Latest Odisha News

BREAKING NEWS

ଯୁଦ୍ଧ ଘୋଷଣା କଲା ହିଜବୁଲ ମୁଜାହିଦିନ !

ନୂଆଦିଲ୍ଲୀ: ପହଲଗାମ ଆକ୍ରମଣ ପରଠୁ ଭାରତର ଜବାବି ଆକ୍ରମଣ ଭୟରେ ଥରହର ପାକିସ୍ତାନ । ଭାରତ ପକ୍ଷରୁ ଆକ୍ସନ ଆଶଙ୍କାରେ ହିଜବୁଲ ମୁଜାହିଦିନ ଯୁଦ୍ଧ ଘୋଷଣା କରିଛି । ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ନିର୍ଦ୍ଦେଶରେ ଏହି ଆତଙ୍କବାଦୀ ସଂଗଠନ ଯୁଦ୍ଧ ଘୋଷଣା କରିଛି । ଭାରତ ବିରୋଧରେ ଇରାନ୍ ମଡେଲକୁ ଆପଣାଇଛି ପାକିସ୍ତାନ । ଇରାନର ଅନେକ ଇସଲାମିକ ସଂଗଠନ ଇସ୍ରାଏଲ୍ ବିରୋଧରେ ଯୁଦ୍ଧ ଲଢୁଥିବା ବେଳେ ଭାରତ ବିରୋଧରେ ସମାନ ବାଟରେ ଆଗେଇଛି ପାକିସ୍ତାନ । ଏନେଇ ୨୪ତାରିଖରେ ଆତଙ୍କୀ ସଂଗଠନର ସୋସିଆଲ୍ ମିଡିଆ ଆକାଉଣ୍ଟରେ ଭିଡିଓ ଜାରି କରାଯାଇଛି । ଏଥିରେ ହିଜବୁଲ ମୁଜାହିଦିନର ଟପ୍ ଆତଙ୍କୀ ଶମଶେର ଖାନ୍ କାଶ୍ମୀରରେ ଜିହାଦର ଘୋଷଣା କରିଛି ।

ଭାରତ ବିରୋଧରେ ଯୁଦ୍ଧ ଘୋଷଣା !

ପହଲଗାମ ଆକ୍ରମଣ ପରେ ଆତଙ୍କୀଙ୍କ ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କରିଛି ଭାରତ । ସେପଟେ ପାକିସ୍ତାନ ଭାରତର ଜବାବି କାର୍ଯ୍ୟାନୁଷ୍ଠାନ ଭୟରେ ରହିଛି । ସେଥିପାଇଁ ଆତଙ୍କବାଦୀ ସଂଗଠନ ଦ୍ବାରା ଭାରତ ବିରୋଧରେ ଯୁଦ୍ଧ ଘୋଷଣା କରାଇଛି ପାକିସ୍ତାନ । ପୂର୍ବରୁ କାରଗିଲ ଯୁଦ୍ଧ ବେଳେ ମଧ୍ୟ ପାକିସ୍ତାନୀ ସେନା ଆତଙ୍କବାଦୀଙ୍କ ସହ ମିଶି ଭାରତ ବିରୋଧରେ ଲଢିଥିଲା । ଏବେ ପୁଣି ପାକିସ୍ତାନ ସମାନ ଫର୍ମୁଲା ଆପଣାଇଛି । ଭିଡିଓରେ ଟପ୍ ଆତଙ୍କବାଦୀ ଶମଶେର ଖାନ୍ ରହିଛି । ଶମଶେରର ଘର କାଶ୍ମୀରର ପୁଞ୍ଚ ଅଞ୍ଚଳରେ । ତେବେ ୯୦ ଦଶକରେ ସେ ପାକିସ୍ତାନ ଯିବା ସହ ସେଠାରେ ଆତଙ୍କବାଦୀ ସଂଗଠନରେ ସାମିଲ ହୋଇଥିଲା ।

ଆତଙ୍କୀଙ୍କୁ ସକ୍ରିୟ କରାଉଛି ପାକିସ୍ତାନ !

ପହଲଗାମ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ଲସ୍କର-ଏ-ତୋଏବା । ନରସଂହାର ଷଡ଼ଯନ୍ତ୍ର ପଛରେ ମାଷ୍ଟରମାଇଣ୍ଡ ସୈଫୁଲ୍ଲାହ କସୁରୀ ବୋଲି କୁହାଯାଉଛି । ସୈଫୁଲ୍ଲାହ ଲସ୍କରର ରାଜନୈତିକ ଶାଖାର ନେତୃତ୍ବ ନେଉଛି । ଲସ୍କର ଆତଙ୍କବାଦୀଙ୍କୁ ପାକିସ୍ତାନୀ ଅଧିକାରୀ ସୁରକ୍ଷା ଦେଉଥିବା କୁହାଯାଉଛି । ହିଜବୁଲ ମୁଜାହିଦିନ ଆତଙ୍କବାଦୀ ସଂଗଠନର ନେତୃତ୍ବ ସୟଦ ସଲାହୁଦ୍ଦିନ ନେଉଥିବା ବେଳେ ଭିଡିଓରେ ଶମଶେର ଖାନକୁ ଚେହେରା କରାଯାଇଛି । ଆତଙ୍କବାଦୀ ଓ ସ୍ଲିପର ସେଲକୁ ପାକିସ୍ତାନ ସକ୍ରିୟ କରାଇବା ସହ ଜିହାଦର ଘୋଷଣା କରିବାକୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି ।

ଟେରର ଫଣ୍ଡିଂର ଲମ୍ବା ଇତିହାସ !

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫଙ୍କ ବୟାନକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି । ବ୍ରିଟେନର ସ୍କାଇ ନ୍ୟୁଜ ସହ ଆଲୋଚନା ବେଳେ ପାକିସ୍ତାନର ଆତଙ୍କବାଦକୁ ସମର୍ଥନ ଓ ଟେରର ଫଣ୍ଡିଂର ଲମ୍ବା ଇତିହାସ ରହିଥିବା ସ୍ବୀକାର କରିଛନ୍ତି ଖ୍ବାଜା ଆସିଫ । ୩୦ବର୍ଷ ଧରି ଆମେରିକା ଓ ବ୍ରିଟେନ୍ ପାଇଁ ଦେଶ ଏଭଳି ଖରାପ କାମ କରିଆସୁଥିବା କହିଛନ୍ତି । ଏହା ପାକିସ୍ତାନର ଭୁଲ ଥିଲା, ଏଥିପାଇଁ ଦେଶ କଷ୍ଟ ଭୋଗିଛି । ବଡ଼ ଦେଶ ପାକିସ୍ତାନକୁ ଆକ୍ଷେପ କରିବା ସହଜ । ହେଲେ ସେମାନଙ୍କ ସପକ୍ଷରେ ହିଁ ୮୦ ଦଶକରେ ସୋଭିଏତ୍ ୟୁନିୟନ ବିରୋଧରେ ଯୁଦ୍ଧ ଲଢିଥିଲା ପାକିସ୍ତାନ । ସେହିପରି ପାକିସ୍ତାନରେ ଲସ୍କର-ଏ-ତୋଏବାର ଅସ୍ତିତ୍ବ ଶେଷ ହୋଇଯାଇଛି । ଅତୀତରେ ପାକିସ୍ତାନ ସହ ଆତଙ୍କବାଦୀ ସଂଗଠନର କିଛି ଲିଙ୍କ ମିଳିଥିଲା । ତେବେ ଏହା ଅର୍ଥ ପାକିସ୍ତାନ ସଂଗଠନକୁ ସାହାଯ୍ୟ କରୁଥିଲା ନୁହେଁ ବୋଲି ସେ କହିଛନ୍ତି । ପାକିସ୍ତାନ ବର୍ଷ ବର୍ଷ ଧରି ଆତଙ୍କବାଦୀ ସଂଗଠନକୁ ସହଯୋଗ କରିବା ସହ ଫଣ୍ଡିଂ କରୁଥିବା ଭାରତ ଅଭିଯୋଗ କରିଆସୁଛି । ଏବେ ଏହାକୁ ସ୍ବୀକାର କରିଛନ୍ତି ଦେଶର ପ୍ରତିରକ୍ଷା ମନ୍ତ୍ରୀ ।

Comments are closed.