ଭୁବନେଶ୍ଵର: ଜାତୀୟ ପତାକା , ଗୋଟିଏ ଦେଶ ଓ ଜାତିର ପ୍ରତୀକ । ଭାରତର ଜାତୀୟ ପତାକା ହେଉଛି ତ୍ରିରଙ୍ଗା। ଏକ ଧାରାରେ କହିବାକୁ ଗଲେ ଆମ ତ୍ରିରଙ୍ଗା ହେଉଛି ଗୌରବର ପ୍ରତୀକ, ଦେଶର ରାଷ୍ଟ୍ରୀୟ ଓ ଏକତାର ପ୍ରତୀକ। ତ୍ରିରଙ୍ଗା କଥା ମନରେ ଭାବିବା କ୍ଷଣି ଦେଶଭକ୍ତି ଜାଗେ । ଦେଶ ପାଇଁ ନିଜକୁ ଗର୍ବ ଲାଗେ । ଆମ ଦେଶର ପତାକା ଅନ୍ୟ ଦେଶ ଠାରୁ ସଂପୂର୍ଣ୍ଣ ଭିନ୍ନ । ତିନୋଟି ରଙ୍ଗରେ ସଜେଇ ହୋଇଛି ଏହି ଜାତିର ପ୍ରତୀକ। ଏହାର ରଙ୍ଗଠାରୁ ଆରମ୍ଭ କରି ଅଶୋକ ଚକ୍ର ପର୍ଯ୍ୟନ୍ତ ସବୁ କିଛିକୁ ବେଶ୍ ଗୁରୁତ୍ବର ସହ ନିଆଯାଇଛି । ତେବେ ଏହି ତ୍ରିରଙ୍ଗା ନିର୍ମାଣ ହେବା ପଛରେ ରହିଛି ଅନେକ କାହାଣୀ। ବର୍ତ୍ତମାନର ତ୍ରିରଙ୍ଗାର ଡିଜାଇନ ୫ଟି ସୋପାନ ଦେଇ ପରିବର୍ତ୍ତିତ ହୋଇଛି । ତେବେ ଆସନ୍ତୁ ଜାଣିବା କେବେ ପ୍ରଥମେ ତିଆରି ହୋଇଥିଲା ଜାତୀୟ ପତାକା…
ଜାତୀୟ ପତାକାର ପ୍ରଥମ ସଂସ୍କରଣ:
୧୯୦୬ ମସିହା ଅଗଷ୍ଟ ୭ ତାରିଖରେ କଲିକତାର ‘ପାର୍ସି ବାଗାନ୍ ଛକ’ରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ୧୯୦୬ ମସିହାରେ ପ୍ରଥମ ଚିତ୍ରିତ ଭାରତର ଜାତୀୟ ପତାକା ସ୍ବାମୀ ବିବେକାନନ୍ଦଙ୍କ ଶିଷ୍ୟା ଭଗିନୀ ନିବେଦିତାଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିଲା। ଏହା ଲାଲ୍, ସବୁଜ ଓ ହଳଦିଆ ରଙ୍ଗରେ ବିଭକ୍ତ ହୋଇଥିଲା। ଉପରେ ଥିବା ସବୁଜ ରଙ୍ଗ ଅଂଶରେ ୮ଟି ଧଳା ରଙ୍ଗର ପଦ୍ମଫୁଲ ଚିହ୍ନ ଅଙ୍କିତ ହୋଇଥିଲା। ମଧ୍ୟଭାଗରେ ଥିବା ହଳଦିଆ ଅଂଶରେ ନୀଳ ରଙ୍ଗରେ ‘ବନ୍ଦେ ମାତରମ୍’ ଲେଖା ରହିଥିଲା। ନିମ୍ନ ଭାଗରେ ଲାଲ୍ ଅଂଶର ଗୋଟିଏ ପଟେ ସୂର୍ଯ୍ୟ ଏବଂ ଅନ୍ୟ ପଟରେ ଅର୍ଦ୍ଧଚନ୍ଦ୍ର ଓ ସୂର୍ଯ୍ୟର ଚିତ୍ର ଅଙ୍କିତ ହୋଇଥିଲା।
ଜାତୀୟ ପତାକାର ଦ୍ୱିତୀୟ ସଂସ୍କରଣ:
୧୯୦୭ ମସିହାରେ ଜାତୀୟ ପତାକାର ଦ୍ବିତୀୟ ସଂସ୍କରଣରେ ସାମାନ୍ୟ ପରିବର୍ତ୍ତନ କରାଯାଇଥିଲା। ଉପରେ ଥିବା ୮ଟି ପଦ୍ମଫୁଲ ପରିବର୍ତ୍ତେ ୭ଟି ତାରା ରହିଥିଲା, ଯାହାକି ସପ୍ତଋଷିଙ୍କ ପ୍ରତୀକ ଥିଲା। ଜର୍ମାନସ୍ଥିତ ଷ୍ଟଟ୍ଗର୍ଟରେ ଅନ୍ତର୍ଜାତୀୟ ସମାଜବାଦୀ ସମ୍ମିଳନୀରେ ମ୍ୟାଡମ୍ ଭିକାଜି କାମା ଏହାକୁ ଉତ୍ତୋଳନ କରିଥିଲେ। ସେ ହେଉଛନ୍ତି ପ୍ରଥମ ବିଦେଶୀ ମହିଳା, ଯିଏକି ବିଦେଶ ମାଟିରେ ଭାରତର ଜାତୀୟ ପତାକା ଉତ୍ତୋଳନ କରିଥିଲେ।
ଜାତୀୟ ପତାକାର ତୃତୀୟ ସଂସ୍କରଣ:
୧୯୧୭ ମସିହାରେ ଜାତୀୟ ପତାକାର ତୃତୀୟ ସଂସ୍କରଣ ପ୍ରସ୍ତୁତ ହୋଇଥିଲା। ଡ. ଆନିବେସାନ୍ତ ଓ ବାଲ୍ ଗଙ୍ଗାଧର ତିଲକ ଏଥିରେ ଆଉ କିଛି ପରିବର୍ତ୍ତନ ଆଣିଥିଲେ। । ଏଥିରେ ତିନୋଟି ରଙ୍ଗ ବଦଳରେ ଦୁଇଟି ରଙ୍ଗର ବ୍ୟବହାର କରାଯାଇଥିଲା। ସବୁଜ ଓ ଲାଲ୍ ରଙ୍ଗର ବଡ଼ ବଡ଼ ପଟି ସଦୃଶ ପତାକାର ଡିଜାଇନ୍ କରାଯାଇଥିଲା। ଏଥିରେ ୫ଟି ଲାଲ୍ ଓ ୪ଟି ସବୁଜ ରଙ୍ଗର ସମାନ୍ତରାଳ ପଟି ଥିଲା। ଏହି ପଟି ଉପରେ ସପ୍ତଋଷିଙ୍କ ପ୍ରତୀକ ୭ଟି ତାରା ଚିହ୍ନ ସହିତ ପତାକାର ଉପର ବାମପଟ କୋଣରେ ୟୁନିୟନ୍ ଜାକ୍ର ଏକ ଛୋଟ ଛବି ଥିଲା ଏବଂ ଅନ୍ୟ ଏକ କୋଣରେ ଅର୍ଦ୍ଧଚନ୍ଦ୍ର ଓ ତାରାର ଚିତ୍ର ଦେଖିବାକୁ ମିଳିଥିଲା।
ଜାତୀୟ ପତାକାର ଚତୁର୍ଥ ସଂସ୍କରଣ:
୧୯୨୧ ମସିହାରେ ଜାତୀୟ ପତାକାର ଚତୁର୍ଥ ସଂସ୍କରଣ ପ୍ରସ୍ତୁତ ହେଲା। ଏଥିରେ ଦୁଇଟି ଧର୍ମୀୟ ଭାବନାର ପ୍ରତୀକ ଭାବେ ସବୁଜ ଓ ଲାଲ୍ ରଙ୍ଗକୁ ସାମିଲ୍ କରାଗଲା। ମୁସ୍ଲିମ୍ ଧର୍ମ ପାଇଁ ସବୁଜ ଏବଂ ହିନ୍ଦୁଙ୍କ ପାଇଁ ଲାଲ୍। ବୈଜ୍ ୱାଡ଼ା (ବର୍ତ୍ତମାନର ବିଜୟୱାଡ଼ା)ଠାରେ କଂଗ୍ରେସର ଏକ ସଭାରେ ଆନ୍ଧ୍ରପ୍ରଦେଶର ଜଣେ ଯୁବକ ପିଙ୍ଗଳି ଭେଙ୍କେୟା ପତାକାର ଏହି ଡିଜାଇନ୍ ପ୍ରସ୍ତୁତ କରି ଗାନ୍ଧିଜୀଙ୍କୁ ଦେଇଥିଲେ। ଏହାକୁ ଦେଖିବା ପରେ ଗାନ୍ଧିଜୀ ପ୍ରସ୍ତାବ ଦେଇଥିଲେ ଯେ, ହିନ୍ଦୁ ଓ ମୁସ୍ଲିମ୍ ପରେ ଅନ୍ୟସବୁ ଧର୍ମର ପ୍ରତୀକ ଭାବେ ଏହି ପତାକାରେ ଧଳା ରଙ୍ଗ ରହିବା ଉଚିତ ହେବ। ଏହା ସହିତ ଦେଶର ପ୍ରଗତିକୁ ତ୍ବରାନ୍ବିତ କରିବାର ପ୍ରତୀକ ଭାବେ, ଚାଲୁଥିବା ଏକ ଚରଖାର ଫଟୋ ମଧ୍ୟ ରଖାଗଲେ ଏହା ସମ୍ପୂର୍ଣ୍ଣ ଲାଗିବ। ତେଣୁ ଗାନ୍ଧିଜୀଙ୍କ ପ୍ରସ୍ତାବ ଅନୁଯାୟୀ ପତାକାର ଉପର ଭାଗରେ ଧଳା ଅଂଶ, ମଧ୍ୟ ଭାଗରେ ସବୁଜ ଓ ଶେଷ ଭାଗରେ ଲାଲ୍ ରଙ୍ଗ ସହିତ ପତାକାର ମଝିରେ ଏକ ଚଳନ୍ତା ଚରଖାର ଚିତ୍ର ରଖାଗଲା।
ଜାତୀୟ ପତାକାର ପଞ୍ଚମ ସଂସ୍କରଣ:
୧୯୩୧ ମସିହାରେ ଭାରତର ତ୍ରିରଙ୍ଗା ପତାକାର ପଞ୍ଚମ ସଂସ୍କରଣ ପ୍ରସ୍ତୁତ କରାଯାଇଥିଲା। ଏଥିରେ ପୂର୍ବ ତ୍ରିରଙ୍ଗାରେ ସାମାନ୍ୟ ପରିବର୍ତ୍ତନ କରାଯାଇଥିଲା। ମହାତ୍ମା ଗାନ୍ଧୀଙ୍କ ପରାମର୍ଶକ୍ରମେ ଭାରତର ତ୍ରିରଙ୍ଗା ପତାକାକୁ ଅଙ୍ଗୀକାର କରିବା ପାଇଁ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା। ଏଥିରେ ପତାକାର ଉପରେ ନାରଙ୍ଗୀ, ମଝିରେ ଧଳା ଓ ତଳକୁ ସବୁଜ ରଙ୍ଗ ରଖାଗଲା। ଧଳା ରଙ୍ଗର ପଟିର ମଧ୍ୟ ଭାଗରେ ଏକ ଘୂରୁଥିବା ଚରଖା ଚିତ୍ର ରଖାଗଲା।
ଜାତୀୟ ପତାକାର ଶେଷ ସଂସ୍କରଣ:
୧୯୪୭ ମସିହା ଜୁଲାଇ ୨୨ ତାରିଖରେ ତ୍ରିରଙ୍ଗାକୁ ନୂତନ ତଥା ପୂର୍ଣ୍ଣ ରୂପ ମିଳିଥିଲା। ଚରଖା ପରିବର୍ତ୍ତେ ଅଶୋକ ଚକ୍ରକୁ ସ୍ଥାନିତ କରିବା ପାଇଁ ସାମ୍ବିଧାନିକ ସଭାରେ ସର୍ବସମ୍ମତ ଭାବେ ସ୍ବୀକୃତି ମିଳିଥିଲା। ଏହା ସହିତ ରାଷ୍ଟ୍ରୀୟ ଧ୍ବଜାକୁ ବା ତ୍ରିରଙ୍ଗାକୁ ଭାରତର ଜାତୀୟ ପତାକା ଭାବେ ଗ୍ରହଣ କରିବା ପାଇଁ ‘ଏମ୍ବଲମ୍ ଆଣ୍ଡ୍ ନେମ୍ ପ୍ରିଭେନ୍ସନ୍ ଆକ୍ଟ ଫର୍ ପ୍ରପର୍ ୟୁଜ୍ ଆକ୍ଟ’ ୧୯୫୦ରେ ପ୍ରସ୍ତୁତ କରାଯାଇଥିଲା। ରାଜେନ୍ଦ୍ର ପ୍ରସାଦଙ୍କ ନେତୃତ୍ବରେ ଜାତୀୟ ପତାକାର ରୂପରେଖ ସ୍ଥିର କରିବା ପାଇଁ ଏକ କମିଟି ଗଠନ କରାଯାଇଥିଲା। ଏଥିରେ ମୌଲାନା ଅବୁଲ୍ କାଲାମ୍ ଆଜାଦ୍, ସରୋଜିନୀ ନାଇଡ଼ୁ, ସି. ରାଜ ଗୋପାଲଚାରୀ, କେ.ଏମ୍. ମୁନ୍ସି ଓ ବି.ଆର. ଆମ୍ବେଦକର୍ ଏହି କମଟିର ସଦସ୍ୟ ଥିଲେ।
Comments are closed.