Latest Odisha News

BREAKING NEWS

ବଢୁଛି ହୀରାକୁଦ ଡ୍ୟାମ୍ ଜଳସ୍ତର, ୧୪ରେ ଖୋଲିବ ଗେଟ୍

ସମ୍ବଲପୁର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଡିପ୍ ଡିପ୍ରେସନରେ ପରିଣତ ହେବା ଫଳରେ ମହାନଦୀର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଯୋଗୁଁ ହୀରାକୁଦ ଡ୍ୟାମର ଜଳସ୍ତରରେ ବୃଦ୍ଧି ଘଟିଛି । ଏହାକୁ ନଜରରେ ରଖି ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ଲାଗି ଆସନ୍ତା ସପ୍ତାହରେ ଗେଟ୍ ଖୋଲିବ ।

ଆସନ୍ତା ଅଗଷ୍ଟ ୧୪ ତାରିଖ ଦିନ ଯେକୌଣସି ମୂହୁର୍ତରେ ବନ୍ୟାଜଳ ନିଷ୍କାସନ କରାଯିବ ବୋଲି ହୀରାକୁଦ ଡ୍ୟାମ୍ ଚିଫ୍ ଇଞ୍ଜିନିୟର୍ ସୁନିଲ କୁମାର ନାୟକ ଶନିବାର ଦିନ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି । ଆସନ୍ତା ଅଗଷ୍ଟ ୧୪ ତାରିଖ ମଧ୍ୟରେ ଯେଉଁ ପରିମାଣର ବର୍ଷା ହୋଇଥିବ, ତଦନୁଯାୟୀ ଯାଇ ଜଳ ନିଷ୍କାସନ ଲାଗି ହୀରାକୁଦ ଡ୍ୟାମର ଗେଟ୍ ଖୋଲାଯିବ।

ବଢୁଥିବା ଜଳସ୍ତରକୁ ଦୃଷ୍ଟିରେ ରଖି ଅଗଷ୍ଟ ୧୪ ତାରିଖ ଯାଏଁ ମହାନଦୀ ମଧ୍ୟକୁ ନଯିବା ଲାଗି ସ୍ଥାନୀୟ ବାସିନ୍ଦାଙ୍କୁ ସତର୍କ କରାଯାଇଛି ବୋଲି ଶ୍ରୀଯୁକ୍ତ ନାୟକ ପ୍ରକାଶ କରିଛନ୍ତି ।

ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ଥିବାବେଳେ ଶନିବାର ଦିନ ୧୦ଟା ସୁଦ୍ଧା ଏହାର ଜଳସ୍ତର ୬୦୯.୨୭ ଫୁଟକୁ ଛୁଇଁଥିବା ନେଇ ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ପ୍ରଦାନ କରିଛନ୍ତି ।

ଅପରପକ୍ଷରେ ଡ୍ୟାମ୍ ମଧ୍ୟକୁ ସେକେଣ୍ଡ ପିଛା ୧,୨୫,୫୮୪ କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବେଳେ ପାଖାପାଖି ସେକେଣ୍ଡ ପିଛା ୧୬,୭୦୮ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି ।

Leave A Reply

Your email address will not be published.