Latest Odisha News

BREAKING NEWS

ଗାଡ଼ି ବାଡ଼େଇ ଖସିଗଲେ ବାବୁ, ଲୋକେ ଗୋଡ଼େଇ କଲେ କାବୁ

ଗାଡ଼ି ବାଡ଼େଇ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଡାକ୍ତରଖାନା ନେବା ଅପେକ୍ଷା ଖସିଯିବାକୁ ଚେଷ୍ଟା କରି ହଟହଟା ହୋଇଛନ୍ତି ଚାଳକ ଗଣେଶ ପ୍ରସାଦ ମହାପାତ୍ର । ଆତ୍ମସମର୍ପଣ ଭଳି ହାସ୍ୟାସ୍ପଦ ବାହାନା କରି ଖସିଯିବାକୁ ଚେଷ୍ଟା କରୁଥିବା ଲୋକଙ୍କୁ ସ୍ଥାନୀୟ ଲୋକେ ଧରିଥିବାରୁ ଜଣଙ୍କ ଠି ମାନବିକତା ହଜିଯାଉଥିବା ବେଳେ ଅନ୍ୟ ଲୋକେ ଏହାର ଉଦାହରଣ ବନିଛନ୍ତି ବୋଲି କହିଛନ୍ତି ସାଧାରଣ ଲୋକ ।

ଭୁବନେଶ୍ୱର: ସୋମବାର ସକାଳେ ରାଜଧାନୀରେ ଜଣେ କାର୍ ଚାଳକ ଗାଡ଼ି ବାଡ଼େଇ ଖସିଯାଉଥିବା ବେଳେ ଗୋଡ଼େଇ ଧରିଛନ୍ତି ଦେଖଣାହାରୀ । ଶିଶୁ ଭବନ ଛକ ନିକଟ ଜେଏସଡବ୍ଲୁ ଅଫିସ୍ ସାମନାରେ ସାଣ୍ଟ୍ରୋ ଗାଡ଼ି (ଓଡି ୦୨ ବିଭି ୭୮୬୭) ଏକ ସୁଜୁକି ଆକ୍ସେସ୍ କୁ ପିଟିଥିଲେ । ସ୍କୁଟି ଚାଳକ ଓ ପଛରେ ବସିଥିବା ଆରୋହୀ କ୍ଷତାକ୍ତ ଅବସ୍ଥାରେ ପଡ଼ିଥିଲା ବେଳେ ସାଣ୍ଟ୍ରୋ ଚାଳକ ଜଣକ ଖସିଯିବାକୁ ଚେଷ୍ଟା କରିଥିଲେ ।

ତେବେ ସେଠାରେ ଉପସ୍ଥିତ ଦେଖଣାହାରୀ ଫେରାର୍ ହେଉଥିବା କାର୍ ଚାଳକର ପିଛା କରି ଫରେଷ୍ଟ ପାର୍କ ନିକଟରେ ଧରିଥିଲେ । ଘଟଣାସ୍ଥଳକୁ ଆସି ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଡାକ୍ତରଖାନା ନେବାକୁ କହିଥିଲେ ପିଛା କରିଥିବା ଲୋକେ । ଆଉ କୁଆଡ଼େ ଖସିଯାଉଥିଲ ବୋଲି ପ୍ରଶ୍ନ କରିଥିଲେ । ହେଲେ ଚାଳକ ଜଣକ ନିର୍ବୋଧ ବାହାନା ଦେଖାଇ କହିଥିଲେ, ସେ କ୍ୟାପିଟାଲ୍ ଥାନା ଯାଉଛନ୍ତି ଆତ୍ମସମର୍ପଣ କରିବା ପାଇଁ । ଏହା ଶୁଣି ସେଠାରେ ହୋ ହଲ୍ଲା କରିଥିଲେ ପିଛା କରିଥିବା ଲୋକ ।

 

ଅନୁରୋଧ, ବାଧ୍ୟ ଓ କଥା କଟାକଟି ପରେ ବି ଆଦୌ ଘଟଣାସ୍ଥଳକୁ ଯିବାକୁ ରାଜି ନଥିଲେ କାର୍ ଚାଳକ । ବାରମ୍ବାର କହୁଥିଲେ ଯେ ସେ ଥାନାକୁ ଯାଇ ଆତ୍ମସମର୍ପଣ କରିବେ । କିନ୍ତୁ ଉଦ୍ଦେଶ୍ୟ ଥିଲା ତାଙ୍କର ଖସିଯିବା ପାଇଁ । ଏପରିକି ତାଙ୍କ କାର୍ ସାମନାରେ ବାଇକ୍ ରଖିବାକୁ ପଡ଼ିଥିଲା ଲୋକଙ୍କୁ । ଭୟ ଥିଲା କାଳେ ପୁଣି ଖସିଯିବେ ।

ପରେ ଶିଶୁ ଭବନ ଛକରେ ନିୟୋଜିତ ଜଣେ ଟ୍ରାଫିକ କନେଷ୍ଟବଳ ଆସି ହସ୍ତକ୍ଷେପ କରିବା ପରେ କାର୍ ଚାଳକ ଗଣେଶ ପ୍ରସାଦ ମହାପାତ୍ର ଘଟଣାସ୍ଥଳକୁ ଯିବାକୁ ରାଜି ହୋଇଥିଲେ । ହେଲେ ସେଥିରେ ପୁଣି ଦେଖାଇଥିଲେ ବାହାନା । କହିଥିଲେ, ମୁଣ୍ଡ ବୁଲାଉଛି ଗାଡ଼ି ଚଲେଇ ପାରିବିନି, କେହି ଜଣେ ଗାଡ଼ି ଚଲାନ୍ତୁ ମୋର । ଗାଡ଼ି ଚଲେଇବାକୁ ଲୋକ ରାଜି ହେବା ପରେ ପୁଣି ବାହାରିଲା ବାହାନା, କହିଲେ ଦେହ ଭଲ ଲାଗୁନି ଯାଇ ହେବନି । ଯାହା ଖର୍ଚ୍ଚ ହେବ ଦେଇଦେବି । ଗାଡ଼ି ନେଇଯାଆନ୍ତୁ । ଟ୍ରାଫିକ କନେଷ୍ଟବଳ ବାରମ୍ବାର କହିବା ପରେ ଦୁର୍ଘଟଣାକାରୀ ଗଣେଶ ଗାଡ଼ିରେ ବସି ଗଲେ ଘଟଣାସ୍ଥଳ ।

ସେପଟେ ଦେଖଣାହାରୀ ଓ ଜେଏସଡବ୍ଲୁ କର୍ମଚାରୀଙ୍କ ସହାୟତାରେ ଆମ୍ବୁଲାନ୍ସ ଡକାଇ କ୍ଷତାକ୍ତ ପ୍ରସନ୍ନ ପାତ୍ରଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠାଯାଇଥିଲା । ତା ଆଗରୁ ଜେଏସଡବ୍ଲୁ କର୍ମଚାରୀ ମାନେ ପ୍ରାଥମିକ ସାହାଯ୍ୟ କରିଥିଲେ । କିଛି ସମୟ ପରେ ପିସିଆର୍ ପହଞ୍ଚି ଚାଳକ ଗଣେଶଙ୍କୁ ଥାନା କୁ ନେଇଥିଲା । ପ୍ରସନ୍ନ ଙ୍କ ବଡ଼ ପୁଅ ରଞ୍ଜିତ୍ ମଧ୍ୟ ଥାନାକୁ ଯାଇ ଅଭିଯୋଗ ଲେଖିଥିଲେ । ଗଣେଶ ଘରୋଇ ସଂସ୍ଥା ଓଏସଏଲ ରେ କାର୍ଯ୍ୟ କରୁଥିବା ପୋଲିସ୍ ଓ ଉପସ୍ଥିତ ଲୋକଙ୍କୁ କହିଥିଲେ ।

Leave A Reply

Your email address will not be published.