ମାଲକାନଗିରି : ସ୍ବାଭିମାନ ଅଞ୍ଚଳରେ ସ୍ବାସ୍ଥ୍ୟ କ୍ଷେତ୍ରରେ ଆସିବ ଉନ୍ନତି । ଉଦଘାଟିତ ହୋଇଛି ଅତ୍ୟାଧୁନିକ ମେଡିକାଲ । ନବରଙ୍ଗପୁର ସାଂସଦ ରମେଶ ମାଝୀ ଓ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ଏହି ଅତ୍ୟାଧୁନିକ ମେଡିକାଲକୁ ଉଦଘାଟନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟା ଫଳରେ ମାତ୍ର ୨୧ ଦିନରେ ଚିତ୍ରକୋଣ୍ଡା ଜାନବାଇରେ ନିର୍ମାଣ ହୋଇଛି ଏହି ମେଡିକାଲ । ଏହାଦ୍ବାରା ୯ଟି ପଞ୍ଚାୟତବାସୀଙ୍କୁ ମିଳିବ ଉତ୍ତମ ସ୍ବାସ୍ଥ୍ୟ ସେବା ।
ଆମେରିକାନ ଇଣ୍ଡିଆ ଫାଉଣ୍ଡେସନ ଏବଂ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ଏହି ହାଇଟେକ୍ ମେଡିକାଲ ପ୍ରତିଷ୍ଠା କରାଯାଇଛି । ମେଡିକାଲରେ ରହିଛି ୫୦ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ବ୍ୟବସ୍ଥା । ଯାହାକୁ ସ୍ବତନ୍ତ୍ର ଭାବେ ଡିଜାଇନ କରିଛି ଚେନ୍ନାଇ ଆଇଆଇଟି ସଂସ୍ଥା । ଦୁଇ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏହି ହସପିଟାଲରେ ସବୁ ରୁମ୍ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା ସହ ରୋଗୀଙ୍କ ପାଇଁ ୪୬ଟି ବେଡ୍, ଭେଣ୍ଟିଲେଟର ଯୁକ୍ତ ୪ ଟି ଆଇସିୟୁ ବେଡ୍ ରହିଛି । ମେଡ଼ିକାଲରେ ୨୪ ଘଣ୍ଟିଆ ଅକ୍ସିଜେନେର ବ୍ୟବସ୍ଥା ସାଙ୍ଗକୁ ଡାକ୍ତରଙ୍କ ପାଇଁ ରହିଛି ସ୍ବତନ୍ତ୍ର ରୁମ୍ । ପୂର୍ବରୁ ନିଜର ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ୯ଟି ପଞ୍ଚାୟତବାସୀଙ୍କୁ ଚିତ୍ରକୋଣ୍ଡା ଓ ମାଲକାନଗିରି ମେଡିକାଲ, କୋରାପୁଟକୁ ଯିବାକୁ ପଡୁଥିଲା । ଏବେ ଏହି ହସପିଟାଲରେ ସମସ୍ତ ସୁବିଧା ପାଇବେ ସ୍ବାଭିମାନ ଅଞ୍ଚଳ ବାସିନ୍ଦା ।
Comments are closed.