ସମ୍ବଲପୁର: ଏପଟେ ତଳ ମୁଣ୍ଡରେ ବନ୍ୟା ସ୍ଥିତି ସୁଧୁରୁଥିବା ବେଳେ ସେପଟେ ଉପର ମୁଣ୍ଡରେ ବନ୍ୟାର ଭୟ ଘାରିଲାଣି । ଉପରେ ମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦର ଜଳସ୍ତର ବଢିବାରେ ଲାଗିଛି । ହୀରାକୁଦର ମୋଟ ୧୨ଟି ଗେଟ୍ ଖୋଲାଯାଇଛି । ପୂର୍ବରୁ ଦୁଇଟି ଗେଟ ଖୋଲା ରହିଥିବା ବେଳେ ଗତକାଲି ୧୦ଟି ଗେଟ ଖୋଲାଯାଇଛି । ଜଳସ୍ତର ବଢୁଥିବାରୁ ଆହୁରି ଗେଟ୍ ଖୋଲାଯିବାର ଆଶଙ୍କା ସୃଷ୍ଟି ହୋଇଛି ।
ବର୍ତ୍ତମାନ ୬୨୦.୪୧ଫୁଟରେ ପହଞ୍ଚିଛି ହୀରାକୁଦ ଜଳ । ଏବେ ହୀରାକୁଦରେ ପ୍ରତି ସେକେଣ୍ଡରେ ୪ ଲକ୍ଷ ୯୭ ହଜାର ୧୬ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୨ ଲକ୍ଷ ୨୨ ହଜାର ୫୦୩ କ୍ୟୁସେକ ଜଳ ନିଷ୍କାସନ କରାଯାଉଛି । ବର୍ତ୍ତମାନ ୧୨ଟି ଗେଟ ଦେଇ ଜଳ ନିଷ୍କାସିତ ହେଉଛି । ବାମପଟୁ ୭ଟି ଡାହାଣ ପଟୁ ୫ଟି ଗେଟ୍ ଖୋଲାଅଛି । ମୁଣ୍ଡଳିରେ ୪ ଲକ୍ଷ ୨୦ ହଜାର ୮୨୪ ଘନଫୁଟ ବନ୍ୟାଜଳ ପ୍ରବାହିତ ହେଉଛି । ସେହିପରି ବରମୁଳରେ ପ୍ରତି ସେକେଣ୍ଡରେ ୨ ଲକ୍ଷ ୮୩ ହଜାର କ୍ୟୁସେକ ଜଳ ନିସ୍କାସନ କରାଯାଉଛି ।
ଗତ ବୁଧବାର ଓ ଗୁରୁବାର ଦୁଇଦିନ ଧରି ଛତିଶଗଡ଼ରେ ପ୍ରବଳ ବର୍ଷା ହୋଇଥିଲା । ଗୁରୁବାର ମଧ୍ୟାହ୍ନ ସୁଦ୍ଧା ହାରାହାରି ୮୮ମି ବର୍ଷା ହୋଇଥିଲା । ଫଳରେ କଲମା ବ୍ୟାରେଜର ସମସ୍ତ ୬୬ଟି ଗେଟ୍ ଖୋଲିଛି ଛତିଶଗଡ଼ । ବର୍ତ୍ତମାନ ସୁଦ୍ଧା ହୀରାକୁଦ ଜଳଭଣ୍ଡାରରେ ପ୍ରାୟ ୧୨ ଫୁଟ୍ ଜାଗା ଖାଲି ରହିଛି । ତଥାପି ଉପରମୁଣ୍ଡରୁ ଏକକାଳୀନ ୫ ଲକ୍ଷ କ୍ୟୁସେକ୍ ପାଣି ଆସୁଥିବାରୁ ତାହା ମହାନଦୀକୁ ଫୁଲାଇଛି । ସ୍ଥିତି ଦେଖି ଆଗକୁ ହୀରାକୁଦରୁ ଅଧିକ ଗେଟ୍ ଖୋଲାଯିବ କି ନାହିଁ ନିଷ୍ପତ୍ତି ହୋଇପାରେ । ତଳମୁଣ୍ଡରେ ବନ୍ୟା ସ୍ଥିତି ସୁଧୁରିବା ବେଳକୁ ଉପରମୁଣ୍ଡରେ ବନ୍ୟା ଭୟ ଘାରିଲାଣି । ଚଳିତ ବନ୍ୟାରେ ରାଜ୍ୟର ବିଭିନ୍ନ ନଦୀର ଜଳସ୍ତର ଖସିବାରେ ଲାଗିଛି । ବନ୍ୟାରେ ମୋଟ୍ ୪ ଲକ୍ଷ ୧୧ ହଜାର ଲୋକ ପ୍ରଭାବିତ ହୋଇଛନ୍ତି ।
Comments are closed.