ଭୁବନେଶ୍ୱର: ଆସନ୍ତା ୨୮ ତାରିଖରୁ ଆରମ୍ଭ ହେବ ହକି ଇଣ୍ଡିଆ ଲିଗ୍ । ଏନେଇ ହକି ଇଣ୍ଡିଆ ଲିଗ୍ ର ଭୁବନେଶ୍ବର ଭିତ୍ତିକ ଦଳ ’ବେଦାନ୍ତ କଳିଙ୍ଗ ଲାନସର୍ସ’ ଦଳର ନୂଆ ଜର୍ସି ଓ ମାସ୍କଟ ଗୁରୁବାର କଳିଙ୍ଗ ଷ୍ଟାଡିୟମ୍ ହକି କଂପ୍ଲେକ୍ସରେ ଉନ୍ମୋଚିତ ହୋଇଯାଇଛି । ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜର୍ସି ଓ ମାସ୍କଟର ଉନ୍ମୋଚନ କରିଥିଲେ ।
ଦୁଇଟି ଜର୍ସି ରହିଛି । ଉଭୟରେ ଓଡିଶାର ଇତିହାସ, କଳା ଆଦି ପ୍ରତିଫଳିତ ହୋଇଛି । ବିଶ୍ବପ୍ରସିଦ୍ଧ କୋଣାର୍କ ଚକ୍ର ଜର୍ସିର ଛାତିରେ ଗର୍ବର ସହ ସ୍ଥାନିତ ହୋଇଛି । ଉତ୍ତର ଓଡ଼ିଶାର ଛଉ ଓ ଦକ୍ଷିଣର ଘୁମୁରା ନୃତ୍ୟର ଝଲକ ସହ ପଶ୍ଚିମ ଓଡ଼ିଶାର ସମ୍ବଲପୁରୀ ବସ୍ତ୍ର ଡିଜାଇନ୍ ମଧ୍ୟ ଅତି ସୁନ୍ଦର ଭବେ ଚିତ୍ରିତ ହୋଇଛି । ମାସ୍କଟର ନାମ ‘ଜିତ୍’ ରହିଛି ।
ରାଜ୍ୟରୁ ୮ ଜଣ ଖେଳାଳି ଏଥିରେ ସାମିଲ ହୋଇଛନ୍ତି । ମହିଳା ବର୍ଗରେ ୬ଟି ଟିମ୍ ଖେଳିବେ । ହକି ଇଣ୍ଡିଆ ଲିଗରେ ଟିମ୍ଭଲ ପ୍ରଦର୍ଶନ କରିବ ବୋଲି ସମସ୍ତେ ଆଶାବାଦୀ ଅଛନ୍ତି । ଓଡ଼ିଶାର ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଫେବ୍ରୁଆରୀ ୧ ତାରିଖରେ ପୁରୁଷ ମର ଫାଇନାଲ ଖେଳାଯିବ ଓ ଜାନୁଆରୀ ୨୬ ତାରିଖରେ ଝାଡ଼ଖଣ୍ଡର ରାଞ୍ଚିରେ ଖେଳାଯିବ ମହିଳା ଲିଗର ସବୁ ମ୍ୟାଚ୍ ।
ପୁରୁଷ ବର୍ଗରେ ଓଡ଼ିଶା ବ୍ୟତୀତ ଚେନ୍ନାଇ, ଲକ୍ଷ୍ନୌ, ପଞ୍ଜାବ, ହରିୟାଣା, ପଶ୍ଚିମବଙ୍ଗ, ଦିଲ୍ଲୀ, ହାଇଦ୍ରାବାଦ ଏବଂ ରାଞ୍ଚି ଦଳ ରହିଛି । ସେହିପରି ମହିଳା ବର୍ଗରେ ହରିଆଣା, ୱେଷ୍ଟ ବେଙ୍ଗଲ, ଦିଲ୍ଲୀ ଓ ଓଡ଼ିଶା ସମେତ ଆଉ ଦୁଇଟି ଦଳ ରହିବେ । ପ୍ରତି ଦଳରେ ରହିବେ ୨୪ ଜଣ ଖେଳାଳି । ସେମାନଙ୍କ ମଧ୍ୟରେ ୧୬ ଜଣ ଭାରତୀୟ ଏବଂ ୮ ଜଣ ବିଦେଶୀ ଖେଳାଳି ରହିବେ ।