକାର୍ଡ, ପୋଷ୍ଟର ଓ ବ୍ୟାନର ପ୍ରଦର୍ଶନ କରିବା ସହ ମାର୍ଚ୍ଚ ୨୦ରୁ ବିରୋଧୀ ବିଧାୟକମାନେ କଳା ବ୍ୟାଜ ଓ ପୋଷାକ ପରିଧାନ କରି, ସିଟି ବଜାଇ ଏବଂ ହର୍ନ ଓ ବଂଶୀ ବଜାଇ ସଭାରେ ବାଧା ସୃଷ୍ଟି କରିଛନ୍ତି।
ବାଚସ୍ପତି ସୁରମା ପାଢ଼ି କହିଛନ୍ତି ଯେ, ୧୨ ଦିନିଆ କାର୍ଯ୍ୟଦିବସ ମଧ୍ୟରୁ ମାତ୍ର ଦୁଇ ଦିନ ପ୍ରଶ୍ନୋତ୍ତର ପର୍ଯ୍ୟାୟ ଚାଲିପାରିଛି। ମାର୍ଚ୍ଚ ୨୫ ସୁଦ୍ଧା ବିଧାନସଭା କାର୍ଯ୍ୟ ନିର୍ଦ୍ଧାରିତ ସମୟ ଅପେକ୍ଷା ମାତ୍ର ୩୯ ଘଣ୍ଟା ୨ ମିନିଟ୍ ଚାଲିଛି। ଏହି ଅଚଳାବସ୍ଥାକୁ ଦୂର କରିବା ପାଇଁ ମାର୍ଚ୍ଚ ୧୦, ୧୩, ୨୪ ଓ ୨୫ ତାରିଖରେ ସର୍ବଦଳୀୟ ବୈଠକ ଡକାଯାଇଥିଲା। କିନ୍ତୁ ଏହା ସତ୍ତ୍ୱେ ବିରୋଧୀ ଜିଦରେ ଅଡ଼ି ବସିଥିଲେ । ମାର୍ଚ୍ଚ ୨୧ରେ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ବିରୋଧୀ ସଦସ୍ୟଙ୍କୁ ନିଜ ନିଜ ଆଚରଣରୁ ବିରତି ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ତଥାପି ଅଶାନ୍ତି ନଥମିବାରୁ ମଙ୍ଗଳବାର ଦିନ ୧୨ ଜଣ କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ କରାଯାଇଥିଲା।
ନିଲମ୍ବନ ପରେ ମଧ୍ୟ ଏହି ବିଧାୟକମାନେ ଗୃହ ଛାଡ଼ିବାକୁ ମନା କରି ବୁଧବାର ରାତିସାରା ଧାରଣା ଦେବେ ବୋଲି ଘୋଷଣା କରିଥିଲେ। ଏହାକୁ ଦୃଷ୍ଟିରେ ରଖି ବିଧାନସଭା ସଚିବାଳୟକୁ ସୁରକ୍ଷା ବ୍ୟବସ୍ଥା ସହ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
ବାଚସ୍ପତି କହିଛନ୍ତି ଯେ, ମଙ୍ଗଳବାର ରାତି ପ୍ରାୟ ୯ଟା ବେଳେ କଂଗ୍ରେସ ବିଧାୟକମାନେ କିଛି ରାଜନୈତିକ କର୍ମୀଙ୍କ ସହ ମିଶି ବିଧାନସଭା କରିଡରରେ ମାର୍ଶଲ ଓ ସୁରକ୍ଷା କର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ। ଏଥିରେ ଅନେକ କର୍ମଚାରୀ ଆହତ ହୋଇଛନ୍ତି ଏବଂ ସେମାନେ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି। ରାତି ପ୍ରାୟ ୨ଟା ବେଳେ କିଛି କଂଗ୍ରେସ ବିଧାୟକଙ୍କୁ ମାର୍ଶଲ ଗେଟ୍ ଦେଇ ବାହାରକୁ ନିଆଯାଇଥିବା ବେଳେ ଅନ୍ୟମାନେ ସମ୍ମାନଜନକ ଭାବେ ବାହାରିଥିଲେ।
ଅନ୍ୟପକ୍ଷେ, ପ୍ରମୁଖ ବିରୋଧୀ ଦଳ ବିଜୁ ଜନତା ଦଳ (ବିଜେଡି) ବାଚସ୍ପତିଙ୍କ ବୟାନକୁ ଅସମ୍ପୂର୍ଣ୍ଣ ଓ ପକ୍ଷପାତପୂର୍ଣ୍ଣ ବୋଲି ଅଭିଯୋଗ କରିଛି। ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, “ଆମେ ଗତକାଲିଠାରୁ ସଭାଗୃହରେ ଘଟିଥିବା ଦୁର୍ଭାଗ୍ୟଜନକ ଘଟଣା ଉପରେ ବାଚସ୍ପତିଙ୍କୁ ବୟାନ ଦେବାକୁ ଦାବି କରିଥିଲୁ। ଆଜି ବାଚସ୍ପତି ଏକ ବୟାନ ଦେଇଛନ୍ତି, କିନ୍ତୁ ଏହା ଅର୍ଦ୍ଦସତ୍ୟ ଉପରେ ଆଧାରିତ। ଏଥିରେ ସମ୍ପୂର୍ଣ୍ଣ ଘଟଣାର ବିବରଣୀ ନାହିଁ ଓ ଏହା ପକ୍ଷପାତପୂର୍ଣ୍ଣ ଲାଗୁଛି। ଆମେ ଏହାକୁ ବାଚସ୍ପତିଙ୍କ ନଜରକୁ ଆଣିଛୁ।”
Comments are closed.