କଟକ: ଆଜିଠାରୁ ଐତିହାସିକ କଟକ ବାଲିଯାତ୍ରା ଓ ବୋଇତ ବନ୍ଦାଣ ଉତ୍ସବ ଆରମ୍ଭ। ମହାଆଡମ୍ବରରେ ଅନୁଷ୍ଠିତ ହୋଇଛି ବାଲିଯାତ୍ରା। ଏହାକୁ ଦୃଷ୍ଟିରେ ରଖି ସଜାଗ ରହିଛି ଅଗ୍ନିଶମ ବାହିନୀ। ତଳ ଓ ଉପର ବାଲିଯାତ୍ରା ପଡିଆ ଏବଂ ମହାନଦୀର ବାଲୁକା ଶଯ୍ୟାରେ ଶତାଧିକ ସରକାରୀ, ବେସରକାରୀ ଅସ୍ଥାୟୀ ଷ୍ଟଲ୍/ଦୋକାନ, ସାଂସ୍କୃତିକ କାର୍ଯ୍ୟକ୍ରମ ମଞ୍ଚ, ଦୋଳି ଏବଂ ସୁସଜ୍ଜିତ ଆଲୋକ ତୋରଣ ମାନ ନିର୍ମାଣ ହେବାର ବ୍ୟବସ୍ଥା ରହିଛି। ଏହି ଅବସରରେ ବିପୁଳ ଜନସମାଗମକୁ ଦୃଷ୍ଟିରେ ରଖି ଯେକୌଣସି ଅଗ୍ନି ଦୁର୍ଘଟଣାକୁ ରୋକିବା ପାଇଁ ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ତରଫରୁ ବାଲିଯାତ୍ରା ପଡିଆର ବିଭିନ୍ନ ସ୍ଥାନମାନଙ୍କରେ ଅଗ୍ନି ନିରାପତ୍ତା ଏବଂ ଉଦ୍ଧାର କାର୍ଯ୍ୟ ବ୍ୟବସ୍ଥା କରାଯାଇଛି।
ପ୍ରତ୍ୟେକ ଷ୍ଟଲ୍ଗୁଡିକୁ ସରକାରୀ ନିର୍ଦ୍ଦେଶାବଳୀ ଅନୁଯାୟୀ ଗଠନ କରିବା ସହିତ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ କଡାକଡି ଭାବେ ଗ୍ରହଣ କରିବାକୁ ଷ୍ଟଲ୍ ମାଲିକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ସଠିକ୍ ଭାବେ କାର୍ଯ୍ୟକ୍ଷମ କରିବା ପାଇଁ ସମଗ୍ର ବାଲିଯାତ୍ରା ପଡିଆକୁ ଦୁଇଟି ଭାଗରେ ବିଭକ୍ତ କରାଯାଇଛି ଯଥା- ଉପର ପଡିଆ ଏବଂ ତଳ ପଡିଆ। ବାଲି ଯାତ୍ରାର ଉପର ପଡିଆରେ ୨ଟି ଅସ୍ଥାୟୀ ଅଗ୍ନିଶମ କେନ୍ଦ୍ର ଯଥା-ବାଲି ଯାତ୍ରା ଉପର ପଡିଆର ମନ୍ଦିର ସମ୍ମୁଖରେ ଓ ବାରବାଟୀ ଷ୍ଟାଡିୟମ ସମ୍ମୁଖରେ ସ୍ଥାପନା କରାଯିବ। ଏହା ବ୍ୟତୀତ ୧୦ଟି ଅଗ୍ନିଶମ ପୋଷ୍ଟ କରାଯିବ। ସେହିପରି ତଳ ପଡିଆ ପାଇଁ ୪ଟି ଅସ୍ଥାୟୀ ଅଗ୍ନିଶମ କେନ୍ଦ୍ର ଯଥା-ତଳ ପଡିଆର ଟ୍ରାନ୍ସଫରମର୍ ନିକଟରେ, ଉପ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖ ତଳ ପଡିଆ ଗଡ଼ାଠାରେ, ତଳ ପଡିଆ “ଓରମାସ୍” ପରିସରରେ ଓ ତଳ ପଡିଆ ପାର୍କିଂ ଅଞ୍ଚଳ ନିକଟରେସ୍ଥାପନା କରାଯିବ। ଏହା ବ୍ୟତୀତ ଆନୁଷଙ୍ଗିକ ଭାବେ ୫୦ଟି ଅଗ୍ନିଶମପୋଷ୍ଟ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ରହିବ।
ଅଗ୍ନି ଦୁର୍ଘଟଣାର ସଫଳ ମୁକାବିଲା ପାଇଁ ନିରବଛିନ୍ନ ଜଳ ଯୋଗାଣ ସୁନିଶ୍ଚିତ କରିବା ନିମନ୍ତେ ୪ଟି ପମ୍ପ୍ ବିଭିନ୍ନ ସ୍ଥାନରେ ଯଥାକ୍ରମେ ଗଡ଼ଖାଇ ଏବଂ ମହାନଦୀ କୂଳରେ ୩ଟି ପମ୍ପ୍ ରଖାଯିବାର ବ୍ୟବସ୍ଥା କରାଯାଇଛି। ଏଥିସହିତ ଆକସ୍ମିକ ଜରୁରୀକାଳୀନ ପରିସ୍ଥିତି ଓ ଉଦ୍ଧାର କାର୍ଯ୍ୟ ପାଇଁ ୩ ଟି ଉଦ୍ଧାରକାରୀ ଦଳକୁ ଆବଶ୍ୟକୀୟ ପାୱାର ବୋଟ୍ ଏବଂ ଉଦ୍ଧାର ଉପକରଣ ସହିତ ମହାନଦୀ କୂଳରେ ୨୪ ଘଣ୍ଟାମୁତୟନ କରାଯାଇଛି। ଅତ୍ୟାଧୁନିକ ଡ୍ରୋନ୍ କ୍ୟାମେରା ଓ ଦୂରବୀକ୍ଷଣ ଯନ୍ତ୍ର ସହିତ ଏକ ଅଗ୍ନିଶମ ଦଳ ଉପରୋକ୍ତ କାର୍ଯ୍ୟକୁ ପୁଙ୍ଖାନୁପୁଙ୍ଗ ଭାବେ ନିରୀକ୍ଷଣ ପାଇଁ ବାଲି ଯାତ୍ରା ତଳ ପଡିଆଠାରେ ନିୟୋଜିତ ରହିବ। ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବାକୁ ଥିବା ବୋଇତ ବନ୍ଦାଣ ଏବଂ ବାଲିଯାତ୍ରା ଉତ୍ସବ ସ୍ଥଳରେ ଆବଶ୍ୟକୀୟ ଅଗ୍ନି ନିରାକରଣ ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି। ଆବଶ୍ୟକ ସ୍ଥଳେ ଅଗ୍ନିଶମ ଓ ଜରୁରୀକାଳୀନ ସେବା ୧୧୨ ନମ୍ବରକୁ କଲ୍ କରିବା ବ୍ୟବସ୍ଥା ରହିଛି।
Comments are closed.