ପାଟଣା: ବିହାରର ସୀତାମାଢ଼ିରେ ହ୍ୟୁମାନ ଇମ୍ୟୁନୋଡେଫିସିଏନ୍ସି ଭାଇରସ୍ (ଏଚଆଇଭି) ମାମଲା କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଜିଲ୍ଲାରେ ଏଚଆଇଭି ପଜିଟିଭ୍ ରୋଗୀଙ୍କ ସଂଖ୍ୟା ୭୯୪୮ ଥିବା ନେଇ ରିପୋର୍ଟରୁ ଜଣାପଡିଛି।
ଯେଉଁଥିରେ ପ୍ରାୟ ୪୨୮ ଜଣ ଶିଶୁଙ୍କୁ ସେମାନଙ୍କ ପିତାମାତାଙ୍କ ଠାରୁ ଏହି ରୋଗ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ତେବେ ପଜିଟିଭ୍ ମାନଙ୍କ ମଧ୍ୟରେ ୨୫୨ ଜଣ ପୁଅ ଏବଂ ୧୩୫ ଜଣ ଝିଅ ଥିବା ଜଣାପଡିଛି। ବର୍ତ୍ତମାନ ୬୭୦୭ ରୋଗୀ ଚିକିତ୍ସାଧୀନ ଅବସ୍ଥାରେ ଥିବା ନେଇ ସୀତାମାଢ଼ି ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି । ସେମାନଙ୍କ ମଧ୍ୟରୁ ୩୫୪୪ ଜଣ ପୁରୁଷ ଓ ୨୭୩୩ ଜଣ ମହିଳା ଏବଂ ଦୁଇ ଜଣ କିଶୋର ଥିବା ନେଇ ଜଣାପଡ଼ିଛି।ଏଥିସହିତ ୪୨୮ ଜଣ ୧୫ ବର୍ଷ ବୟସରୁ କମ୍ ହୋଇଥିବା ମଧ୍ୟ ସୂଚନା ଦିଆଯାଇଛି। ତେବେ ସୀତାମାଢ଼ିର ସମସ୍ତ ୧୭ ବ୍ଲକରେ ଏଚଆଇଭି ମାମଲା ଚିହ୍ନଟ ହୋଇଥିବା ନେଇ ଅଧିକାରୀ କହିଛନ୍ତି।
ଏହାର ସର୍ବାଧିକ ୧୧୦୭ ମାମଲା ଡୁମରା ବ୍ଲକରେ ମିଳିଥିବା ଜଣାପଡିଛି। ଏହା ବ୍ୟତୀତ ରୁନିସୈଦପୁରରେ ୭୦୮, ପରିହାରରେ ୭୦୦, ସୋନବରସାରେ ୫୧୪ ଏବଂ ରିଗାରେ ୫୦୨ଟି ମାମଲା ରହିଛି। ଜିଲ୍ଲାରେ ଏତେ ସଂଖ୍ୟକ ଏଚଆଇଭି ପଜିଟିଭ ମାମଲା କିପରି ଆସିଲା ସେ ନେଇ ତଦନ୍ତ କରିବାକୁ ପ୍ରଶାସନ ତରଫରୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ସମସ୍ତଙ୍କୁ ବିନା ଦ୍ୱିଧାରେ ସଂକ୍ରମଣର ପରୀକ୍ଷା କରିବାକୁ ଏବଂ ସମୟୋଚିତ ଚିକିତ୍ସା ସୁନିଶ୍ଚିତ କରିବାକୁ ମଧ୍ୟ ନିବେଦନ କରାଯାଇଛି। ତେବେ ସମୟୋଚିତ ପରୀକ୍ଷା, ନିୟମିତ ଔଷଧ ଏବଂ ପରାମର୍ଶ ଦ୍ଵାରା ଏହି ରୋଗ ରୁ ରକ୍ଷା ମିଳିପାରିବ ବୋଲି ମଧ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ତରଫରୁ କୁହାଯାଇଛି।