Bird Census: ଆସିଲା ରିପୋର୍ଟ; ଗତବର୍ଷ ଠାରୁ ହୀରକୁଦକୁ ଆସିଛନ୍ତି ୪୪ ହଜାର ଅଧିକ ପକ୍ଷୀ
୫ ନୂଆ ପ୍ରଜାତିଙ୍କୁ ଦେଖାଯାଇଛି...
ସମ୍ବଲପୁର: ଜାନୁଆରୀ ୧୮ରେ ସମ୍ବଲପୁରର ହୀରାକୁଦ ଜଳଭଣ୍ଡାରରେ ଶେଷ ହୋଇଥିବା ବାର୍ଷିକ ପକ୍ଷୀ ଗଣନାରେ ପ୍ରବାସୀ ପକ୍ଷୀଙ୍କ ସଂଖ୍ୟାରେ ବୃଦ୍ଧି ଘଟିଥିବା ଜଣାପଡ଼ିଛି।
ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ୧୨୮ ପ୍ରଜାତିର ମୋଟ ୪.୨୧ ଲକ୍ଷ ପକ୍ଷୀଙ୍କ ଆଗମନ ରେକର୍ଡ କରିଛି। ଯାହା ପୂର୍ବ ବର୍ଷ ୧୨୨ ପ୍ରଜାତିର ୩.୭୭ ଲକ୍ଷ ପକ୍ଷୀଙ୍କ ସଂଖ୍ୟା ତୁଳନାରେ ଏକ ଉଲ୍ଲେଖନୀୟ ବୃଦ୍ଧି ବୋଲି ଡିଏଫଓ ଅଂଶୁ ପ୍ରଜ୍ଞାନ ଦାସ ସୂଚନା ଦେଇଛନ୍ତି। ଗତବର୍ଷ ଠାରୁ ଚଳିତ ଥର ହୀରକୁଦକୁ ଆସିଛନ୍ତି ପ୍ରାୟ ୪୪ ହଜାର ଅଧିକ ପକ୍ଷୀ।
ତେବେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କରାଯାଇଥିବା ଗଣନାରେ ହୀରାକୁଦ ଡ୍ୟାମରୁ ଓଡ଼ିଶା-ଛତିଶଗଡ଼ ସୀମା ପର୍ଯ୍ୟନ୍ତ ବିସ୍ତୃତ ୫.୭୨ ବର୍ଗ କିଲୋମିଟର ବ୍ୟାପ୍ତ ଜଳଭଣ୍ଡାର, ଆର୍ଦ୍ରଭୂମି ଅଞ୍ଚଳ ଏବଂ ପାୱାର ଚ୍ୟାନେଲ ଅନ୍ତର୍ଭୁକ୍ତ ହୋଇଥିଲା। ଏହି ଗଣନା ସମୟରେ ପାଞ୍ଚଟି ନୂଆ ପ୍ରଜାତି – ରୁଡି କ୍ରେକ୍, ଗ୍ରେଟର ପେଣ୍ଟେଡ୍ ସ୍ନାଇପ୍, ପେଣ୍ଟେଡ୍ ଷ୍ଟର୍କ, ଲିଟିଲ୍ ଗୁଲ୍ ଏବଂ ସାଣ୍ଡରଲିଙ୍ଗ ଦେଖାଯାଇଥିଲା ବୋଲି ଡିଏଫଓ ପ୍ରକାଶ କରିଛନ୍ତି।
ସବୁଠାରୁ ଅଧିକ ଦେଖାଯାଉଥିବା ପକ୍ଷୀମାନଙ୍କ ମଧ୍ୟରେ ଲୋକପ୍ରିୟ ଜଳପକ୍ଷୀ ଏବଂ ୱାଡର ଯେପରିକି ଟଫ୍ଟେଡ୍ ଡକ୍ସ, ହ୍ୱିସିଲିଂ ଡକ୍ସ, ଗ୍ରେବସ୍, ବାର୍-ହେଡେଡ୍ ଗିଜ୍, ବ୍ରାହ୍ମଣୀ ଡକ୍ସ, ଗାଡୱାଲ୍ସ, ୟୁରେସିଆନ୍ ୱିଜିଅନ୍ସ, ନର୍ଦର୍ଣ୍ଣ ପିଣ୍ଟେଲ୍ସ, ନର୍ଦର୍ଣ୍ଣ ସୋଭେଲର୍ସ, ରେଡ୍-କ୍ରେଷ୍ଟଡ୍ ପୋଚାର୍ଡସ୍, ସ୍ୟାଣ୍ଡପାଇପର୍ସ, ଗୁଲ୍ସ, ଟର୍ଣ୍ଣ, ପ୍ରାଟିନକୋଲ୍ସ, କିଙ୍ଗଫିସର୍ସ, ଇଣ୍ଡିଆନ୍ ସ୍କିମର୍ସ, କରମୋରାଣ୍ଟସ୍, ଇଗ୍ରେଟ୍ସ, ହେରନ୍ସ ଏବଂ ପ୍ଲୋଭର୍ସ ଥିଲେ।
ଡିଏଫଓ ଆହୁରି ମଧ୍ୟ କହିଛନ୍ତି ଯେ ତିନୋଟି ସର୍ବାଧିକ ପକ୍ଷୀ ପ୍ରଜାତି ହେଉଛି ଟଫ୍ଟେଡ୍ ଡକ୍ (୭୧,୨୭୩), ଲେସର୍ ହ୍ୱିସିଲିଂ ଡକ୍ (୬୦,୯୮୭) ଏବଂ କମନ୍ କୁଟ୍ (୫୧,୬୬୫)। ଓଡ଼ିଶା-ଛତିଶଗଡ଼ ସୀମା ନିକଟ ଉପରମୁଣ୍ଡରେ ଅବସ୍ଥିତ ସେକ୍ଟର ୭, ୮ ଏବଂ ୯ରେ ପକ୍ଷୀଙ୍କ ସର୍ବାଧିକ ସମାଗମ ପରିଲକ୍ଷିତ ହୋଇଥିଲା।
ତେବେ ୯୩ ଜଣ ପ୍ରତିନିଧିଙ୍କୁ ନେଇ ଗଠିତ ୩୮ଟି ଦଳ ଦ୍ୱାରା ୨୧ଟି ନିର୍ଦ୍ଦିଷ୍ଟ ସେକ୍ଟରରେ ଗଣନା କରାଯାଇଥିଲା। ପ୍ରତ୍ୟେକ ଦଳର ନେତୃତ୍ୱ ନେଇଥିଲେ ଜଣେ ଜଣେ ପକ୍ଷୀ ବିଶେଷଜ୍ଞ। ଏହି କାର୍ଯ୍ୟରେ ସେମାନଙ୍କୁ ସମ୍ବଲପୁର, ଝାରସୁଗୁଡ଼ା ଏବଂ ବରଗଡ଼ ଜିଲ୍ଲାର ବନ କର୍ମଚାରୀ ମାନେ ସହାୟତା କରିଥିଲେ।
Comments are closed.