Latest Odisha News

ବନ୍ଦ ହେବ ଆଦାନୀ ଗ୍ରୁପକୁ ଦୋହଲାଇ ଦେଇଥିବା ହିଣ୍ଡେନବର୍ଗ 

ନୂଆଦିଲ୍ଲୀ: ବନ୍ଦ ହେବ ହିଣ୍ଡେନବର୍ଗ। ଏହି ସର୍ଟ ସେଲିଂ ଫାର୍ମକୁ ବନ୍ଦ କରିବାକୁ ଘୋଷଣା କରିଛନ୍ତି ପ୍ରତିଷ୍ଠାତା ନାଥାନ୍ ଆଣ୍ଡରସନ୍। ଆଦାନୀ ଗ୍ରୁପ ବିରୋଧରେ ସେୟାର ଜାଲିଆତି ଅଭିଯୋଗ ଆଣିଥିଲା ସଂସ୍ଥା। ଯାହାକୁ ନେଇ ସମଗ୍ର ଦେଶରେ ହଇଚଇ ଖେଳିଯାଇଥିଲା।

ଜାନୁଆରୀ ୨୦୨୩ରେ ଆଦାନୀ ଗ୍ରୁପ ବିରୋଧରେ ଏହି ସଂସ୍ଥା ଅଭିଯୋଗ କରିବା ପରେ କମ୍ପାନୀର ଶେୟାରରେ ମଧ୍ଯ ତୀବ୍ର ହ୍ରାସ ଘଟିଥିଲା।

ଏନେଇ ସେ ଏକ ପୋଷ୍ଟ ମଧ୍ଯ ସେୟାର କରିଛନ୍ତି। ତାଙ୍କ କହିବାନୁଯାୟୀ, ସେ କମ୍ପାନୀ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯେଉଁ ମିଶନ ନେଇ ହିଣ୍ଡେନବର୍ଗ ଗବେଷଣା ପ୍ରତିଷ୍ଠା କରାଯାଇଥିଲା, ତାହା ଶେଷ ହେବା ପରେ କମ୍ପାନୀ ବନ୍ଦ କରାଯାଇଥାନ୍ତା। ଆଉ ବର୍ତ୍ତମାନ ସେହି ଦିନ ଆସିଛି।

ଉଲ୍ଲେଖଯୋଗ୍ୟ, ହିଣ୍ଡେନବର୍ଗ ରିସର୍ଚ୍ଚ ଏପର୍ଯ୍ୟନ୍ତ ଅନେକ କମ୍ପାନୀରେ ଘୋଟାଲାର ପର୍ଦ୍ଦାଫାସ କରିଥିବା ନେଇ ଦାବି କରିଛି। ଏହି କମ୍ପାନୀ ୨୦୧୭ ରେ ନାଥାନ୍ ଆଣ୍ଡରସନଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା। ବାସ୍ତବରେ ଏହା ଏକ ଫୋରେନସିକ୍ ଆର୍ଥିକ ଅନୁସନ୍ଧାନକାରୀ ସଂସ୍ଥା। ଯାହା ଇକ୍ୱିଟି, କ୍ରେଡିଟ୍ ଏବଂ ଡେରିଭେଟିକ୍ସକୁ ବିଶ୍ଳେଷଣ କରେ। ୧୯୩୭, ମେ ୬ରେ ଘଟିଥିବା ହାଇ ପ୍ରୋଫାଇଲ୍ ହିଣ୍ଡେନବର୍ଗ ଏୟାରସିପ୍ ଅଘଟଣକୁ ନେଇ କମ୍ପାନୀର ନାମ ରଖାଯାଇଛି। ଆମେରିକାର ନ୍ୟୁ ଜର୍ସିର ମଞ୍ଚେଷ୍ଟର ଟାଉନସିପରେ ଏହି ଦୁର୍ଘଟଣା ଘଟିଥିଲା।

Comments are closed.