ଶିମଳା: ହିମାଚଳ ପ୍ରଦେଶର ସିରମୌର ଜିଲ୍ଲାରେ ଶୁକ୍ରବାର ଅପରାହ୍ନରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ସିମଲାରୁ କୁପଭି ଯାଉଥିବା ଏକ ଘରୋଇ ବସ୍ ହରିପୁରଧର ଗାଁ ନିକଟରେ ୫୦୦ ଫୁଟ ଗଭୀର ଘାଟିକୁ ଖସିପଡ଼ିଛି। ୧୪ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ପ୍ରାୟ ୫୨ ଜଣ ଯାତ୍ରୀ ଆହତ ହୋଇଛନ୍ତି। ପୁଲିସ ସୂଚନା ଅନୁଯାୟୀ ବସ୍ ଟି ରାସ୍ତାରୁ ଖସି ଘାଟିକୁ ଓଲଟି ପଡ଼ିଛି। ବସ୍ରେ ୩୯ ଜଣଙ୍କର ବସିବା କ୍ଷମତା ଥିଲା।
ଏହି ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫୦,୦୦୦ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି।
ସୂଚନା ଥାଉକି ବସ୍ଟି ଶିମଳାରୁ କୁପଭି ଅଭିମୁଖେ ଯାତ୍ରା କରୁଥିଲା। ସହରଠାରୁ ପ୍ରାୟ ୧୦୦ ମିଟର ପୂର୍ବରୁ ହରିପୁରଧର ନିକଟରେ ପହଞ୍ଚିବା ସମୟରେ ଡ୍ରାଇଭର ହଠାତ୍ ବସ୍ ଉପରୁ ନିୟନ୍ତ୍ରଣ ହରାଇଲେ ଏବଂ ଏହା ପ୍ରାୟ ୧୦୦ ମିଟର ଗଭୀର ଏକ ଖାଇରେ ଖସି ପଡ଼ିଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ବାସିନ୍ଦାମାନେ ପୋଲିସ ଏବଂ ପ୍ରଶାସନକୁ ଖବର ଦେଇଥିଲେ,ଏହା ପରେ ଉଦ୍ଧାର ଏବଂ ରିଲିଫ କାର୍ଯ୍ୟ ଆରମ୍ଭ ହୋଇଥିଲା।