Latest Odisha News

BREAKING NEWS

ଝିଅକୁ ଚେଙ୍କ ମାମଲା; ସାବତ ମା’ ଗିରଫ

ବ୍ରହ୍ମପୁର: କୁରକୁରେ ଖାଇବାକୁ ୫ ଟଙ୍କା ମାଗିବା ଯୋଗୁ ୮ ବର୍ଷର ଝିଅକୁ ଚେଙ୍କ ଦେବା ମାମଲାରେ ସାବତ ମାଆକୁ ବଡ଼ବଜାର ଥାନା ପୋଲିସ ସୋମବାର ଗିରଫ କରିଛି ।

ଘଟଣା ସମ୍ପର୍କରେ ପୀଡ଼ିତାଙ୍କ ମାମୁ ବଡବଜାର ଥାନାରେ ଅଭିଯୋଗ କରିବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି ।

ରବିବାର ଝିଅକୁ ଉତ୍କଳ ବାଳାଶ୍ରମରେ ରଖାଯାଇଥିଲା । ସୋମବାର ତାଙ୍କୁ ଚିକିତ୍ସା କରାଯାଇଛି ।

ସୂଚନା ଯୋଗ୍ୟ ଯେ, ବ୍ରହ୍ମପୁରର ବଡବଜାର ଥାନା ଅନ୍ତର୍ଗତ ଲଷ୍ମୀନୃସିଂହ ସାହି ୭ମ ଲାଇନ ନିକଟ ହନୁମାନ ନଗରରେ ରହୁଥିବା ଏହି ୮ବର୍ଷର ଝିଅ ଆଜକୁ ୩ ଦିନ ତଳେ କୁରକୁରେ ଖାଇବା ପାଇଁ ନିଜ ସାବତ ମାଆ ଜାନକୀ ମହାରଣାଙ୍କୁ ୫ ଟଙ୍କା ମାଗିଥିଲା।

ହେଲେ ପ୍ରତ୍ୟେକ ଦିନ ଟଙ୍କା ମାଗୁଥିବାରୁ ଜାନକୀ ରାଗିଯିବା ସହ ରୋଷେଇ ଘରୁ ଏକ ତତଲା ପିଠା ପାତିଆ ଆଣି ଝିଅର ଗାଲ ଓ ହାତରେ ବାରମ୍ବାର ଚେଙ୍କ ଦେଇଥିଲେ। ଏଥିରେ ତାଙ୍କ ହାତ ଓ ଗାଲ ପୋଡି କଳା ପଡ଼ିଯାଇଥିଲା।

ପୀଡ଼ିତାଙ୍କ ବାପା ଓ ମାଆ ତାଙ୍କୁ ଘର ଭିତରେ ହିଁ ଚିକିତ୍ସା କରି ଦୁଇଦିନ ଯାଏଁ ବାହାରକୁ ଛାଡିନଥିଲେ ।ହେଲେ ଦିନକ ପରେ ପୀଡ଼ିତା ଜଣଙ୍କ ଟିଉସନ ଯିବା ପରେ ଘଟଣା ସମ୍ପର୍କରେ ଜଣାପଡ଼ିଥିଲା ।

ଖବର ପାଇ ବଡବଜାର ଥାନା ପୁଲିସ ଓ ଚାଇଲ୍ଡ ଲାଇନ କର୍ମଚାରୀ ପହଞ୍ଚି ତାଙ୍କୁ ଉଦ୍ଧାର କରି ଶିଶୁ ମଙ୍ଗଳ କମିଟିରେ ହାଜର କରିଥିଲେ ।

କମିଟିର ନିର୍ଦେଶ ପ୍ରକାରେ ପୀଡ଼ିତାଙ୍କୁ ଉତ୍କଳ ବାଳାଶ୍ରମକୁ ନେଇ ରଖାଯାଇଥିଲା ।

ସେହିପରି ପୁଲିସ ପୀଡ଼ିତାଙ୍କ ବାପା ଅନନ୍ତ ମହାରଣା ଓ ମାଆ ଜାନକୀଙ୍କୁ ଥାନାକୁ ନେଇ ଅଟକ ରଖିଥିଲା ।

ସୋମବାର ମାମୁଁ ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ କରିବା ପରେ କେସ ନଂ ୧୪୬/୨୨ ରେ ଏକ ମାମଲା ରୁଜୁ ହେବା ସହ ପୋଲିସ ଜାନକୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.