Latest Odisha News

BREAKING NEWS

ଡିଗ୍ରୀ କଲେଜରୁ ଅଲଗା ହେବ ଯୁକ୍ତ ଦୁଇ କଲେଜ

ଭୁବନେଶ୍ୱର: ଯେଉଁ ସବୁ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟରେ ଯୁକ୍ତ ଦୁଇ କଲେଜ ରହିଛି ସେହି ସବୁ କଲେଜ ପୃଥିକୀକରଣ ହେବ। ଡିଗ୍ରୀ କଲେଜରୁ ଉଚ୍ଚ ମାଧ୍ୟମିକ ସ୍କୁଲ ଅଲଗା ହେବ। କମ୍ପୋଜିଟ୍ ମହାବିଦ୍ୟାଳୟରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ପୃଥକୀକରଣ କରାଯିବ। ଏନେଇ ପୁଣି ଥରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ସରକାରୀ ମହାବିଦ୍ୟାଳୟ, ବେସରକାରୀ ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜଙ୍କ ସମେତ ଜିଲ୍ଲା ଶିକ୍ଷାଅଧିକାରୀଙ୍କୁ ଚିଠି କରାଯାଇଛି।

ବିଭାଗ ପକ୍ଷରୁ ହୋଇଥିବା ଚିଠିରେ ଉଲ୍ଲେଖ କରାଯାଇଛି, ମାତ୍ର ସରକାରଙ୍କ ଦୃଷ୍ଟିଗୋଚର ହୋଇଛି ଯେ, ଅଧିକାଂଶ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ମଧ୍ୟରେ ବିଭାଜନ ପ୍ରକ୍ରିୟା ଏପର୍ଯ୍ୟନ୍ତ ସଂପୂର୍ଣ୍ଣ ହୋଇନାହିଁ। ତେଣୁ ଡିଗ୍ରୀ କଲେଜ, ବିଶ୍ୱବିଦ୍ୟାଳୟରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଅଲଗା କରିବାକୁ ପ୍ରକ୍ରିୟା ତ୍ୱରାନ୍ୱିତ କରାଯାଉ ବୋଲି ଚଳିତ ବର୍ଷ ମେ ୬ରେ ଉଚ୍ଚଶିକ୍ଷା ବିଭାଗ ଓ ଗଣଶିକ୍ଷା ବିଭାଗ ମଧ୍ୟରେ ଏକ ମିଳିତ ବୈଠକ ହୋଇଥିଲା। ବୈଠକରେ ବିଚାର ବିମର୍ଷ ପରେ ନିଷ୍ପତ୍ତି ନିଆଯାଇଛି ଯେ, ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟରୁ ଯୁକ୍ତ ଦୁଇ କଲେଜକୁ ଅଲଗା କରାଯିବ। ଏଥିପାଇଁ ଏକ ୪ଜଣିଆ କମିଟି ଗଠନ କରାଯାଇଛି। ଏହି କମିଟିରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଅଧ୍ୟକ୍ଷ ରହିବେ।

ଡିଗ୍ରୀ କଲେଜର ଅଧ୍ୟକ୍ଷ, ଉପ ଜିଲ୍ଲାପାଳ ତଥା ଏସ୍‌ଡିଏମ୍ ସଦସ୍ୟ ରହିବେ। ଜିଲ୍ଲା ଶିକ୍ଷା ଅଧିକାରୀ ସଦସ୍ୟ ଆବାହକ ଭାବେ ଏହି କମିଟିରେ ରହିବେ। ପ୍ରଥମେ ଜିଲ୍ଲା ଶିକ୍ଷା ଅଧିକାରୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଯୋଗାଯୋଗ କରିବେ। ଏହାପରେ କ୍ଷେତ୍ର ପରିଦର୍ଶନ, ବିଭାଜନ ଯୋଜନା ପାଇଁ ପ୍ରାରମ୍ଭିକ ପଦକ୍ଷେପ ନେବେ। ବିଭାଗ ମଧ୍ୟ ଏହା କହିଛି, ଯଦି ବିଭାଜନରେ କୌଣସି ଅସୁବିଧା ହୁଏ ତେବେ ତାର ବିକଳ୍ପ ବ୍ୟବସ୍ଥା କରାଯିବ। ଯେଉଁଥିରେ ପ୍ରଥମେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପାଇଁ ଉକ୍ତ ଡିଗ୍ରୀ କଲେଜର ଜମିରୁ କିଛି ଅଂଶ ପ୍ରଦାନ କରିବେ। ଯଦି ସମ୍ଭବ ହୁଏ ନିକଟସ୍ଥ ହାଇସ୍କୁଲକୁ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭାବେ ଉନ୍ନୀତ କରାଯିବ। କମ୍ପୋଜିଟ୍ ଯୁକ୍ତ ଦୁଇର କର୍ମଚାରୀଙ୍କୁ ସେହି ଉନ୍ନୀତ ଅନୁଷ୍ଠାନକୁ ସ୍ଥାନାନ୍ତର କରିବା ସହ ପୂର୍ବ ଅନୁଷ୍ଠାନକୁ ବନ୍ଦ କରି ଦିଆଯିବ । ଭିତ୍ତିଭୂମି ବିକାଶ ପାଇଁ ପର୍ଯ୍ୟାପ୍ତ ଜମି ଥିବା ନିକଟସ୍ଥ ହାଇସ୍କୁଲକୁ କମ୍ପୋଜିଟ୍ ହାୟାର ସେକେଣ୍ଡାରୀ ସ୍କୁଲକୁ ସ୍ଥାନାନ୍ତରଣ କରାଯିବ ।

Comments are closed.