Latest Odisha News

BREAKING NEWS

ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ଗଜାନନ ବେଶ ଏବଂ ଏହାର କିମ୍ଵଦନ୍ତୀ

– ଦେବଦତ୍ତ ରଥ

ଶ୍ରୀମନ୍ଦିରରେ ପାଳିତ ଦ୍ୱାଦଶ ଯାତ୍ରା ମଧ୍ୟରୁ ସ୍ନାନ ଯାତ୍ରା ଅନ୍ୟତମ । ଏହାକୁ ଦେବସ୍ନାନ ପୂର୍ଣ୍ଣିମା କୁହାଯାଏ। ପ୍ରତି ବର୍ଷ ଜ୍ୟୈଷ୍ଠ ମାସ ପୂର୍ଣ୍ଣିମା ତିଥିରେ ଏହା ପାଳିତ ହୋଇଥାଏ । ଏହି ଅବସରରେ ଚତୁର୍ଦ୍ଧାମୂର୍ତ୍ତି ପହଣ୍ଡି ବିଜେରେ ଆନନ୍ଦବଜାର ସ୍ଥିତ ସ୍ନାନମଣ୍ଡପ (ବେଦୀ) ଉପରେ ବିରାଜମନ କରିଥାଆନ୍ତି । ଏହି ସମୟରେ ଠାକୁର ମାନଙ୍କର ପ୍ରସିଦ୍ଧ ଗଜାନନ ବେଶ ବା ହାତୀ ବେଶ ବା ଗଣେଶ ବେଶ ହୋଇଥାଏ । ସ୍ନାନ ମଣ୍ଡପରେ ବିରାଜିତ ଶ୍ରୀଜୀଉ ମାନଙ୍କର ସ୍ନାନ ନୀତି ସମ୍ପର୍ଣ୍ଣ ହେବା ପରେ ଗଜାନନ ବେଶ ଉପକରଣ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ, ଶ୍ରୀସୁଭଦ୍ରା, ଶ୍ରୀସୁଦର୍ଶନଙ୍କୁ ଲାଗି କରାଯାଏ ।

ଗଜାନନ ବେଶ କିମ୍ବଦନ୍ତୀ
ମହାପ୍ରଭୁଙ୍କ ହାତୀ ବେଶ ବା ଗଜାନନ ବେଶ ସମ୍ପର୍କରେ ରହିଥିବା କିମ୍ବଦନ୍ତୀ ଅନୁଯାୟୀ ପଞ୍ଚଦଶ ଶତାବ୍ଦୀରେ ମହାରାଷ୍ଟ୍ରରୁ ମହାଗାଣପତ୍ୟ ସମ୍ପ୍ରଦାୟର ଶ୍ରୀ ଗଣପତି ଭଟ୍ଟ ନାମକ ଜୈନିକ ବିଶିଷ୍ଟ ବ୍ରାହ୍ମଣ ଶ୍ରୀକ୍ଷେତ୍ରକୁ ଆଗମନ କରିଥିଲେ । ସେ ପ୍ରଭୁ ଗଣେଶଙ୍କ ବଡ଼ ଭକ୍ତ ଥିଲେ । ସ୍ନାନ ପୂର୍ଣ୍ଣିମୀ ଦିନ ଶ୍ରୀମନ୍ଦିରରୁ ପ୍ରବେଶ କରି ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରି ଗଣପତି ଭଟ୍ଟ ସନ୍ତୋଷ ଲାଭ କଲେ ନାହିଁ ।

ନିରାଶ ମନରେ ଶ୍ରୀକ୍ଷେତ୍ରରୁ କିଛି ବାଟ ଯିବା ପରେ ମୁକ୍ତେଶ୍ୱର ନିକଟରେ ଶୂନ୍ୟବାଣୀ ଶୁଣି ପୁନଶ୍ଚ ଶ୍ରୀମନ୍ଦିରକୁ ଫେରିଆସି ଦେଖିଲେ, ଠାକୁରମାନେ ତାଙ୍କର ଇଷ୍ଟଦେବ ଗଣପତିଙ୍କ ରୂପ ଧାରଣ କରି ଧବଳ ରୂପରେ ବଳଭଦ୍ର ଏବଂ କଳା ରୂପରେ ଜଗନ୍ନାଥ ଶୋଭା ପାଉଛନ୍ତି । ଗଣପତି ଭଟ୍ଟ ଏହି ଦୃଶ୍ୟ ଦେଖି ଭକ୍ତି ବିଭୋର ହୋଇ ପଡ଼ିଲେ ଏବଂ ତତକ୍ଷଣାତ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଚରଣାବିନ୍ଦରେ ସାଷ୍ଟାଙ୍ଗ ପ୍ରଣିପାତ ପୂର୍ବକ ପ୍ରାର୍ଥନା କରିଥିଲେ । ଗଣପତି ଭଟ୍ଟଙ୍କ ଗଣପତି ବେଶ ଦର୍ଶନର ସ୍ମାରକୀ ସ୍ୱରୂପ ମହାପ୍ରଭୁଙ୍କ ଗଜାନନ ବେଶ ପାଳିତ ହୋଇଆସୁଛି ।

Leave A Reply

Your email address will not be published.