ଚେନ୍ନାଇ: ଦକ୍ଷିଣରେ ଜାରି ରହିଛି ଭାଷା ଆନ୍ଦୋଳନ। ଏହାରି ମଧ୍ୟରେ କେନ୍ଦ୍ର ସରକାର ହିନ୍ଦୀ ଭାଷା ଲାଗୁ କରିବାକୁ ଏକପ୍ରକାର ବାଧ୍ୟ କରୁଥିବା ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍. କେ. ଷ୍ଟାଲିନ ଅଭିଯୋଗ ଆଣିଛନ୍ତି।
ସେ କହିଛନ୍ତି ଯେ ରାଜ୍ୟ ହିନ୍ଦୀ ଭାଷାକୁ ଲାଗୁ କରିବାକୁ ଅନୁମତି ଦେବ ନାହିଁ। ଏଥିସହିତ ତାମିଲ ଏବଂ ଏହାର ସଂସ୍କୃତିକୁ ସୁରକ୍ଷା ଦେବ। ଆମେ ହିନ୍ଦୀ ଭାଷା ଲାଗୁ କରିବାକୁ ନେଇ ବିରୋଧ କରିବୁ। ହିନ୍ଦୀ ଭାଷା ଏକ ମୁଖା ଏବଂ ସଂସ୍କୃତ ହେଉଛି ଏହା ପଛରେ ଲୁକ୍କାୟିତ ଥିବା ମୁହଁ ଭଳି।
ଜାତୀୟ ଶିକ୍ଷା ନୀତି (ଏନଇପି) କୁ ଆଧାର କରି ତ୍ରିଭାଷା ସୂତ୍ର ମାଧ୍ୟମରେ ହିନ୍ଦୀ ଭାଷା ଲାଗୁ କରିବାକୁ ଚେଷ୍ଟା ହେଉଥିବା ନେଇ ଡିଏମକେ ସରକାର ଅଭିଯୋଗ କରିଆସୁଛନ୍ତି। ତେବେ ଏହି ଅଭିଯୋଗକୁ କେନ୍ଦ୍ର ସରକାର ଅସ୍ୱୀକାର କରିଛନ୍ତି। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ଯ ଦାବି କରିଛନ୍ତି ଯେ ବିହାର, ଉତ୍ତର ପ୍ରଦେଶ ଏବଂ ମଧ୍ୟପ୍ରଦେଶ ଭଳି ଉତ୍ତର ଭାରତୀୟ ରାଜ୍ୟଗୁଡ଼ିକରେ ପ୍ରଚଳିତ ମୈଥିଳୀ, ବ୍ରଜଭାଷା, ବୁନ୍ଦେଲଖଣ୍ଡି ଏବଂ ଅବଧି ଭଳି ଭାଷା ହିନ୍ଦୀ ଭାଷା ଯୋଗୁଁ ନଷ୍ଟ ହୋଇଯାଉଛି।
ହିନ୍ଦୀ ଏବଂ ସଂସ୍କୃତକୁ ପ୍ରାଧାନ୍ୟ ଦିଆଯାଉଥିବା ଯୋଗୁଁ ୨୫ରୁ ଅଧିକ ଉତ୍ତର ଭାରତୀୟ ଭାଷା ଲୋପ ପାଇଯାଇଛି। ଏନଇପିରେ ସଂସ୍କୃତକୁ ପ୍ରୋତ୍ସାହିତ କରାଯାଉଛି ଏବଂ ରାଜ୍ୟ ସରକାର ଏହାକୁ କାର୍ଯ୍ୟକାରୀ କରାଉଥିବାର ମଧ୍ଯ ସେ ଅଭିଯୋଗ କରିଛନ୍ତି। ଯଦି ତାମିଲନାଡୁ ତ୍ରିଭାଷା ନୀତିକୁ ଗ୍ରହଣ କରିବ ତାହେଲେ ତାମିଲ ଭାଷା ଅଣଦେଖା ହେବ ଏବଂ ସଂସ୍କୃତ ପ୍ରାଧାନ୍ଯ ବିସ୍ତାର କରିବ।
Comments are closed.